ମୃତ୍ୟୁର ବର୍ଷେ ପରେ ମନମୋହନ ମହାପାତ୍ର ଓ ଓଡିଆ ସିନେମାର ବାସ୍ତବ ଚେହେରା

ମୃତ୍ୟୁ ପରେ ସେ ଅଧିକ ପ୍ରାଣବନ୍ତ ଲାଗୁଛନ୍ତି। ହୁଏତ ଏମିତି ହୋଇପାରେ ଯେ, ସେ ଯେଉଁ ସିନେମା ତିଆରି କରିଥିଲେ, ତାହା ତାଙ୍କ ଜୀବନକାଳରେ ହୁଏତ, ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାଇଁ, କିନ୍ତୁ ଦିନେ ନା ଦିନେ ସେ ସିନେମା ଲୋକଙ୍କ ପାଖରେ ପହଞ୍ଚିବ। କାରଣ ସେ ସିନେମା ତିଆରି କରିଥିଲେ। ସିନେମା ନାଁରେ ଶସ୍ତା ଚିତ୍ର ତିଆରି କରିନଥିଲେ। ସେ ବଞ୍ଚିଥିଲା ବେଳେ ତାଙ୍କୁ ଆମେକେହି ଚିହ୍ନି ନଥିଲୁ। ସେ ଚମତ୍କାର ସିନେମା ତିଆରି କରୁଥିଲେ ଓ ଜାତୀୟ ପୁରସ୍କାର ପାଉଥିଲେ। ସେ ସିନେମା ଆମଲାଗି କୌଣସି କାମର ନଥିଲା। କାରଣ ଆମର ମାନସିକ ରୁଚି ଓ ସ୍ଵାଦ ବିକୃତ ହୋଇ ସାରିଥିଲା। ସେଇ ବିକୃତି କୁ ସୁହାଇଲା ଭଳି ସିନେମା ସେ କରି ନଥିଲେ, ତେଣୁ ତାଙ୍କୁ ଆମେ ଟେଲିଭିଜନ ପରଦାରେ ସେଲିବ୍ରିଟି ଭାବେ ଦେଖି ନଥିଲୁ। ଚୁପଚାପ ଓଡିଆ ଭାଷାରେ ସବୁଠୁ ସୁନ୍ଦର, ମୌଳିକ ଓ ଯାଦୁକରୀ ସିନେମା ତିଆରି କରି ସେ ଚାଲିଗଲେ। ମଲାପରେ, ତାଙ୍କୁ ପଦ୍ମଶ୍ରୀ ମିଳିଲା। ଏବେ ତାଙ୍କ ସିନେମା ଭାରତୀୟ ପାନୋରମାରେ ସାମିଲ ହୋଇଛି। ମୁଁ ନିହାତି ଆଶାବାଦୀ ଯେ, କେବେ ନା କେବେ ଓଡିଆ ଲୋକେ ତାଙ୍କ ସିନେମା ଖୋଜି ଖୋଜି ଦେଖିବେ। କାରଣ ତାଙ୍କ ସିନେମା ହିଁ ଓଡିଶାର ବାସ୍ତବ ସିନେମା। ହଁ, ମୁଁ ମନମୋହନ ମହାପାତ୍ରଙ୍କ କଥା କହୁଛି। ଆଜି ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀ। ଆଜି ସେ ମୃତ୍ୟୁ ପରେ ବି ବୃହତ୍ତର ସିନେମା ଜଗତ ସହିତ ରହିଛନ୍ତି। ସେ ସେତେଦିନ ଯାଏଁ ରହିବେ, ଯେତେଦିନ ଯାଏଁ ସିନେମା ଥିବ।

