Latest Odisha News

BREAKING NEWS

ମାଉଣ୍ଟ ଏଭରେଷ୍ଟ ଚଢୁଥିଲେ, ବସିଥିବା ଅବସ୍ଥାରେ ଉଡ଼ିଗଲା ପ୍ରାଣବାୟୁ

ପର୍ବତାରୋହଣର ସୁଉଚ୍ଚ ସ୍ୱପ୍ନ ସାକାର କରିବାକୁ ଆସୁଥିବା ପର୍ବତାରୋହଣକାରୀଙ୍କ ନେପାଳି ସହାୟକ ସର୍ବଦା ଜୀବନକୁ ବାଜି ଲଗେଇ ଦିଅନ୍ତି

କାଠମାଣ୍ଡୁ: ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ବେଳେ ଚଳିତ ଋତୁରେ ପ୍ରଥମ ମୃତ୍ୟୁ ଘଟିଛି । ଆରୋହଣକାରୀ ଜଣକ ବସିଥିବା ଅବସ୍ଥାରେ ତାଙ୍କ ପ୍ରାଣ ଚାଲିଯାଇଛି । ମୂଳ କ୍ୟାମ୍ପରୁ କ୍ୟାମ୍ପ-୧ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ନେପାଲ ସୋଲୁଖୁମ୍ବୁର ୱାକୁ ଅଞ୍ଚଳର ନିମା ତେଞ୍ଜି ସରପା । କ୍ୟାମ୍ପ-୧ରେ ପହଞ୍ଚିବା ଆଗରୁ ବାଟରେ ଗୋଟିଏ ସ୍ଥାନରେ ସେ ବିଶ୍ରାମ ପାଇଁ ଅଟକିଥିଲେ । ତେବେ ସେତେବେଳେ ସର୍ବୋଚ୍ଚ ଗିରିଶୃଙ୍ଗ ଉପରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଛି ।

ପାଖାପାଖି ଭୋର ୪ଟା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ନିମା ତେଞ୍ଜି ‘ଇଣ୍ଟରନ୍ୟାଶନାଲ ମାଉଣ୍ଟେନ ଗାଇଡସ୍’ରେ କାର୍ଯ୍ୟ କରୁଥିଲେ । ଜଣେ ବିଦେଶୀ ଆରୋହଣକାରୀଙ୍କ ଜିନିଷ ପତ୍ର ତଳ କ୍ୟାମ୍ପରୁ ଉପର କ୍ୟାମ୍ପ କୁ ବୋହି ନେଉଥିଲେ ନିମା । ମୃତକଙ୍କ ପ୍ରଥମଦର୍ଶୀ ତାଙ୍କୁ କାନ୍ଧରେ ବ୍ୟାଗ୍ ପକାଇ ବସିଥିବାର ଦେଖିଥିଲେ । ସେତେବେଳକୁ ନିମା ଆଉ ନଥିଲେ ।

ତେବେ ଏହି ସମୟରେ ମୋଟ୍ ୧୧ ଜଣ ଗାଇଡ଼୍ ଜିନିଷ ବୋହୁଥିଲେ ବୋଲି ‘ଆଇଏମଜି’ ପକ୍ଷରୁ ସୂଚନା ମିଳିଛି । ଖବର ଲେଖା ହେବା ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନି । କିନ୍ତୁ ମାତ୍ରାଧିକ ଉଚ୍ଚତା ଜନିତ କିଛି ପ୍ରତିକ୍ରିୟାରୁ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ।

ପ୍ରତିବର୍ଷ ମାଉଣ୍ଟ ଏଭରେଷ୍ଟରେ ହେଉଥିବା ମୃତ୍ୟୁର ଏକ ତୃତୀୟାଂଶ ନେପାଳି ଅଟନ୍ତି । ବିଶ୍ୱ ସାରାର ପର୍ବତାରୋହଣକାରୀଙ୍କ ସ୍ୱପ୍ନ ସାକାର କରିବା ପାଇଁ ସର୍ବଦା ସେମାନେ ଗାଇଡ୍ ଏବଂ କୁଲି ଭାବେ ସାଥିରେ ଥାଆନ୍ତି ।

ଏଇ ଋତୁରେ ପ୍ରାୟ ୨୫୦ରୁ ଅଧିକ ପର୍ବତାରୋହଣକାରୀ ମାଉଣ୍ଟ ଏଭରେଷ୍ଟ ଚଢ଼ିବାକୁ ରେଜିଷ୍ଟର କରିଛନ୍ତି । ଏଥିପାଇଁ ସାଗରମାଥା ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଏଥିପାଇଁ ସତର୍କତା ଜାରି କରିଛି । ସତର୍କତା ଗୁଡ଼ିକ ହେଉଛ; ୧- କୌଣସି ବି ଲ୍ୟାଡରରେ ଥରେ ଜଣେ ହିଁ ଆରୋହଣକାରୀ ଯିବେ । ୨- ଲ୍ୟାଡରରେ ଓଭରଲୋଡ ନ କରିବା ପାଇଁ ସୀମିତ ଲଗେଜ ନିଆଯିବ । ୩- ଲ୍ୟାଡରରେ ଥିବା ସମୟରେ ସେଫଟି ରୋପ୍ କୁ କ୍ଲିପ କରିବାକୁ କୁହାଯାଇଛି ।

Comments are closed.