Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଦଇତା ସେବା

ଦେବୀ ପ୍ରସନ୍ନ ନନ୍ଦ

ଶ୍ରୀମନ୍ଦିରର ବୈଚିତ୍ର‌୍ୟମୟ ସେବା ବ୍ୟବସ୍ଥା ମଧ୍ୟରୁ ଗୋଟିଏ ପ୍ରମୁଖ ସେବା ହେଉଛି ଦଇତାସେବା । କେଉଁ ପ୍ରାଚୀନ କାଳରୁ ଆଦିବାସୀ ସଂପ୍ରଦାୟର ଶବର ଭାବେ କୁହାଯାଇଥିବା ଏହି ସେବକମାନେ ସେବାକାର୍ଯ୍ୟ କରି ଆସୁଛନ୍ତି । ‘ବାମଦେବ ସଂହିତା’ରେ ଏମାନଙ୍କୁ ବିଶ୍ୱାବସୁ କୁଳୋଦ୍ଭବ ବୋଲି କୁହାଯାଇଛି । ଏମାନେ ମହାପ୍ରଭୁଙ୍କର ଆଦିସେବକ ବୋଲି ଜଣା । ଶବର ରାଜା ବିଶ୍ୱାବସୁ ଶ୍ରୀଜଗନ୍ନାଥଙ୍କ ପୁର୍ବ ଶିଳାରୂପ ନୀଳମାଧବଙ୍କ ସେବକ ଥିଲେ ବୋଲି ପୁରାଣମାନଙ୍କରେ କୁହାଯାଇଛି । ପୁରାଣର ସେହି କାହାଣୀ ଏବେ ବି ଗତିଶୀଳ । ନବକଳେବର ସମୟରେ ଜଣେ ଦଇତା ବିଶ୍ୱାବସୁ ଏବଂ ପତିମହାପାତ୍ର ଗୋଷ୍ଠୀରୁ ଜଣେ ବିଦ୍ୟାପତି ଭାବେ ବରଣ ହୁଅନ୍ତି । ବନଯାଗ ବେଳେ ଯେଉଁ ଶିବିରରେ ଦଇତା, ପତି ଆଦି ସେବକମାନେ ଅବସ୍ଥାନ କରନ୍ତି ତାହାକୁ ଶବରପଲ୍ଲୀ କୁହାଯାଏ ।

ଦଇତାସେବା ଏକ ପ୍ରମୁଖ ସେବା । ସେମାନେ ଦାରୁବ୍ରହ୍ମଙ୍କୁ ଆକୃତି ଦିଅନ୍ତି । ଅରୂପଙ୍କୁ ରୂପ ଦିଅନ୍ତି । ନିରାକାରଙ୍କୁ ଆକାର ଦିଅନ୍ତି । ଲୋକମୁଖରେ ଏମାନେ ମହାପ୍ରଭୁଙ୍କ ଭାଇବନ୍ଧୁ, ଜ୍ଞାତିକୁଟୁମ୍ବ କାରଣ ଏମାନେ ନବକଳେବର ଅବସରରେ ଶୁଦ୍ଧିକ୍ରିୟା ପାଳନ୍ତି । ମହାଅଣସର ବେଳେ ଘଟ ପରିବର୍ତ୍ତନ ତଥା ପୁରୁଣା ବିଗ୍ରହମାନେ ପାତାଳି ହେବା ପରେ ଏମାନଙ୍କ ଘରେ ଶୁଦ୍ଧି ପାଳନ ହୁଏ । ଏମାନେ ତେଲ ଲଗାଇ ମାର୍କଣ୍ଡ ତୀର୍ଥ ପୁଷ୍କରଣୀ ତୁଠରେ ସ୍ନାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଦାନ କରନ୍ତି । ଆହୁରି କେତେ ନୀତି, ପରମ୍ପରାର ଆଧାରରେ ଶ୍ରୀମନ୍ଦିରରେ ଦଇତାମାନଙ୍କ ସେବାରେ ରହିଛି ସ୍ୱତନ୍ତ୍ରତା ଆଉ ପ୍ରାଧାନ୍ୟ । ଶ୍ରୀବିଗ୍ରହମାନଙ୍କର ଅନେକ ଗୁପ୍ତସେବା ଅଧିକାର ଜରିଆରେ ଦଇତାମାନେ ମହାପ୍ରଭୁଙ୍କ ସାନିଧ୍ୟ ଲାଭକରି ନିଜ ପାର୍ଥିବ ଜୀବନକୁ ଧନ୍ୟ ମନେ କରନ୍ତି । ପୂର୍ଣ୍ଣ ସମର୍ପଣ ଭାବ ତଥା ଅଦମ୍ୟ ନିଷ୍ଠା ସହିତ ଏହି ବର୍ଗର ସେବକ ବର୍ଷର ଗୋଟିଏ ମାସ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା କରିଥାଆନ୍ତି । କେତେକ କ୍ଷେତ୍ରରେ ସେବାରେ ବିଡ଼ମ୍ବନା ବା ଅବହେଳା କାରଣରୁ ଏହା ବହୁ ଚର୍ଚ୍ଚିତ ହେଲେ ମଧ୍ୟ ଏହି ସେବାର ଗୁରୁତ୍ୱ ଯଥେଷ୍ଟ । ଏହି ସେବାର ସ୍ୱତନ୍ତ୍ରତା ବିଷୟରେ ସଂକ୍ଷେପରେ ଏହିଭଳି କେତୋଟି ବିନ୍ଦୁରେ ପ୍ରକାଶ କରାଗଲା ।

