Latest Odisha News

ମହାପ୍ରଭୁଙ୍କୁ କାହିଁକି ଲାଗି ହୁଏ ଦଶମୂଳ ମୋଦକ ?

ପୁରୀ: ଅଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଓଷୁଅ ଲାଗି ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଗତକାଲି ଶେଷ ହୋଇଛି ଚାରି ଦିନିଆ ଓଷ ଲାଗି ଉପଚାର । ଆଜି ଦଶମୀ ତିଥିରେ ଲାଗି ହେବ ଦଶମୂଳ ମୋଦକ । ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଡ଼ଦେଉଳକୁ ପଠାଯିବ ।

ଏହାପରେ ଶ୍ରୀଜିଉମାନଙ୍କର ଚକା ବିଜେ ନୀତି ଅନୁଷ୍ଠିତ ହେବ । ସୁସ୍ଥ ହେବା ପରେ ଚକା ଉପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ ହେବା ସ୍ଥିତି ମହାପ୍ରଭୁଙ୍କ ସୁସ୍ଥତାର ପରିଚୟ ଦେଇଛି ।

ଶ୍ରୀମନ୍ଦିର ବୈଦ୍ୟ ମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧୀ ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି । ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର, ଭାଙ୍ଗ ଆଦି ପ୍ରାକୃତିକ ଜଟିବୁଟି ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ଔଷଧ ପ୍ରସ୍ତୁତ ହୋଇଥାଏ ।

ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି କରାଯିବ । ଅନବସରରେ ଥିବା ଶ୍ରୀଜିଉମାନଙ୍କର ଶ୍ରୀଅଙ୍ଗରେ ଦଇତାପତି ସେବାୟତମାନେ ଖଳି ସହିତ ରକ୍ତବସ୍ତ୍ର ଲାଗି କରିବେ । ଏହାପରେ ପ୍ରଥମ କରି ଅଣସରରେ ଥିବା ମହାପ୍ରଭୁଙ୍କୁ ତୁଳସୀ ଲାଗି କରାଯିବ ।

ମହାପ୍ରଭୁଙ୍କୁ ଚନ୍ଦନ ଲାଗି ସହିତ ନୂଆ ଖଣ୍ଡୁଆ ମଧ୍ୟ ଲାଗି କରାଯିବ । ଦଶମୂଳ ଲାଗି ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ସବୁ ଉପଚାର ପରେ ଚତୁର୍ଦ୍ଦଶୀ ତିଥିରେ ବନକ ଲାଗି ପରେ ଶ୍ରୀବିଗ୍ରହଙ୍କ ନବଯୌବନ ପ୍ରାପ୍ତି ଓ ନେତ୍ରୋତ୍ସବ ନୀତି ପାଳନ କରାଯିବ ।

Leave A Reply

Your email address will not be published.