Latest Odisha News

BREAKING NEWS

‘ସିଲ୍କ ରୁଟ’କୁ ଟକ୍କର ଦେବା ପାଇଁ ଭାରତ ସହ ହାତ ମିଳେଇଲେ ସାଉଦି, ୟୁଏଇ ଓ ଆମେରିକା; ହଜିଯିବ ଚୀନର ନିଦ

ନୂଆଦିଲ୍ଲୀ: ଭାରତ ସହ ହାତ ମିଳେଇଛନ୍ତି  ସାଉଦି, ୟୁଏଇ ଓ ଆମେରିକା । ଖୁବ ଶୀଘ୍ର ଏକ ମିଳିତ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି ଏମାନେ । ଏହି ପ୍ରୋଜେକ୍ଟ ଦ୍ୱାରା ମଧ୍ୟ ପୂର୍ବ ଦେଶକୁ ରେଲୱେ ନେଟୱର୍କ ଦ୍ୱାରା ଯୋଡାଯାଇ ପାରିବ । ଏକଥା ମଧ୍ୟ ସାମ୍ନାକୁ ଆସିଛି ଯେ, ଏହି ପ୍ରୋଜେକ୍ଟ ଦ୍ୱାରା ମଧ୍ୟ-ପୂର୍ବ ଦେଶକୁ ସମୁଦ୍ର ପଥ ଦ୍ୱାରା ଦକ୍ଷିଣ ଏସିଆ ସହ ଯୋଡା ଯାଇ ପାରିବ । ଏହି ପ୍ରୋଜେକ୍ଟ ନେଇ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ   ରବିବାର ଆମେରିକା, ସାଉଦୀ ଆରବ, ସଂଯୁକ୍ତ ଆରବ ଏମିରେଟ ଅଧିକାରୀଙ୍କ ସହ ସଉଦି ଆରବରେ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ଆମେରିକା ନ୍ୟୁଜ ୱେବସାଇଟ ଏକ୍ସିଓସ ଅନୁସାରେ, ଏହି ସାକ୍ଷାତକାର ସମୟରେ ଅଜିତ ଡୋଭାଲ ଆମେରିକା ଦ୍ୱାରା ପ୍ରସ୍ତାବିତ ଏହି ପ୍ରୋଜେକ୍ଟ ଉପରେ ଆଲୋଚନା କରିଥିଲେ । ଆମେରିକା ଚାହୁଁଛି, ଏହି ପ୍ରୋଜେକ୍ଟ କାମ ଭାରତର ରେଲୱେ ନେଟୱର୍କର ସହାୟତାରେ   ଆଗେଇବ । ତେବେ ଏହି ପ୍ରୋଜେକ୍ଟ ଯଦି କାମ କରେ ତେବେ ଚୀନ ଓ ତାର ସହଯୋଗୀ ରାଷ୍ଟ୍ର ମିଶି ମଧ୍ୟ-ପୂର୍ବକୁ ଯୋଡିବା ପାଇଁ ଆରମ୍ଭ  କରିଥିବା ପ୍ରୋଜେକ୍ଟ  ପ୍ରଭାବିତ ହେବ ।

ଏଠି କହିରଖିବୁ, ଚୀନ ଏସିଆ, ୟୁରୋପ ଏବଂ ଆଫ୍ରିକାକୁ ସଡକ, ରେଳ ଏବଂ ସମୁଦ୍ର ମାର୍ଗରେ ଯୋଡ଼ିବା ପାଇଁ ଆରମ୍ଭ କରିଛି ବେଲ୍ଟ ଆଣ୍ଡ ଇନିଶିଏଟିଭ ପ୍ରୋଜେକ୍ଟ  ବା ବିଆରଆଇ । ଏହା ସିଲ୍କ ରୁଟ ଭାବେ ମଧ୍ୟ ପରିଚିତ । ୨୦୧୩ରେ ଚୀନ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲା  ଏବଂ ବିଶ୍ୱର ସବୁଠାରୁ ବଡ ଇନ୍ଫ୍ରାଷ୍ଟୟକ୍ଚର ପ୍ରୋଜେକ୍ଟ ବୋଲି କୁହାଯାଏ । ଏହି ପ୍ରୋଜେକ୍ଟରେ ଚୀନ ଏସିଆ, ଆଫ୍ରିକା, ମଧ୍ୟ-ପୂର୍ବରେ ଅଧିକ ପୁଞ୍ଜି ନିବେଶ କରିଥିଲା । ୟୁରୋପୀୟ ଦେଶରେ ମଧ୍ୟ ଚୀନ ଖୁବ ନିବେଶ କରିଥିଲା । ଏହି ପ୍ରୋଜେକ୍ଟରେ ୧୦୦ରୁ ଅଧିକ ଦେଶଙ୍କୁ ଏକାଠି କରାଯାଇ ପାରିଛି ଏବଂ ଏଥିପାଇଁ ଚୀନ ୭୭୦ କୋଟି ଡଲାର ନିବେଶ କରିଛି ।

