ନୂଆଦିଲ୍ଲୀ: ବିଷ ବଞ୍ଚାଇବ ଜୀବନ?
ବୁନ୍ଦାଏ ବିଷକୁ ଲକ୍ଷ ଲକ୍ଷ ଟଙ୍କା!
ବିଷ… ଯାହାକୁ ଲୋକେ ଜୀବନ ହାରିବା ପାଇଁ ଖାଆନ୍ତି, ଯାହାର ଟିକିଏ ବି ମାତ୍ରା ଆମ ଶରୀର ପାଇଁ ମରଣାନ୍ତକ ହୋଇପାରେ, ସେହି ବିଷ ଏବେ ଜୀବନ ବଞ୍ଚାଇବ! ଆଉ ଏହି ବିଷର ଦାମ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ମୂଲ୍ୟ ସୁନା ଓ ହୀରା, ଏମିତି କି ଜୀବନ ଠାରୁ ମଧ୍ୟ ଅଧିକ ବୋଲି ଦାବି କରାଯାଉଛି । ଏହା ହେଉଛି ଡେଥଷ୍ଟକର୍ ସ୍କର୍ପିଅନ୍, ଅର୍ଥାତ୍ ଏକ ବିଶେଷ ପ୍ରଜାତିର ବିଛାର ବିଷ। ଏହି ବିଛାର ବିଷର ଦାମ୍ କୋଟି କୋଟି ଟଙ୍କା । ଏହି ବିଛା ମୁଖ୍ୟତଃ ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟର କିଛି ଅଞ୍ଚଳରେ ମିଳିଥାଏ। ଏହାର ବିଷ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସବୁଠୁ ବଡ କଥା ହେଉଛି ଏଥିରେ ବିଭିନ୍ନ ପ୍ରୋଟିନ୍ ଓ ପେପ୍ଟାଇଡ୍ ଥାଏ।
ରିପୋର୍ଟ ଅନୁସାରେ, ଏହି ବିଷର ଆନୁମାନିକ ମୂଲ୍ୟ ପ୍ରତି ଲିଟରରେ ପ୍ରାୟ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କୁହାଯାଇଛି। ତେବେ ଏହାର ଏତେ ଦାମ ହେବାର ସବୁଠାରୁ ବଡ଼ କାରଣ ହେଉଛି, ଏହା ଅତ୍ୟନ୍ତ କମ୍ ପରିମାଣରେ ମିଳେ। ଗୋଟିଏ ବିଛାରୁ ଏକାଥରରେ ହାରାହାରି ମାତ୍ର ୦.୦୦୬ ମିଲିଲିଟର ବିଷ ମିଳିପାରେ। ଅର୍ଥାତ୍ ବହୁତ ପରିମାଣର ବିଷ ସଂଗ୍ରହ କରିବା ପାଇଁ ବହୁ ସଂଖ୍ୟକ ବିଛା ଆବଶ୍ୟକ ହୋଇପାରେ।
ବିଛାର ବିଷ ସଂଗ୍ରହ କରିବା ପାଇଁ ଏହାକୁ ହାତରେ ‘ମିଲ୍କିଂ’ କରାଯାଏ। ଏହି ପ୍ରକ୍ରିୟାରେ ହାଲୁକା ବିଦ୍ୟୁତ୍ ଉତ୍ତେଜନା ଦେଇ ବିଛାକୁ ତାହାର ଡଙ୍କରୁ ବିଷ ଛାଡ଼ିବା ପାଇଁ ଉତ୍ତେଜିତ କରାଯାଏ। ବୈଜ୍ଞାନିକ ଓ ପ୍ରଶିକ୍ଷିତ କର୍ମଚାରୀମାନେ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ସାବଧାନତାର ସହ କରନ୍ତି, ଯାହାଦ୍ୱାରା ବିଛାକୁ କ୍ଷତି ନ ପହଞ୍ଚେ। ବିଷ ବାହାରିବା ପରେ ଏହାକୁ ଅତ୍ୟନ୍ତ ସତର୍କତାର ସହ ସଂରକ୍ଷଣ କରାଯାଏ। କାରଣ ଏଥିରେ ଥିବା ବିଭିନ୍ନ ପ୍ରୋଟିନ୍ ଓ ପେପ୍ଟାଇଡ୍ ଗବେଷଣା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।
ତେବେ ଡେଥଷ୍ଟକର୍ ବିଛାର ବିଷର ମୂଲ୍ୟ କେବଳ ଏହାର ବିଷାକ୍ତତା ପାଇଁ ନୁହେଁ, ବରଂ ଚିକିତ୍ସା ବିଜ୍ଞାନରେ ଏହାର ଗବେଷଣାମୂଳକ ବିଶେଷ ଗୁରୁତ୍ୱ ରହିଛି। ବିଷରେ ଥିବା କିଛି ଯୌଗିକ ବ୍ରେନ୍ ଟ୍ୟୁମର୍ କୋଷକୁ ଚିହ୍ନଟ କରିବା ସହ ସର୍ଜରୀ ସମୟରେ ଟ୍ୟୁମର୍ ଅଞ୍ଚଳକୁ ‘ଲାଇଟ୍ ଅପ୍’ କରି ