Latest Odisha News

BREAKING NEWS

୪ ଦିନ ହେଲା ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ

ରାଜନଗର: ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ । ଦୀର୍ଘ ୪ ଦିନ ହେବ ଉଭୟଙ୍କ ମୃତଦେହ ପଡିଛି ରହିଛି । ଗ୍ରାବବାସୀ ଶବସତ୍କାର କରୁନଥିବାରୁ ସେଥିରୁ ଦୁର୍ଗନ୍ଧ ମଧ୍ୟ ବାହାରିଲାଣି । ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଚଂଳରେ ମହୁଲିଆ ମାଣପଡ଼ାରେ ।

ତେବେ କେଉଁ ପରିସ୍ଥିତିରେ ମା’-ଝିଅଙ୍କ ମୃତ୍ୟୁ ହୋଇଛି ସେ ନେଇ ରାଜନଗର ପୋଲିସ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ପରେ ମୃତ ଝିଅ ପେଟରୁ ଏକ ଶିଶୁ ଭ୍ରୁଣ ବାହାରିବାରୁ ପୋଲିସ ଝିଅର ମାମୁକୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ମୃତ ମହିଳା ନିଜ ସ୍ୱାମୀ ଓ ୨ ଝିଅଙ୍କ ସହ ବାପ ଘର ଗାଁରେ ରୁହନ୍ତି । ଗତ ଶନିବାର ମହିଳାଜଣକ କେଉଁଆଡେ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ହଂସୁଆ ନଦୀପଠାରୁ ଚପଲ ଓ ମୋବାଇଲ ପାଇଥିଲେ । ଏନେଇ ମହିଳାଙ୍କ ବଡ ଝିଅ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲା । ଏହା ପରଦିନ ମହିଳାଙ୍କ ମୃତଦେହକୁ ପୋଲିସ ନଦୀରୁ ଉଦ୍ଧାର ହୋଇଥିଲା ।

ତେବେ ସବୁଠାରୁ ବଡ କଥା ହେଉଛି ମା’ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିବା ଝିଅର ମୃତଦେହ ତା’ପରଦିନ ଗାଁ ପୋଖରୀରୁ ମିଳିଥିଲା । ମୃତ ଯୁବତୀଙ୍କ ବାପା ଏନେଇ ଅଭିଯୋଗ ପରେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ବାରମ୍ବାର ବୁଝାଇବା ସତ୍ତ୍ୱେ ଗ୍ରାମବାସୀ ଶବସତ୍କାର କରୁନଥିବାରୁ ମା’-ଝିଅଙ୍କ ମୃତଦେହ ଗାଁ ଦାଣ୍ଡରେ ପଡି ରହିଛି ।

Leave A Reply

Your email address will not be published.