ରିପୋର୍ଟରେ ଅନୁସାରେ, ଆମେରିକା ସହଯୋଗରେ ଭାରତ, ସାଉଦି, ୟୁଏଇର ମିଳିତ ସହାୟତାରେ ହେଉଥିବା ଏହି ନୂଆ  ପ୍ରୋଜେକ୍ଟର ନାଁ ବ୍ଲୁ ଡଟ ନେଟୱର୍କ । ଏ ପ୍ରସଙ୍ଗରେ ପ୍ରଥମେ ୧୮ ମାସ ତଳେ I2U2 ଫୋରମରେ ଆଲୋଚନା ହୋଇଥିଲା । ଏହି ଫୋରମରେ ଭାରତ, ଇଜିରାଏଲ, ଆମେରିକା, ସଂଯୁକ୍ତ ଆରବ ଏମିରେଟ ଆଦି ଦେଶ ସାମିଲ ଥିଲେ । ଏହି ପ୍ରୋଜେକ୍ଟରେ ଭାରତର ରେଲୱେ ନେଟୱର୍କ ଗୁରୁତ୍ୱପୂର୍ଣ୍ଣ କାମ କରିବ ।

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିବନ ଗୁରୁବାର ୱାଶିଂଟନ ଇନଷ୍ଟିଚ୍ୟୁଟ ଆର ନିଅର ଇଷ୍ଟ ପଲିସିରେ ଏକ ଅଭିଭାଷଣ ପ୍ରସଙ୍ଗରେ ଏହି ପ୍ରୋଜେକ୍ଟ କାମ ଆରମ୍ଭ କରିବା ନେଇ ସୂଚନା ଦେଇଥିଲେ । ଏହି ପ୍ରାେଜେକ୍ଟ କାମ କଲେ ଚୀନର ସିଲ୍କ ରୁଟକୁ ଏକ ଧକ୍କା ହେବ ।

ତେବେ ଭାରତ ଏହି ପ୍ରୋଜେକ୍ଟରେ କାମ କରିବା ପଛରେ ତିନୋଟି କାରଣ ରହିଛି । ପ୍ରଥମତଃ ଏହି ପ୍ରୋଜେକ୍ଟ ଦ୍ୱାରା ଭାରତ ମଧ୍ୟ-ପୂର୍ବରେ ନିଜ ପ୍ରଭାବ ବିସ୍ତାର କିରବ  ।ଏହି ପ୍ରୋଜେକ୍ଟ ମାଧ୍ୟମରେ  ଭାରତ ପ୍ରଥମେ ମଧ୍ୟ-ପୂର୍ବକୁ ରେଲୱେ ନେଟୱର୍କ ଦ୍ୱାରା ଯୋଡିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଥିସହିତ ମଧ୍ୟ ପୂର୍ବ ଦେଶକୁ ସମୁଦ୍ର ଲେନରେ ଦକ୍ଷିଣ ଏସିଆ ସହ ଯୋଡାଯାଇ ପାରିବ  । ଏହା ଦ୍ୱାରା ଭାରତ କମ ଖର୍ଚ୍ଚରେ ଏବଂ କମ ସମୟ ମଧ୍ୟରେ ତେଲ, ଗ୍ୟାସ ଆଣିପାରିବ । ଖାଡି ଦେଶରେ ଥିବା ଏବଂ ଏଠାରେ କାମ କରୁଥିବା ୮୦ ଲକ୍ଷ ଲୋକ ଏହି ପ୍ରାଜେକ୍ଟ ଦ୍ୱାରା ଲାଭବାନ ହେବେ ।

୨ୟରେ ଏହି ପ୍ରୋଜେକ୍ଟ ଯୋଗୁ ଭାରତୀୟ ରେଲୱେ ସେକ୍ଟର ଏକ ଇନଫ୍ରାଷ୍ଟ୍ରକଚର ନିର୍ମାତା ଭାବେ ବିଶ୍ୱସ୍ତରରେ ପରିଗଣିତ ହେବ  । ଭାରତୀୟ ରେଲୱେ ନିଜ ଦେଶ ସହ ଶ୍ରୀଲଙ୍କାରେ ନିଜର ସଫଳତା ଦେଖାଇ ପାରିଛି । ଏହି ପ୍ରୋଜେକ୍ଟ ଦ୍ୱାରା ବିଶ୍ୱ ଦରବାରରେ ଏହି କ୍ଷେତ୍ରର ସଫଳତାକୁ ଦେଖାଇବାର ସୁଯୋଗ ମିଳିବ ।

ତୃତୀୟରେ ଭାରତ ସରକାରଙ୍କୁ ଲାଗୁଛି, ପାକିସ୍ତାନ ଦେଇ ସ୍ଥଳଭାଗରେ ଯାତାୟାତ କଟକଣା ଥିବାରୁ ପଡୋଶୀ ଦେଶ ସହ ସମ୍ପର୍କ ଠିକ ଭାବେ ରଖାଯାଇ ପାରୁନି । ଏହି ପ୍ରାଜେକ୍ଟ କାର୍ଯ୍ୟକାରୀ ହେଲେ ଭାରତ ମଧ୍ୟ-ପୂର୍ବ ବନ୍ଦରରେ ପହଞ୍ଚିବା ପାଇଁ ସୁବିଧା ହେବ  । ଏହାଦ୍ୱାରା ଇରାନ, ଓମାନ, ଦୁବାଇ ସାଉଦୀଆରବ ଏବଂ କୁଏଟ ବନ୍ଦର ପର୍ଯ୍ୟନ୍ତ ପହଞ୍ଚିବାର ମାର୍ଗ ଭାରତ ପାଇଁ ସହଜ ହେବ ।

Leave A Reply

Your email address will not be published.