Latest Odisha News

BREAKING NEWS

ସିନେ ଓଡ଼ିଶା: ସିନେମାରୁ ସାହିତ୍ୟ

ଭାଗ- ୩
୧୯୫୧ରେ ‘ସିନେ ଓଡ଼ିଶା’ ପ୍ରକାଶିତ ହେଲା ବେଳକୁ, ସାହିତ୍ୟ ଆଧାରିତ ପତ୍ରିକା ଓଡ଼ିଶାରେ ଅଧିକ ସଂଖ୍ୟାରେ ପ୍ରକାଶିତ ହେଉଛି । ୧୮୭୩ ମସିହାରେ ବାଲେଶ୍ୱରରୁ ପ୍ରକାଶିତ ମାସିକ ‘ଉତ୍କଳ ଦର୍ପଣ’ ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଥିଲା । ଓଡ଼ିଆ ପତ୍ରିକା ୧୯୦୬ର ‘ମୁକର’ରୁ ୧୯୧୫ର ‘ସତ୍ୟବାଦୀ’, ୧୯୨୦ର ‘ସହକାର’, ୧୯୩୪ର ‘ନବଭାରତ’, ୧୯୩୬ର ‘ଆଧୁନିକ’, ୧୯୩୭ର ‘ଡଗର’, ୧୯୪୫ର ‘ଶଙ୍ଖ’, ୧୯୪୮ର ‘କୁଙ୍କୁମ’, ୧୯୪୯ର ‘ଝଙ୍କାର’ ବାଟ ଦେଇ ୧୯୫୧ରେ ‘ସିନେ ଓଡ଼ିଶା’ ଓ ‘ଆସନ୍ତାକାଲି’ ପର୍ଯ୍ୟନ୍ତ ପ୍ରକାଶନ ମାର୍ଗରେ ମୁଖ୍ୟତଃ ସାହିତ୍ୟ ପତ୍ରିକାକୁ ହିଁ ସ୍ୱୀକରଣ କରିଛି । ଉଲ୍ଲେଖଯୋଗ୍ୟ ଯେ ଏହି ସମୟସୀମା ମଧ୍ୟରେ ‘ସାହିତ୍ୟ ଆଧାର’ ବ୍ୟତୀତ ଅନ୍ୟ ଯେତକ ପତ୍ରିକା ପ୍ରକାଶିତ ହୋଇଛି କେବଳ ହାସ୍ୟରସାତ୍ମକ ‘ନିଆଖୁଂଟା’କୁ ବାଦ ଦେଲେ ଅନ୍ୟସବୁ କ୍ଷୀଣସ୍ଥାୟୀ । ତାହା ୧୯୧୭ର ମହିଳା ପତ୍ରିକା ‘ପରିଚାରକା’ ହେଉ ବା ହେଉ ୧୯୨୦ର ଶିଶୁ କିଶୋର ପତ୍ରିକା ‘ପଞ୍ଚାମୃତ’ ।

