Latest Odisha News

କବିତା : ଇଜ୍ଜତ

ପ୍ରମୋଦ ପ୍ରଧାନ

ସ୍ୱାଭିମାନର ଡଅଁର ତଳେ
ଡେଉଁଥାଏ ଯେଉଁ ଦମ୍ଭ
ବେଇଜ୍ଜତରେ ନୁହେଁ ଇଜ୍ଜତରେ
ମାପୁଥାଏ ନିଜର କ୍ଷୀପ୍ର ବେଗ
ଗଣୁଥାଏ ନିଶ୍ୱାସ ପ୍ରଶ୍ୱାସ !

ଅଧିକାର,କର୍ତ୍ତବ୍ୟ ଭିତରେ
ହଜେଇଦେଇ ନିଜର ଅହଙ୍କାର
ବାହୁକୁ ପ୍ରସାରୁଥାଏ ଇଜ୍ଜତ
ଆଉ ସାବ୍ୟସ୍ତ କରୁଥାଏ
ବର୍ତ୍ତମାନର ପନ୍ଥା ।

ପାନ୍ଥଶାଳାକୁ ପଛକରି
ଆଗେଇ ଯାଉଥିବା ପାଦର ଗୋଇଠି
ଜିଇଁବାର ଦାଉଣୀ ଫାଶରେ ପେଷିହେଇ
ଖୋଜୁଥାଏ ସଂକଳ୍ପର ସଂକେତକୁ ।

ସମ୍ଭାବନାର ପୃଥିବୀରେ
ପ୍ରତିଜ୍ଞାର ଭାଗଫଳ
କଣ ମହଙ୍ଗା ?

ମାଗିଆଣିବା ଆଳାପରେ
ମାଜିହେଉଥିବା ସଂଳାପରେ
ମୌଳିଆସୁଥିବା ମେକଅପରେ
ମଣିଷ ମୁଠେଇପାରେନା
ଇଜ୍ଜତର ଗଢଣ..!

ଗଢିବାକୁ ହୁଏ ତାକୁ
ଅଦମ୍ୟ ସାହାସର ନିତମ୍ବ
ଏକଯୁଟ କରିବାକୁ ହୁଏ ତାକୁ
ଧୈର୍ଯ୍ୟର ଚାରିଖମ୍ବ
ତିଷ୍ଠିବାକୁ ହେଲେ
ଲଢିବାକୁ ପଡେ
ଇଜ୍ଜତର ଛାଉଣୀରେ
ନିଜସହ ଘମାଘୋଟ ଯୁଦ୍ଧ ।

ଯୁଦ୍ଧରତ ଟୁକୁଡା ଦର୍ପଣରେ
ଖଞ୍ଜିପାରିଲେ ଇଜ୍ଜତର ପ୍ରତିବିମ୍ବ
ଜୀବନ ପାଲଟିଯାଏ ସବୁଜିମା ପଟାଳି
ବାଣ୍ଟୁଥାଏ ଟୋପାଟୋପା ଅମୃତ ।

ଦେବାଶ୍ରମ,ଏଚ୍.ଆଇ.ଜୀ ୪/୧୦୪
କେଶୁରା,ଭୂବନେଶ୍ୱର
ମୋ: ୯୪୩୭୧୮୨୭୮୫

Leave A Reply

Your email address will not be published.