Latest Odisha News

ଓଡ଼ିଶାରେ ଲ୍ୟାଣ୍ଡଫଲ କରିବନି ବାତ୍ୟା: ଆଇଏମଡି ଡିଜି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମେ’ ୮ ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ହେଲେ ଆସୁଥିବା ଏହି ବାତ୍ୟା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁବ ନାହିଁ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଶନିବାର ଏକ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି।

ସେ କହିଛନ୍ତି, ବାତ୍ୟା ‘ଆସାନୀ’ ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶରେ ଲ୍ୟାଣ୍ଡଫଲ୍ ହେବ ନାହିଁ । ଏବେ ଲଘୁଚାପ ଭାବେ ଉତ୍ତର-ପଶ୍ଚିମ ଦିଗରେ ଉପକୂଳ ଆଡକୁ ଗତି କରୁଛି। ମେ’ ୧୦ ତାରିଖ ଯାଏ ଏହି ରାସ୍ତା ଉତ୍ତର-ପଶ୍ଚିମ ଦିଗରେ ରହିବ ଏବଂ ତା’ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ସମୁଦ୍ରରେ ଘୂରିବୁଲିବ। ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବା ପରେ ସମୁଦ୍ରରେ ଏହା କ୍ରମଶଃ ଦୁର୍ବଳ ହେବ।

ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ରହିବ ବୋଲି ପ୍ରଶ୍ନରେ ଆଇଏମଡି ଡିଜି କହିଛନ୍ତି, ଓଡ଼ିଶା ଉପକୂଳ ନିକଟରେ ଥିବା ସମୁଦ୍ରର ସ୍ଥିତି ମେ’ ୯ରୁ ଅଶାନ୍ତ ହେବା ଆରମ୍ଭ କରିବ ଏବଂ ମେ’ ୧୦ରେ ଏହା ଉଗ୍ର ରୂପ ଧାରଣ କରିବ। ସମୁଦ୍ର ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୮୦-୯୦ କିମି ଯାଏ ବୃଦ୍ଧି ପାଇବ।

ସମୁଦ୍ର ଅଶାନ୍ତ ରହୁଥିବାରୁ ୯ ତାରିଖରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ମେ’ ୮ ସୁଦ୍ଧା କୂଳକୁ ଆସିବାକୁ ସେ କହିଛନ୍ତି।

ସେହିପରି ୧୦ ତାରିଖ ସନ୍ଧ୍ୟା ପରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ। ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ୬୦ କିଲୋମିଟର ବେଗରେ ପବନ ବହିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କି.ମି ରହିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଆଇଏମଡି ଡିଜି ଆହୁରି କହିଛନ୍ତି, ମେ ୧୧ ଯାଏ ପବନ ବୋହିବ । ଏବଂ ଏହା ପରେ ଏହା କମିବା ଆରମ୍ଭ କରିବ।

Comments are closed.