Latest Odisha News

BREAKING NEWS

ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ ତାଣ୍ଡବ ରଚିଲା ବାତ୍ୟା ତାଉ’ତେ

ଅହମ୍ମଦାବାଦ: ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ କରାଳ ଓ ପ୍ରଳୟଙ୍କରୀ ରୂପ ଦେଖାଇଥିଲା ବାତ୍ୟା ତାଉ’ତେ । ଗତକାଲି ରାତି ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପୋରବନ୍ଦର-ମହୁଭା ନିକଟରେ ସ୍ଥଳଭାଗ ଛୁଇଁଥିଲା । ବାତ୍ୟାର ଆଖି ଖୋଲିବା ପରେ ପ୍ରଳୟ ଆଣିଥିଲା । ସୌରାଷ୍ଟ୍ରର ଉପକୂଳବର୍ତ୍ତୀ ଜିଲ୍ଲା ଓ ଡିଉରେ ତାଣ୍ଡବ ରଚିଥିଲା ତାଉ’ତେ । ୧୫୦-୧୬୦ କିଲୋମିଟର ବେଗରେ ବହିଥିଲା ପବନ । ସାମନାରେ ଯାହା ପଡ଼ିଲା ସାଙ୍ଗରେ ନେଇ ଚାଲିଗଲା ବାତ୍ୟା । ପବନର ବେଗ ୧୮୫ କିଲୋମିଟର ବି ଛୁଇଁଥିଲା ।
ଦେଖନ୍ତୁ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟର ଦୃଶ୍ୟ

ଗତ ୨୨ ବର୍ଷ ଭିତରେ ବଡ଼ ବିପତ୍ତିର ସାମନା କରିଛି ଗୁଜରାଟ । ତାଉ’ତେ ପ୍ରଭାବରେ ଆମରେଲି, ସୌରାଷ୍ଟ୍ର, ଭାବନଗର, ଗିର ସୋମନାଥ ଓ ଡିଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉପଡ଼ି ପଡ଼ିଛି ବଡ଼ ବଡ଼ ଗଛ । ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ । ଗୁଜରାଟରେ ବର୍ତ୍ତମାନ ସୁଦ୍ଧା ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପବନର ବେଗର ଏତେ ପ୍ରଖର ଥିଲା ଯେ, ଲୋକଙ୍କ ଘରଦ୍ୱାର କାହିଁ କୁଆଡ଼େ ଉଡ଼ିଯାଇଛି । ବିୁଦ୍ୟତ ଖୁଣ୍ଟ, ମାବାଇଲ୍ ଟାଓ୍ୱାରକୁ ମୋଡ଼ି ମଚକି ଫିଙ୍ଗି ଦେଇଛି ବାତ୍ୟା । କରୋନା ସମୟରେ ବାସହରା ହୋଇଛନ୍ତି ହଜାର ହଜାର ଲୋକ । ସମୁଦ୍ରରେ ଆସିଥିଲା ୩-୪ ମିଟର ଉଚ୍ଚର ଜୁଆର । ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଥିଲା ।

ଗୁଜରାଟରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମରେ ଲାଗିଛନ୍ତି ଏନଡିଆରଏଫ୍ ଓ ସେନା । ରାସ୍ତାରୁ ଅବରୋଧ ସଫା କରାଯାଉଛି । ଉଦ୍ଧାର କାର୍ୟ୍ୟରେ ଲାଗିଛି ନୌସେନା । ବହୁ ଲୋକ ନିଖୋଜ ଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କାମରେ ଲାଗିଛି ନୌସେନା । ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା । ସ୍ଥଳଭାଗ ଛୁଇଁବା ପରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ହୋଇଥିଲା । ପରେ ସାଇକ୍ଲୋନିକ ଷ୍ଟର୍ମ ହୋଇ ଦୁର୍ବଳ ହେବ ବାତ୍ୟା ।

Leave A Reply

Your email address will not be published.