Latest Odisha News

BREAKING NEWS

ଦାମ ଗ୍ୟାଙ୍ଗଷ୍ଟର୍ ଟିଟୋ ସହ ଲିଙ୍କ୍ ରଖିଛନ୍ତି: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ଗ୍ୟାଙ୍ଗଷ୍ଟର୍ ଟିଟୋ ସହିତ ପ୍ରତ୍ୟକ୍ଷ ଲିଙ୍କ୍ ଥିବାର ସୋମବାର ଦିନ ଅଭିଯୋଗ କରିଛି ବିଜେଡ଼ି ।

ଗଣମାଧ୍ୟମକୁ ସମ୍ବୋଧିତ କରି ବରିଷ୍ଠ ବିଜେଡ଼ି ନେତା ତଥା ଦଳର ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଅଭିଯୋଗ କରିଛନ୍ତି ଯେ, ଦାମଙ୍କ ପୁଅ ଇଫକୋରେ ନିଜ ଗାଡ଼ିକୁ ତାଙ୍କ ଟ୍ରାନପୋର୍ଟ ବ୍ୟବସାୟ ଲାଗି ନିୟୋଜିତ କରିଛନ୍ତି । “ ଏହି ଘଟଣାର ତଦନ୍ତ କରାଗଲେ ଗ୍ୟାଙ୍ଗଷ୍ଟର ସହିତ ଦାମଙ୍କ ଲିଙ୍କ୍ ସମ୍ପର୍କରେ ପଦାକୁ ଆସିବ । ”ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ସୂର୍ଯ୍ୟ ନାରାୟଣ ପାତ୍ର ।

ସେ ମଧ୍ୟ କହିଛନ୍ତି, ସବୁବେଳେ ଖବରରେ ଆସିବାକୁ ଦାମ ଅନ୍ୟମାନଙ୍କୁ ନିଜ ଇଚ୍ଛାରେ ସମାଲୋଚନା କରିଥାଆନ୍ତି । କିନ୍ତୁ ଦାମଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି, ଅଙ୍ଗନୱାଡ଼ି କର୍ମୀଙ୍କ ସମ୍ପର୍କରେ ଅସଙ୍ଗତ ଶବ୍ଦ ପ୍ରୟୋଗ ହେଉ କି ବ୍ରାହ୍ମଣ ସମ୍ପ୍ରଦାୟ ବିରୋଧରେ ଟିପ୍ପଣୀ ଦେଇଥିବାର ଅନେକ ଅଭିଯୋଗ ରହିଛି । ସେ ଜାତି ଓ ସମ୍ପ୍ରଦାୟ ସମ୍ପର୍କୀୟ ବିବାଦୀୟ ଟିପ୍ପଣୀ ଦେଇ ସମାଜରେ ଜାତି ଜାତି ମଧ୍ୟରେ ବ୍ୟବଧାନ ସୃଷ୍ଟି କରିବାକୁ ଚାହୁଁଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ବିଜେଡ଼ି ନେତା ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଦାମଙ୍କୁ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଦାମ ମନ୍ତ୍ରୀମଣ୍ଡଳରେ ରହିଥିବା ସମୟରେ କାହିଁକି ଏହି ପ୍ରସଙ୍ଗ ଉଠାଇଲେ ନାହିଁ? କାଳେ ତାଙ୍କ ପଦବୀ ହାତରୁ ଖସିଯିବ ସେ ଭୟ କରୁଥିଲେ । “ଯଦି ଅଫିସରମାନେ ତାଙ୍କ କଥା ମାନୁନଥିଲେ ତେବେ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ ଦାମ?” ଦଳରୁ ବହିଷ୍କାର ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ୍ ପ୍ରଶଂସା କରୁଥିଲେ । ଏବେ ଦଳରେ ନଥିବାରୁ ତାଙ୍କ ବିରୋଧରେ ବିଷୋଦଗାର କରିବାକୁ ପଛାଉନାହାନ୍ତି । ତାଙ୍କର ଏପରି ଆଚରଣକୁ ଓଡ଼ିଶାର ଜନସାଧାରଣ କଦାପି ସହ୍ୟ କରିପାରିବେ ନାହିଁ, ବୋଲି କହିଛନ୍ତି ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ।

