ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୪ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ। ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି। ସୋମବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସକ୍ରିୟ ଘୂର୍ଣ୍ଣିବଳୟ ଏବଂ ନିମ୍ନଚାପରେଖା ପ୍ରଭାବରେ ରବିବାରଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା, ବଜ୍ରପାତ, ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲ୍ଲା ଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତା ୨୪ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୨ତାରିଖ ଅପରାହ୍ଣରୁ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ତାରିଖରୁ ତିନିଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଗଲାଣି। ୨୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଅନ୍ୟ କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ୨୫ ଓ ୨୬ ତାରିଖରେ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
Comments are closed.