ଦିଗପହଣ୍ଡି:ଶୁକ୍ରବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ବ୍ୟାଗ ଭିତରୁ ମିଳିଲା ଚନ୍ଦନ କାଠ । ବାଇକ୍ ଚାଳକଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ । ସେମାନେ ଉକ୍ତ ଚନ୍ଦନ କାଠ କୁ ବିକ୍ରି ପାଇଁ ନେଉଥିଲେ ବୋଲି ପୋଲିସ ନିକଟରେ ବୟାନ ଦେଇଥିଲେ।ଜବତ ଚନ୍ଦନ କାଠକୁ ଓଜନ କରିବାରୁ ତାହା ୪.୫୬୫ କେ.ଜି ହୋଇଥିଲା।
ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲା ରାୟଗଡ଼ ଥାନା ସଅଗାଁ ର ଦେବେଶ୍ୱର କାର୍ଜି(୨୧), କୁଶ କାର୍ଜି(୪୨) ଏବଂ ଲବ କାର୍ଜି (୪୨)।
ସୂଚନାଥାଉକି, ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ସଦଳବଳେ ଚିକିଟି,କୃଷ୍ଣପୁର,ଲିଆଖାଇ, ଧାନଘର ଛକ ଇଲାକାରେ ଶୁକ୍ରବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିଲେ । ଏହିସମୟରେ କୃଷ୍ଣପୁର ଗାଁ ନିକଟରେ ଦ୍ରୁତଗତି ରେ ଯାଉଥିବା ଏକ ବଜାଜ ଡିସ୍କଭର ବାଇକ୍ (ନଂ.ଏପି୩୧ ସିକେ -୩୯୨୭) କୁ ଅଟକାଇ ଖାନ୍ ତଲାସି କରିବାରୁ ଏକ ଜରି ବ୍ୟାଗ ଭିତରେ ଚନ୍ଦନ କାଠ ଥିବା ଜଣାପଡ଼ିଥିଲା ଏନେଇ ବାଇକ୍ ଚାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା।
ଚିକିଟି ଫାଣ୍ଡି ଅଧିକାରୀ କେ.ନୂଆଗାଁ ଥାନାରେ ଏତଲା ଦେବାପରେ ଆଇଆଇସି ବିଶ୍ୱଜିତ ନାୟକ ମାମଲା ନଂ.୩୮୧/୨୬ ବିଏନ୍ଏସ ର ଦଫା -୩୦୩(୨) ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ ।
ପରେ ଅଭିଯୁକ୍ତ ମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା-୩୫(୩) ଅନୁଯାୟୀ ନୋଟିସ ଦିଆଯିବା ସହ କୋର୍ଟ ରେ ହାଜର ହେବା ନେଇ ଶୁକ୍ରବାର ରାତି ପ୍ରାୟ ୧ ଟାରେ ସର୍ତ୍ତ ମୂଳକ ଜାମିନରେ ଛଡାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି ।