ଦଳର ଅନ୍ୟତମ ମୁଖପାତ୍ର ସମୀର ଦାଶ ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି, ମଦ ଲାଇସେନ୍ସ ବଣ୍ଟନ ଦୁର୍ନୀତିରେ ଦାମ ବାବୁ ସଂଶ୍ଳିଷ୍ଟ ରହିଛନ୍ତି । “ଦାମ ବାବୁ ଯେତେବେଳେ ଅବକାରୀ ମନ୍ତ୍ରୀ ରହିଥିଲେ, ୯୩ଟି ମଦ ଲାଇସେନ୍ସ ବଣ୍ଟନ କରିଥିଲେ, ଏବଂ ସେଥି ମଧ୍ୟରୁ ୮ଟି ଜଗତସିଂହପୁର ଜିଲ୍ଲାରେ ବଣ୍ଟନ କରିଥିଲେ । ସେଥିରେ କେବଳ ଜଗତସିଂହପୁର ଲାଗି ୩ଟି ଏବଂ ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ପାରାଦ୍ୱୀପ ଲାଗି ୫ଟି ଲାଇସେନ୍ସ ରହିଥିଲା,” ବୋଲି ବିଜେଡ଼ି ମୁଖପାତ୍ର ସମୀର ଦାଶ କହିଛନ୍ତି ।

ଏହାର ଉତ୍ତରରେ ଦାମ କହିଛନ୍ତି, ପାତ୍ର ହେଉଛନ୍ତି ଜଣେ ବିଶୃଙ୍ଖଳିତ ଦୁର୍ନୀତିଗ୍ରସ୍ତ ନେତା । ସେ ତାଙ୍କ ପୁଅ ଲାଗି ନିଜର ନାଆଁକୁ ମଧ୍ୟ ବଦଳାଇ ଦେଇ ପାରନ୍ତି ।

ଗ୍ୟାଙ୍ଗଷ୍ଟର୍ ଟିଟୋ ସହିତ ଲିଙ୍କ ଅଭିଯୋଗର ଉତ୍ତରରେ ଦାମ ଗଣମାଧ୍ୟମକୁ କହିଛନ୍ତି, ପାତ୍ରଙ୍କ ଏହି ଅଭିଯୋଗ ଅନୁସାରେ ସିବିଆଇ ହେଉ କି ଇଣ୍ଟରପୋଲରେ ତଦନ୍ତ କରାଯାଉ ତେବେ ସଠିକ କଥା ଜଣାପଡ଼ିବ ।

ସମୀର ଦାଶଙ୍କ ମଦ ଲାଇସେନ୍ସ ବଣ୍ଟନ ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଉତ୍ତର ରଖି ଦାମ କହିଛନ୍ତି, ଦଳର ସୁପ୍ରିମୋ ମୋତେ ଅବକାରୀ ବିଭାଗ ପ୍ରଦାନ କରିଥିଲେ ଯେପରି ମଦମୃତ୍ୟୁ ଘଟଣା ଘଟିଲେ ମୁଁ ଇସ୍ତଫା ପ୍ରଦାନ କରିଥାଆନ୍ତି । “କିନ୍ତୁ ତାଙ୍କର ଏହା ଦୁର୍ଭାଗ୍ୟ ଯେ, ମୁଁ ୩ ବର୍ଷ ଅବକାରୀ ମନ୍ତ୍ରୀ ଥିବା ସମୟରେ ସେପରି କିଛି ଦୁର୍ଘଟଣା ଘଟିନଥିଲା ।” ଏହି କଥା ଗଣମାଧ୍ୟମକୁ କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।

ସେ ମଧ୍ୟ କହିଛନ୍ତି ମୋ ସମୟରେ ଅବକାରୀ ବିଭାଗର ରାଜସ୍ୱ ୧୪୦୦ କୋଟି ଟଙ୍କାରୁ ୨୮୦୦ କୋଟି ଟଙ୍କାକୁ ବୃଦ୍ଧି ଘଟିଥିଲା ।

ସେହିପରି ଦାମ ସମୀର ଦାଶଙ୍କୁ ଇଙ୍ଗୀତ କରି କହିଛନ୍ତି, ନିମାପଡ଼ା ବିଧାୟକ ଜଣକ ଟିକଟ ହାସଲ କରିବା ଲାଗି ନିର୍ବାଚନରେ ପ୍ରାର୍ଥୀ ହେବାକୁ ସେତେବେଳେ ମନ୍ତ୍ରୀ ଥିବା କଳ୍ପତରୁ ଦାସଙ୍କୁ କେତେ ଟଙ୍କା ଦେଇଥିଲେ ବୋଲି ପ୍ରଶ୍ନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଇସାରା କରି ଦାମ କହିଛନ୍ତି, ସେତେବେଳେ ବିଜୁ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ ଅଫିସର ମାନଙ୍କୁ ଗୋଡ଼େଇ ପିଟିବା କଥା କହୁଥିଲେ କିନ୍ତୁ ଏବେ ଦୁର୍ନୀତିଗ୍ରସ୍ତଙ୍କୁ ନିଜ ଛାୟାତଳେ ଆଶ୍ରୟ ଦେଇଛନ୍ତି । ଦାମ ଗଣମାଧ୍ୟମକୁ ଏହା କହିଛନ୍ତି ।

Leave A Reply

Your email address will not be published.