ମନମୋହନ ମହାପାତ୍ର ଏମିତି ଏକ ରାଜ୍ୟରେ ମୌଳିକ ସିନେମା ତିଆରି କରୁଥିଲେ, ଯେଉଁଠି ଆଜି ମଧ୍ୟ ସିନେମା କହିଲେ ଆମେ ଦ୍ଵିଅର୍ଥବୋଧକ ସଂଳାପ ଓ ମେଲୋଡ୍ରାମାକୁ ବୁଝିଥାଉ। ଏବେବି ନିରର୍ଥକ ପ୍ରଳାପ ଆମ ମୁଖ୍ୟ ଧାରାର ସିନେମାକୁ ମାଡି ବସିଛି। ସେଥିଲାଗି ମନମୋହନ ମହାପାତ୍ର ଓ ନୀରଦ ମହାପାତ୍ରଙ୍କ ପଛରେ ଆମେ ଗୋଟେ ନୂଆ ଶବ୍ଦ ଯୋଡିଦେଲୁ- ସମାନ୍ତରାଳ ସିନେମାର ନିର୍ମାତା। ସିନେମା ତ ସିନେମା- ସମାନ୍ତରାଳ ସିନେମା ପୁଣି କଣ? କେହି କେହି ସମାନ୍ତରାଳ ସିନେମାକୁ ନେଇ ନିର୍ଲଜ ଭାବରେ କହନ୍ତି- ସେଇ ସିନେମା ଯାହାକୁ ଲୋକ ଦେଖନ୍ତି ନାହିଁ, କିନ୍ତୁ ସେସବୁ ଭଲ ପୁରସ୍କାର ପାଏ। ଏହାହିଁ ଆମ ସମୟର ଦୁର୍ଭାଗ୍ୟ। ଭଲ ସିନେମା ଦେଖିବା, ଭଲ ଗୀତକୁ ଶୁଣିବା, ଭଲ ଚିତ୍ରକୁ ବୁଝିବା ଓ ଭଲ ସାହିତ୍ୟକୁ ପଢିବାର ପ୍ରବଣତା ଆମର ନଥାଏ। ଅଥଚ ଆମେ ଛାତି ଫୁଲେଇ କହୁ, ଆମର ଉତ୍କର୍ଷ କଳାର ଦେଶ। ଯଦି ଉତ୍କର୍ଷ କଳାର ଦେଶ ଆମର ହୋଇଥାନ୍ତା, ତାହେଲେ ମନମୋହନ ମହାପାତ୍ର ଏ ରାଜ୍ୟର ସବୁଠୁ ବଡ ସେଲେବ୍ରିଟି ହୋଇଥାନ୍ତେ। “ଶୀତରାତି” , “କ୍ଳାନ୍ତ ଅପରାହ୍ନ” “ମଝି ପାହାଚ” ଭଳି ସିନେମା ଓଡିଶାର ସବୁଠୁ ଅଧିକ ଦେଖା ହୋଇଥିବା ସିନେମା ରୂପେ ବିବେଚିତ ହୋଇଥାନ୍ତା।

ମନମୋହନ ମହାପାତ୍ରଙ୍କ ମୃତ୍ୟୁରେ ଓଡିଶାରେ ସେମିତି କିଛି ଶୂନ୍ୟସ୍ଥାନ ଆମେ ଅନୁଭବ କରିନୁ। ତାର କାରଣ ଆମେ ତାଙ୍କୁ ଦେଖିନଥିଲୁ କି ଚିହ୍ନି ନଥିଲୁ। ଯେମିତି ବଙ୍ଗଳା ଚିହ୍ନିଥିଲା ସତ୍ୟଜିତ ରାୟ, ମୃଣାଳ ସେନ, ଋତୁପର୍ଣ୍ଣ ଘୋଷମାନଙ୍କୁ। ଆମ ଲାଗି ନୀରଦ ମହାପାତ୍ର ଓ ମନମୋହନ ମହାପାତ୍ର ପ୍ରାୟ ଅଚିହ୍ନା।  ନା, ଆମକୁ ସିନେମା ଦେଖି ଆସେନା। ଆମର ରୁଚି ଦାରିଦ୍ର୍ୟ ପ୍ରବଳ। ତେଣୁ ଆମେ ମନମୋହନ ମହାପାତ୍ରଙ୍କ ସିନେମାର ଭାଷାକୁ ବୁଝି ପାରୁନା। ମଧ୍ୟବିତ୍ତ ଜୀବନର ସଙ୍କଟ ଓ ପୀଡାକୁ ନେଇ ମନମୋହନ ମହାପାତ୍ର ତାଙ୍କ ସିନେମାର ଜଗତ ତିଆରି କରିଥିଲେ। ସେ ଜଗତରେ ବାସ୍ତବତା କେତେବେଳେ କାହାଣୀ ହୋଇଯାଏ ତ ପୁଣି କେବେ କାହାଣୀ ଭିତରୁ ବାସ୍ତବତାର ଚିତ୍ର ବିଛେଇ ହୋଇପଡେ। ଛାଇ ଆଲୁଅର ଖେଳ ଭିତରେ ଜୀବନର ବହୁ ପ୍ରକାର ବିମ୍ବରେ କବିତା ରଚନା କରିବାର ସାମର୍ଥ୍ୟ ମନମୋହନ ମହାପାତ୍ରଙ୍କ ସିନେମାରେ ରହିଥିଲା। ସେ ସିନେମା କୁ ଭଲ ନପାଇ ପାରିବା, ଗୋଟେ ସମାଜର ଟ୍ରାଜେଡି। ସେଥିରେ ଶିଳ୍ପୀର କୌଣସି ଅସୁବିଧା ନାହିଁ।

ମନମୋହନ ମହାପାତ୍ର ଗୋଟେ ଅଗନା ଅଗନି ବନସ୍ତ ଭିତରେ କିଛି ଚମତ୍କାର ଛବି ଛାଡି ଯାଇଛନ୍ତି। ସେସବୁ ଦିନେ ଲୋକଙ୍କ ଆଖିରେ ପଡିବ ଓ ଇତିହାସ ନିଶ୍ଚୟ କହିବ ଯେ, ଓଡିଶାରେ କେହି ଜଣେ ମନମୋହନ ମହାପାତ୍ର ଥିଲେ, ଯାହାଙ୍କୁ ସମୟ ମାରି ପାରିନାହିଁ!!