– ଦଇତା ସେବା ଏକ ସାମୂହିକ ସେବା ବା ଦଳଗତ ସେବା । ପରିବାରର ସମସ୍ତ ପୁରୁଷ ସଦସ୍ୟ ସେବାର ଅଧିକାରୀ ଭାବରେ ପାଉଣା ବା ପ୍ରାପ୍ୟ ପାଇବାକୁ ହକ୍‌ଦାର । ପୁଅଟିଏ ଜନ୍ମ ହେବାର ଏକୋଇଶି ଦିନ ପରେ ପରିବାରର ବରିଷ୍ଠ ସଦସ୍ୟଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ଅଣାଯାଇ ତାଟି ପ୍ରବେଶ କରି ମହାପ୍ରଭୁଙ୍କ ନିକଟରେ ମୁଣ୍ଡ ଲଗାଇଲେ ସଦସ୍ୟ ଭାବରେ ଗଣାଯାଏ ଏବଂ ସେ ଅଧାଭାଗ ପାଇଥାଏ । ଏବେ ବୟସ ନିର୍ବିଶେଷରେ ଅନ୍ୟୂନ ୧୫୦ରୁ ଅଧିକ ଭାଗୁଆଳି ରହିଛନ୍ତି ।

-ଦଇତା ସେବା ଖଟଣିରେ ଶାଢ଼ିବନ୍ଧା ପ୍ରଥା ନାହିଁ । ବରିଷ୍ଠମାନଙ୍କଠାରୁ ଅନୁଭୂତି ପ୍ରାପ୍ତ ହୋଇ କନିଷ୍ଠମାନେ ଆପେ ଆପେ ସେବାନୀତିର ଅଭିଜ୍ଞତା ହାସଲ କରନ୍ତି ।

-ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଗୋଟିଏ ମାସ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ସେବା ଦଇତାମାନେ କରିଥାଆନ୍ତି । ଏହି କାଳରେ ଅଣସର ଅବସରରେ ଶ୍ରୀବିଗ୍ରହଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଶ୍ରୀଅଙ୍ଗ ସେବା ମଧ୍ୟ ଅନ୍ତର୍ଭୁକ୍ତ ।

– ଶ୍ରୀମନ୍ଦିରରେ ଉକ୍ତ ଏକ ମାସର ଆଧିପତ୍ୟ ଓ ଅଧିକୃତ ସେବାର ଫଳସ୍ୱରୂପ ଦଇତାକୂଳ ଶ୍ରୀମନ୍ଦିରର ସମଗ୍ର ବର୍ଷର ସମସ୍ତ ଆୟ ଆମଦାନୀ ଯଥା ମାହାଲ ନିଲାମ, ଦାନ ଦକ୍ଷିଣା ଓ ମାହାସୁଲ ଇତ୍ୟାଦି ସୂତ୍ରରୁ ଅର୍ଜିତ ରାଜସ୍ୱର ବାରଭାଗରୁ ଏକ ଭାଗ ପ୍ରାପ୍ତ ହୁଅନ୍ତି । ଏହା ବ୍ୟତୀତ ରଥଯାତ୍ରାରେ ଅତିରିକ୍ତ ସେବା ଓ ସଫଳତା ନିମନ୍ତେ ସ୍ୱତନ୍ତ୍ର ପୁରସ୍କାରର ବ୍ୟବସ୍ଥା ମଧ୍ୟ ରହିଛି ।