‘ସିନେ ଓଡ଼ିଶା’ର ସମୟ ସୀମା ଥିଲା ଆଠ ବର୍ଷ । ୧୯୫୧ରୁ ୧୯୫୮ ପର୍ଯ୍ୟନ୍ତ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ପ୍ରକାଶନ, ଦ୍ୱିତୀୟରେ କଟକରୁ ପ୍ରକାଶନ । କଟକକୁ ଆସିବା ପରେ ‘ସିନେ ଓଡ଼ିଶା’ ବିଶେଷ ଭାବରେ ସାହିତ୍ୟ ଆଧାରିତ ହେଲା ଏବଂ ମନୋରଞ୍ଜନ, ନାଟକ, କଳା ଓ ସିନେମା ଚର୍ଚ୍ଚା ପାଇଁ ପୃଷ୍ଠା କମିଗଲା । ବ୍ରହ୍ମପୁରରୁ ପ୍ରକାଶନ ବେଳେ ନିୟମିତ କଟକ ସମାଚାର ଲେଖୁଥିଲେ ପରବର୍ତ୍ତୀ ସମୟର ଚର୍ଚ୍ଚିତ ଅଭିନେତା ଧୀରେନ୍ଦ୍ର ନାଥ ବିଶ୍ୱାଳ, ବମ୍ବେରୁ ଲେଖୁଥିଲେ ଗଣେଶ ମହାପାତ୍ର ଓ ଦିଲ୍ଲୀରୁ ଯତୀନ ଦାସ, ଯିଏ ଆକାଶବାଣୀର ସମ୍ବାଦ ପାଠକ ଥିଲେ । କେଶବ ମହାରଣା ଭାରତୀୟ ଚଳଚ୍ଚିତ୍ରର ବିଭିନ୍ନ ଦିଗ ଉପରେ ନିୟମିତ ଲେଖୁଥିଲେ । ବ୍ରହ୍ମପୁରରୁ ପ୍ରକାଶନ ବେଳେ ଯେ ‘ସିନେ ଓଡ଼ିଶା’ରେ ସାହିତ୍ୟ ରହୁ ନଥିଲା ତାହା ନୁହେଁ – ରହୁଥିଲା, କିନ୍ତୁ ପୃଷ୍ଠା ସଂଖ୍ୟା ଥିଲା ମାତ୍ର ଚାରିରୁ ଛଅ । ଅଠେଇଶ ପୃଷ୍ଠାର ପତ୍ରିକାରୁ ମାତ୍ର ଚାରି ଛଅ ପୃଷ୍ଠା ସାହିତ୍ୟ ପାଇଁ ବିନିଯୋଗ କରିବା ହେତୁ କଳା, ସଂସ୍କୃତି, ନାଟକ ଓ ସିନେମା ଲେଖା ପ୍ରକାଶନ ପାଇଁ ଯଥେଷ୍ଟ ପୃଷ୍ଠା ଥିଲା । ପ୍ରକୃତ ଅର୍ଥରେ ‘ସିନେମା ପତ୍ରିକା’ର ମର‌୍ୟ୍ୟାଦା ବହନ କରୁଥିଲା ‘ସିନେ ଓଡ଼ିଶା’ । ପତ୍ରିକାର ଉଦ୍ଦେଶ୍ୟ ସମ୍ବନ୍ଧରେ ଜୁଲାଇ-ଅଗଷ୍ଟ ୧୯୫୧ ସଂଖ୍ୟାରେ ‘ନିବେଦନ’ ଶୀର୍ଷକରେ ଉଲ୍ଲେଖ ରହିଛି: ଓଡ଼ିଶାର ଯେଉଁ ପ୍ରସିଦ୍ଧ କଳାକାର, ସଂଗୀତଜ୍ଞ, ରଙ୍ଗମଞ୍ଚର ଅଭିନେତା ଏବଂ ଅଭିନେତ୍ରୀମାନଙ୍କର ଜୀବନୀ, ଚିତ୍ର ଇତ୍ୟାଦି ଯେଉଁମାନେ ସଂଗ୍ରହ କରି ପ୍ରେରଣ କରିବେ, ସେହିଗୁଡ଼ିକୁ ଆଦର ସହ ଗ୍ରହଣ କରି ସିନେ ଓଡ଼ିଶାରେ ପ୍ରକାଶ କରିବା ପାଇଁ ସ୍ଥିର କରାଯାଇଛି । ଓଡ଼ିଶାର ଅତୀତ ଏବଂ ନବ୍ୟକଳାକାର, ଯେଉମାନେ ଅଧୁନା କଳାରେ ପ୍ରବୀଣତା ଥାଇ ମଧ୍ୟ ଲୋକ ନୟନାନ୍ତରାଳରେ ପଡ଼ି ରହିଛନ୍ତି, ସେମାନଙ୍କ ପ୍ରତି ସର୍ବ ସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିବା ହେଉଛି ଆମ୍ଭର ମୁଖ୍ୟ ଉଦ୍ଦେଶ୍ୟ ।

