DAC clears military capability boost:DAC ଦ୍ୱାରା ୧.୧ ଲକ୍ଷ କୋଟି ଟଙ୍କାର ସାମରିକ କ୍ଷମତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ; ୯୮% ସାମଗ୍ରୀ ଭାରତୀୟ ଶିଳ୍ପରୁ…
ନୂଆଦିଲ୍ଲୀ:ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ଆହୁରି ହେବ ମଜବୁତ । ଭାରତର ତିନି ସେନା ବାହିନୀ ପାଇଁ ସର୍ବବୃହତ ସିଷ୍ଟମ୍ ଅପଗ୍ରେଡ୍ ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧.୧୦ ଲକ୍ଷ କୋଟି ଟଙ୍କାର ଏକ ମେଗା ଡିଲ୍ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରକ୍ଷା ଅଧିଗ୍ରହଣ ପରିଷଦ (DAC) ସୋମବାର ଦିନ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ମଞ୍ଜୁରୀ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ଆବଶ୍ୟକତା ପୂରଣ କରିବ। ସୂଚନା ଅନୁଯାୟୀ, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଓ ସ୍ୱଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ ଦେଇ ପ୍ରାୟ ୯୮ ପ୍ରତିଶତ ଯୁଦ୍ଧାସ୍ତ୍ର ଓ ପ୍ରତିରକ୍ଷା ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇ ସେନାରେ ସାମିଲ ହେବ।
ସେନା ପାଇଁ ‘ରାସାୟନିକ, ଜୈବିକ, ବିକିରଣ ଏବଂ ପରମାଣୁ’ (CBRN) ଅନୁସନ୍ଧାନକାରୀ ଯାନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିସହିତ, ନୌସେନା ପାଇଁ ଅତ୍ୟାଧୁନିକ ନଜର ରଖିବା କ୍ଷମତା ସମ୍ପନ୍ନ ‘ଅରୁଧ୍ରା ରାଡାର୍’ (Arudhra radar) କ୍ରୟକୁ ମଧ୍ୟ ଅନୁମୋଦନ ମିଳିଛି। ବାୟୁସେନାର ଯୁଦ୍ଧ ବିମାନଗୁଡ଼ିକର ଯୁଦ୍ଧକ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ଥିବା ପ୍ରସ୍ତାବଗୁଡ଼ିକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।
ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନାକୁ ଶତ୍ରୁପକ୍ଷକୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରିବାର କ୍ଷମତା ରଖୁଥିବା ନଅଟି ଶକ୍ତିଶାଳୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ମିଳିବ ।ଏଥିମଧ୍ୟରେ ରହିଛି ଶତ୍ରୁପକ୍ଷର ରାଡାରକୁ ଅଚଳ କରିଦେଉଥିବା ‘GBMPJ ଜାମର୍’, ଶିକାରୀ ପକ୍ଷୀ ଭଳି ଆକାଶରେ ସ୍ଥିର ରହିପାରୁଥିବା ‘ALH ହେଲିକପ୍ଟର’, ସମୁଦ୍ର ଉପରେ ତୀକ୍ଷ୍ଣ ନଜର ରଖୁଥିବା ‘ଅରୁଧ୍ରା (Arudhra) ରାଡାର’ ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ରାସ୍ତା ସଫା କରିପାରୁଥିବା ‘ଆଣ୍ଟି-ଟ୍ୟାଙ୍କ ମାଇନ୍ ଲେୟାର୍ (MML)’। ଏହି ସମସ୍ତ ଅସ୍ତ୍ରଶସ୍ତ୍ର ବର୍ତ୍ତମାନ ଭାରତର ସୀମାନ୍ତ ଅଞ୍ଚଳରେ ମୁତୟନ କରାଯିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ସୂଚନାଥାଉକି,ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DACର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଭାରତୀୟ ସେନା CBRN ଯାନ, ହେଲିକପ୍ଟର ଏବଂ ବ୍ରିଜ୍ ନିର୍ମାଣ ବ୍ୟବସ୍ଥା (bridging systems) ଗ୍ରହଣ କରିବାକୁ ଯାଉଛି। ସେନା ପାଇଁ DAC ରାସାୟନିକ, ଜୈବିକ, ବିକିରଣ ଏବଂ ପରମାଣୁ (CBRN) ସମ୍ବନ୍ଧୀୟ ଅନୁସନ୍ଧାନକାରୀ ଯାନ, ଉଚ୍ଚ ଗତିଶୀଳତା ବିଶିଷ୍ଟ ଯାନ, ସ୍ୱୟଂ-ଚାଳିତ ଯାନ୍ତ୍ରିକ ମାଇନ୍ ବିଛାଇବା ଯନ୍ତ୍ର (self-propelled mechanical mine layers), ‘ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର’, ଟ୍ୟାଙ୍କ୍-ଆଧାରିତ ମାଇନ୍ ସଫା କରିବା ପ୍ଲୋ (mine-clearing ploughs) ଏବଂ ‘ସର୍ବତ୍ର’ (Sarvatra) ବ୍ରିଜ୍ ବ୍ୟବସ୍ଥା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