– ଛତିଶା ନିଯୋଗ ଅନ୍ତର୍ଗତ ଏହି ଦଇତାସେବା ଏକ ନିଯୋଗ ଦ୍ୱାରା ନିୟନ୍ତ୍ରିତ । ଏହା ଏକ ପ୍ରମୁଖ ସେବା ହୋଇଥିବାରୁ ଏହି ନିଯୋଗରୁ ଜଣେ ଅଧିକୃତ ପ୍ରତିନିଧି ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ରହିଥାନ୍ତି । ସଂପ୍ରତି ଏହି ନିଯୋଗରେ ୧୨୦ ଜଣ ସାବାଳକ ସଦସ୍ୟ ରହିଛନ୍ତି ।

-ଏମାନେ ଉଲ୍ଲୁକ ଗୋତ୍ରଧାରୀ ଅଣବ୍ରାହ୍ମଣ ସେବକ (ପତିମହାପାତ୍ରଙ୍କ ବ୍ୟତୀତ) । ଏମାନେ ଆଦିବାସୀମୂଳ ସେବକ ହୋଇଥିଲେ ହେଁ ସଂପ୍ରତି ଏହାଙ୍କର ମୂଳ ସହିତ ଆଉ କୌଣସି ସଂପର୍କ ନାହିଁ । ଏମାନଙ୍କ ଶାରୀରିକ ଆକୃତି ଓ ସାମାଜିକ ଚଳଣି ମଧ୍ୟ କାଳକ୍ରମେ ବହୁ ପରିବର୍ତ୍ତିତ ହୋଇଛି । କନ୍ୟାଦାନ ଓ ଗ୍ରହଣ ପାଇଁ ବିଶେଷ କରି କରଣ ସମାଜ ସହ ସମ୍ବନ୍ଧ ରଖି ଆସିଛନ୍ତି । ଏ କ୍ଷେତ୍ରରେ ମାଦଳା ପାଞ୍ଜିର ବିଶର ମହାନ୍ତି ଉପାଖ୍ୟାନ ସ୍ମରଣଯୋଗ୍ୟ । ଅନ୍ୟ ସେବାୟତଙ୍କ ଭଳି ଦଇତାଙ୍କ ବୈବାହିକ ସଂପର୍କ କେବଳ ଶ୍ରୀକ୍ଷେତ୍ରରେ ସୀମିତ ନଥାଏ ।

-ଦଇତାମାନେ ତିନିବାଡ଼ରେ ବିଭକ୍ତ ହୋଇ ସେବା କଲେ ମଧ୍ୟ ଗୋଷ୍ଠୀଗତ ଭାବେ ପାରସ୍ପରିକ ସହଯୋଗଭିତ୍ତିରେ ସମସ୍ତ କାର୍ଯ୍ୟ ସମାପନ କରିଥାନ୍ତି । ପ୍ରତିବାଡ଼ରେ ଜଣେ ବାଡ଼ଗ୍ରାହୀ ରହିଥାନ୍ତି । ବାଡ଼ଗ୍ରାହୀଙ୍କ ପରାମର୍ଶରେ ଅନ୍ୟ ଭାଇମାନେ କାର୍ଯ୍ୟ କରିଥାନ୍ତି । କୌଣସି ପରିସ୍ଥିତିରେ ସେବାରେ ଖିଲାପ ହେଲେ ଅଥବା କିଛି ଦ୍ୱନ୍ଦ୍ୱ ଉପୁଜିଲେ ବାଡ଼ଗ୍ରାହୀ ଉତ୍ତରଦାୟୀ ରହନ୍ତି ।

କୁଣ୍ଢେଇବେଣ୍ଟ ସାହି, ପୁରୀ ମୋ- ୯୪୩୭୧୬୬୩୬୯

Comments are closed.