‘ସିନେ ଓଡ଼ିଶା’ରେ ତାହା ହିଁ ହେଉଥିଲା । ରାମଚନ୍ଦ୍ର ମାଣିଆ, କାଶୀନାଥ ସାହୁ, ବିରଞ୍ଚିନାରାୟଣ, ଲୀଳା, ଲକ୍ଷ୍ମୀପ୍ରିୟା, ଭାନୁମତୀ, ବୃନ୍ଦାବନ ପାତ୍ର, ପୂର୍ଣ୍ଣଚନ୍ଦ୍ର ସିଂହ, ବାଲୁଙ୍କେଶ୍ୱର ରଥ, ମାଧବାନନ୍ଦ କର, ଉମାନାଥ ମିଶ୍ର, ପ୍ରିୟନାଥ ମିଶ୍ର, ମେନା, କେଶବ, ଦୁର୍ଲ୍ଲଭଚନ୍ଦ୍ର ସିଂହ ପ୍ରମୁଖ ନାଟ୍ୟ କଳାକାରଙ୍କ ବ୍ୟକ୍ତିତ୍ୱଲେଖ ବିଭିନ୍ନ ସଂଖ୍ୟାରେ ପ୍ରକାଶିତ ହେଉଥିଲା । ଜୁଲାଇ-ଅଗଷ୍ଟ ୧୯୫୧ ସଂଖ୍ୟାରୁ ‘ସିନେ ଓଡ଼ିଶା’ରେ ଆରମ୍ଭ ହେଲା ସାହିତ୍ୟ ପ୍ରକାଶନ । ପତ୍ରିକାରେ ବିଭିନ୍ନ ସିନେମାର ରୋଚକ ସମ୍ବାଦ ପରିବେଷଣ କରୁଥିବା ନାରାୟଣ ପଣ୍ଡାଙ୍କ ଗଳ୍ପ ‘ଶେଷ ଚିଠି’ ପ୍ରକାଶିତ ହେଲା ଏହି ସଂଖ୍ୟାରେ । ଏହା ପରେ ପରେ ‘ସିନେ ଓଡ଼ିଶା’ର ବିଭିନ୍ନ ସଂଖ୍ୟାରେ କବିତା, ଗଳ୍ପ ପ୍ରକାଶିତ ହେଲା । କଣ୍ଡୁରୀ ଚରଣ ଦାସ, ଯୋଗୀନ୍ଦ୍ର ପଟ୍ଟନାୟକ, ରାମାନାଥ ପଣ୍ଡା, ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା. ଯୁଗଳ କିଶୋର ଦତ୍ତ, ଶିବବ୍ରତ ଦାସ, ବିଭୂତି ପଟ୍ଟନାୟକଙ୍କ ସାହିତ୍ୟ ସମ୍ବନ୍ଧିତ ରଚନା ‘ସିନେ ଓଡ଼ିଶା’ରେ ପ୍ରକାଶିତ ହେଲା । ଅଧ୍ୟାପକ ଚିନ୍ତାମଣି ମିଶ୍ରଙ୍କ ‘ଓଡ଼ିଆ ସାହିତ୍ୟରେ ସତ୍ୟବାଦୀ ଯୁଗ’ ଭଳି ପ୍ରବନ୍ଧ ମଧ୍ୟ ସିନେ ପତ୍ରିକା ‘ସିନେ ଓଡ଼ିଶା’ର ପୃଷ୍ଠା ମଣ୍ଡନ କଲା । ତେବେ ବ୍ରହ୍ମପୁରରୁ ପ୍ରକାଶନ ସମୟରେ ପ୍ରଖ୍ୟାତ ସାହିତ୍ୟିକମାନେ ଏଥିରେ ସିନେମା ସମ୍ବନ୍ଧିତ ରଚନା ଲେଖିବା ହିଁ ଆଶ୍ଚର୍ଯ୍ୟଜନକ । ମହାପାତ୍ର ନୀଳମଣି ସାହୁଙ୍କ ‘ଆମ କଥାଚିତ୍ରର କଥା’ରେ ତତ୍କାଳୀନ ଚଳଚ୍ଚିତ୍ରର କାହାଣୀ, ଅଭିନୟ ଓ ସଂଗୀତ ଚର୍ଚ୍ଚା ଯେତିକି ଆମୋଦକର, ଶ୍ରୀରାମଚନ୍ଦ୍ର ଦାଶଙ୍କ ‘ଚଳଚ୍ଚିତ୍ର ନିୟନ୍ତ୍ରଣ’ ଆଲେଖ୍ୟ ଓ କବିଚନ୍ଦ୍ର କାଳୀଚରଣଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଇତିହାସ (୧୯୫୧ ପର୍ଯ୍ୟନ୍ତ) ସେତିକି ତଥ୍ୟଭିତ୍ତିକ ।

