Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଲୋକଙ୍କୁ ନିରାପଦ ସ୍ଥାନାନ୍ତର ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟଶ୍’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି । ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର । ଜିଲ୍ଲାପାଳ ଓ ଏସପିମାନେ ଏହି କାର୍ଯ୍ୟକୁ  ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ମୁଖ୍ୟ ଶାସନ ସଚିବ ଏହି ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି. ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଉ ଦୁଇ ଦିନ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ‘ୟଶ୍’ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ଠିକ୍‌ ଭାବରେ ନିର୍ଣ୍ଣୟ ହୋଇନାହିଁ । ତେଣୁ ଆମର ସମସ୍ତ ଉପକୂଳବର୍ତ୍ତୀ ଓ ଏହାର ଆଖପାଖ ଜିଲ୍ଲା ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହି ପ୍ରବଳ ବର୍ଷା ଓ ପବନ ପାଇଁଁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 Cyclone Yass, CM Focused In Safe Evacuation Of People

ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଯଥା – ODRAF, NDRF, Road Clearing Machines ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟା ପରେ ସବୁଠାରୁ କମ୍‌ ସମୟ ମଧ୍ୟରେ ରାସ୍ତାକୁ ସଫା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସେହିପରି ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃସଂଯୋଗ ପାଇଁ ସମସ୍ତ ଟିମ୍‌ ଓ ଆବଶ୍ୟକ ଯନ୍ତ୍ରପାତି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍‌ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ୍ ପରିସ୍ଥିତି ଯୋଗୁଁ ଏହି ସମୟରେ ଅକ୍ସିଜେନ୍ ଯୋଗାଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟା ସମୟରେ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍ସିଜେନ୍ ଯୋଗାଣରେ ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପର୍ଯୟ ପରିଚାଳନାରେ ଓଡ଼ିଶାର ସ୍ୱତନ୍ତ୍ର ଦକ୍ଷତା (Disaster Resilient) ରହିଛି ଏବଂ ଆମେ ଏବେ ପ୍ରାୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛୁ । କୋଭିଡ୍ମ ହାମାରୀ ଯୋଗୁଁ ପରିସ୍ଥିତି ଆହୁରି ଜଟିଳ ହୋଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ଏବଂ ଏକ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ  କହିଥିଲେ ।

 Cyclone Yass, CM Focused In Safe Evacuation Of People

ବାତ୍ୟାର ସମ୍ମୁଖୀନ ହେବା ପାଇଁ ରାଜ୍ୟସରକାର ପ୍ରସ୍ତୁତ ବୋଲି ପ୍ରକାଶ କରିବା ସହିତ ଜନସାଧାରଣ ଭୟଭୀତ ନ ହୋଇ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ମାନିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ବାତ୍ୟାର ମୁକାବିଲା ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ କରାଯାଉଛି। ସମସ୍ତ ସମ୍ପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି । ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳ ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଜଳ ଓ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ଟିମ୍‌ ଓ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଛନ୍ତି ।

ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିପ୍ କମିଶନର ପ୍ରଦୀପ୍ତ ଜେନା ଏକ ଉପସ୍ଥାପନା ରଖି କହିଥିଲେ, ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସମ୍ପର୍କରେ ସଠିକ୍ ସୂଚନା ମିଳିବ । ବାତ୍ୟାର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି।  ୨୨ଟି NDRF ଟିମ୍‌, 66ଟି ODRAF ଟିମ୍‌ (Formations), ୧୭୭ଟି ଅଗ୍ନିଶମ ସେବା ଟିମ୍‌ ଆଦି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ଲୋକଙ୍କ ସ୍ଥାନାନ୍ତର ପାଇଁ ଅତିରିକ୍ତ ଆଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି । ସବୁ ସ୍ଥାନାନ୍ତର କ୍ଷେତ୍ରରେ କୋଭିଡ ନିୟମାବଳୀର ପାଳନ କରାଯିବ। ସେହିପରି ଟେଲିକମ୍‌ ଓ ବିଦ୍ୟୁତ ବିଭାଗକୁ ମଧ୍ୟ  ତୁରନ୍ତ ପୁନଃସଂଯୋଗ ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ସମ୍ଭାବନା ଥିବା ସମସ୍ତ ଗର୍ଭବତୀ ମହିଳାଙ୍କୁ ହସ୍‌ପିଟାଲକୁ ନେବା ପାଇଁ ଜିଲ୍ଲାଗୁଡିକୁ ପରାମର୍ଶ ଦିଆଯାଇଛି ।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଅକ୍‌ସିଜେନ ଯୋଗାଣ ନେଇ ସୂଚନା ଦେଇ କହିଛନ୍ତି, ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସବୁ ରିଫିଲିଂ ଷ୍ଟେସନକୁ ଅତିରିକ୍ତ ଡିଜି ସେଟ୍‌ ଦିଆଯାଇଛି ଏବଂ ଜିଲ୍ଲାଗୁଡିକ ସବୁ ଅକ୍‌ସିଜେନ ସିଲିଣ୍ଡର ଗୁଡିକୁ ଆଗୁଆ ରିଫିଲିଂ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ବାତ୍ୟାର ସମ୍ଭାବନା ଥିଲେ ମଧ୍ୟ ଅନ୍ୟ ରାଜ୍ୟ ଗୁଡିକୁ ପୂର୍ବ ପରି ଅକ୍‌ସିଜେନ ଯୋଗାଣ ଜାରି ରହିବ ବୋଲି ସେ କହିଛନ୍ତି ।

ବୈଠକରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ମାନେ ସେମାନଙ୍କ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ବାଲେଶ୍ୱରରେ ୧୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡାରେ ୯୭୦ଟି ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରି ରଖାଯାଇଛି ବୋଲି ସୂଚନା ଦିଆଯାଇଥିଲା ।  ଏହାସହିତ ଅକ୍‌ସିଜେନ ବ୍ୟବସ୍ଥା, ଉଦ୍ଧାର କାର୍ଯ୍ୟ, ଖାଦ୍ୟ, ଔଷଧ ଆଦି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ । ଗର୍ଭବତୀ ମହିଳା ମାନଙ୍କ ସ୍ଥାନାନ୍ତର ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶ ଦାତା, ପୋଲିସ ଡିଜି ଅଭୟ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପି.କେ ମହାପାତ୍ର, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ, ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.