Latest Odisha News

BREAKING NEWS

ଚାଷୀ-କେନ୍ଦ୍ର ଷଷ୍ଠ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ- କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହୋଇଥିବା ଏହି ଆଲୋଚନାରେ ଚାଷୀଙ୍କ ୨ଟି ଦାବି ପ୍ରତି କେନ୍ଦ୍ର ସରକାର ବିଚାର କରିବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି । ସେହି ୨ଟି ଦାବି ହେଲା ବିଦ୍ୟୁତ ସଂଶୋଧନ ବିଲ୍ ଓ ନଡା ପୋଡିବା ସଂପର୍କିତ ଆଇନ ।

କିନ୍ତୁ ଚାଷୀଙ୍କୁ ପରୋକ୍ଷରେ କେନ୍ଦ୍ର ସରକାର ଜଣାଇ ଦେଇଛନ୍ତି କୃଷି ଆଇନ ପ୍ରତ୍ୟାହାର ହେବାର ସମ୍ଭାବନା କମ୍ । କୌଣସି ଆଇନକୁ ପୁରାପୁରି ପ୍ରତ୍ୟାହାର କରିବା ଏକ ବହୁତ ଲମ୍ବା ପ୍ରକ୍ରିୟା ବୋଲି ବୈଠକରେ କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଥିବା ସୂଚନା ମିଳିଛି ।

ତାଛଡା ଚାଷୀଙ୍କ ଦାବି ପ୍ରତି ବିଚାର କରିବାକୁ ଏକ କମିଟି ଗଠନ କରିବାକୁ ମଧ୍ୟ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ରର ପ୍ରସ୍ତାବ ଉପରେ ଚାଷୀ ସଂଗଠନଗୁଡିକ ଆଲୋଚନା କରି ସରକାରଙ୍କୁ ଜଣାଇବେ ।

ଆଲୋଚନା ପରେ କ୍ରାନ୍ତିକାରୀ କିଷାନ ସଂଘର ସଭାପତି ଦର୍ଶନ ପାଲ କହିଛନ୍ତି, ମୁଖ୍ୟ ଦାବି ୩ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ଏବେ ବି ଅଚଳାବସ୍ଥା ଜାରି ରହିଛି । ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ମଧ୍ୟ ସହମତି ହୋଇ ପାରିନାହିିଁ । ଯଦିଓ ଆଜିର ଆଲୋଚନା ସକରାତ୍ମକ ଥିଲା, ତେବେ ଏବେ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଚାଷୀ ସଂଗଠନଗୁଡିକ କହିଛନ୍ତି ।

ଜାନୁଆରି ୪ ତାରିଖ ଅପରାହ୍ନ ୨ଟାରେ ପୁଣି ଥରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରିବାକୁ ସମୟ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.