‘ସିନେ ଓଡ଼ିଶା’ର ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାର ସମୀକ୍ଷା ଥିଲା ତୀକ୍ଷଣ୍ । ଉଦାହରଣ ସ୍ୱରୂପ ଧୀର ବିଶ୍ୱାଳ ଲେଖିଥିବା ‘ସପ୍ତଶଯ୍ୟା’ର ସମୀକ୍ଷା ଧାର ବେଶ ଦାଢ଼ । ନାଟକ ସମୀକ୍ଷା ମଧ୍ୟ ଥିଲା ସେହିପରି ।

ବ୍ରହ୍ମପୁରରୁ ପ୍ରକାଶନ ସମୟରେ ଆଠମାସ ବନ୍ଦ ରହିବା ପରେ ୧୯୫୮ ମସିହା ଜାନୁଆରି ମାସରୁ ‘ସିନେ ଓଡ଼ିଶା’ ପ୍ରକାଶନ ବକ୍ସି ବଜାର, କଟକକୁ ସ୍ଥାନ୍ତନ୍ତରିତ ହେଲା । ସମ୍ପାଦକ ପରିବର୍ତ୍ତନ ହେଲେ । ଧୀରେନ୍ଦ୍ରନାଥ ବିଶ୍ୱାଳ, ଗୋରାଚାନ୍ଦ ମିଶ୍ର ଓ ରାମକୃଷ୍ଣ ତ୍ରିପାଠୀଙ୍କ ମିଳିତ ପରିଚାଳନାରେ ପତ୍ରିକା ପ୍ରକାଶିତ ହେଲା । ସମ୍ପାଦକୀୟରେ ଘୋଷଣା କରାଗଲା: ‘ସିନେ ଓଡ଼ିଶା’ କେବଳ ଚଳଚ୍ଚିତ୍ର ପତ୍ରିକା ନୁହେଁ, ସାହିତ୍ୟ ପତ୍ରିକା ମଧ୍ୟରେ ଏହା ଅନ୍ୟତମ । କ୍ରମେ ସିନେମା ଅପେକ୍ଷା ସାହିତ୍ୟ ପୃଷ୍ଠା ପତ୍ରିକାରେ ଅଧିକ ରହିଲା । ସେହି ୧୯୫୮ ବର୍ଷ ହିଁ ‘ସିନେ ଓଡ଼ିଶା’ର ଶେଷ ବର୍ଷ! ସପ୍ତମ ବର୍ଷ ଯୁଗ୍ମ ତୃତୀୟ ଓ ଚତୁର୍ଥ ସଂଖ୍ୟା ମାର୍ଚ୍ଚ – ଏପ୍ରିଲ୍ ୧୯୫୮ ଥିଲା ଏହାର ଶେଷ ସଂଖ୍ୟା । ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ‘ସିନେ ଓଡ଼ିଶା’ କ୍ରମେ ସିନେମାରୁ ସାହିତ୍ୟ ପ୍ରତି ଅଧିକ ଢ଼ଳି, ସ୍ଥାନ ପରିବର୍ତ୍ତନ କରି ଶେଷରେ ବନ୍ଦ ହୋଇଗଲା ।

ସେତିକି ବେଳକୁ ଆହୁରି ପାଞ୍ଚଟି ସିନେମା ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଯାଇଛି ଓ କେତେକ ଆରମ୍ଭ ହୋଇ ବନ୍ଦ ବି ହୋଇସାରିଛି । ସେ ସବୁର ଚର୍ଚ୍ଚା ଆର ସଂଖ୍ୟାକୁ! ଏହି ଆଲେଖ୍ୟ ସହ ସଂଯୁକ୍ତ ଛବିରେ ରହିଛି ବ୍ରହ୍ମପୁରୁ ପ୍ରକାଶିତ ‘ସିନେ ଓଡ଼ିଶା’ର ପ୍ରଚ୍ଛଦ ଯେଉଁଥିରେ ଓଡ଼ିଆ ସିନେମା ‘ସପ୍ତଶଯ୍ୟା’ର ସମୀକ୍ଷା ରହିଛି ଓ ଅନ୍ୟଟି କଟକରୁ ପ୍ରକାଶିତ ଏକ ‘ସିନେ ଓଡ଼ିଶା’ର ପ୍ରଚ୍ଛଦ ଛବି ।

କ୍ରମଶଃ…

Leave A Reply

Your email address will not be published.