ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃ୍ତ୍ୟୁଞ୍ଜୟ ମହାପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ମୋଖା ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ, ଆଜି ସକାଳ ୮.୩୦ରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ । ୧୦ରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ ।
୧୨ ତାରିଖ ସକାଳେ ଏହାର ଗତି ପଥରେ ପରିବର୍ତ୍ତନ ହେବ । ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ମୁହାଁଇବ । ଏହାପରେ ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବ । ବର୍ତ୍ତମାନ ଏହା ନିକୋବର ଦ୍ୱୀପ ପାଖରେ ଅଛି । ଏହା ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ, ଦକ୍ଷିଣ ଆଣ୍ଡାମାନ ସି ଏବଂ ନିକୋବର ଆଇଲାଣ୍ଡ ଉପରେ ଏହାର ପ୍ରଭାବ ଜାରି ରଖିଛି ।ଏଠାରେ ପବନର ବେଗ ଘଣ୍ଟାପ୍ରତି ୬୦ରେ ପହଞ୍ଚିବାର ସମ୍ଭାବନା ରହିଛି । ନିକୋବର ଆଇଲାଣ୍ଡର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବନରୂ ବେଗ ୯ ତାରିଖ ସନ୍ଧ୍ୟା ସୁଦ୍ଧା ବୃଦ୍ଧି ପାଇପାରେ ।
ସାମ୍ଭାବ୍ୟ ବାତ୍ୟାକବୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ଯେଉଁମାନେ ଅଛନ୍ତି ସେମାନଙ୍କୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି । ୧୨ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ସେହିପରି ଆଣ୍ଡାମାନ ନିକୋବର ଟୁରିଷ୍ଟ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକଙ୍କୁ ମଧ୍ୟ ବାରଣ କରାଯାଇଛି ।
ତେବେ ଓଡ଼ିଶା ପ୍ରତି ବିଶେଷ ସତର୍କ ସୂଚନା ନ ଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମଙ୍ଗଳବାର ବାତ୍ୟା ସମ୍ପର୍କିତ ଅପଡେଟ ସୂଚନା ଆଇଏମଡି ପକ୍ଷରୁ ଦିଆଯିବ ବୋଲି ସେ କହିଛନ୍ତି । ଓଡ଼ିଶା ସହ ଅନ୍ୟ ପୂର୍ବ ଉପକୂଳ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନି । ବର୍ଷା, ପବନ ନେଇ ମଧ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ କିମ୍ବା ପଶ୍ଚିମବଙ୍ଗକୁ ଓ୍ବାର୍ଣ୍ଣିଂ ଦିଆଯାଇନି ।
Comments are closed.