Latest Odisha News

ଅଭାବ ଅନଟନ ଭିତରେ ଦିନ ମଜୁରିଆଙ୍କ ପୁଅ ହେଲେ ଓଏଏସ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ । ବାପା ରବୀନ୍ଦ୍ର ସେଠି ଓ ମାଆ ବାସନ୍ତୀ ସେଠିଙ୍କ ସାନ ପୁଅ ହେଉଛନ୍ତି ମୁନା ସେଠି । ବାପା ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ଗାଁ ଲୋକଙ୍କ ଲୁଗା ପଟା ସଫା କରି ପରିବାର ପୋଷୁଥିଲେ ।

ମୁନା ସାଙ୍ଗ ସାଥି ମାନଙ୍କ ଆର୍ଥିକ ସହଯୋଗରେ ରେଭେନ୍ସାରେ ବାଣିଜ୍ୟରେ ସ୍ନାତକ ପାସ ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପିଜି ପାଇଁ ନାମ ଲେଖାଇ ଥିଲେ । ହେଲେ ସ୍ୱାସ୍ଥ୍ୟଗତ କାରଣରୁ ପିଜି ପରୀକ୍ଷା ଦେଇ ପାରିନଥିଲେ । ଅର୍ଥ ସିନା ପାଠପଢ଼ାରେ ବାଧକ ସାଜିଥଲା ହେଲେ ଭାଗ୍ୟ ମୁନାଙ୍କ ସାଥ୍ ଛାଡ଼ିନଥିଲା  ।ପରେ ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହୋଇଥିଲେ । ୨୦୨୦-୨୧ ମସିହା ସିଭିଲ ସର୍ଭିସ ପରୀକ୍ଷାରେ ୭୬ ତମ ସ୍ଥାନ ହାସଲ କରିଛନ୍ତି ମୁନା ।

ଯାହାକୁ ନେଇ ଗାଁରେ ସାଙ୍ଗ ସାଥୀଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଅଭାବ ଅନଟନ ଭିତରେ ରହି ଛୋଟ ଛୋଟ ପିଲାଙ୍କୁ ଟିଉସନ କରି ଆଜି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି। ନିଜର କଷ୍ଟ ପୂର୍ଣ୍ଣ ଜୀବନକୁ ବେଶ ପାଖରୁ ବୁଝି ପାରିଛନ୍ତି ମୁନା । ଯାହାକି ଆଗାମୀ ଦିନରେ ଓଡିଶା ପ୍ରଶାସନିକ ସେବାରେ ନିଯୁକ୍ତି ପରେ ଲୋକଙ୍କ ସେବା କରିବାକୁ ଗର୍ବ ଅନୁଭବ କରିବେ ବୋଲି ପ୍ରକାଶ କରିଛନ୍ତି ।

Comments are closed.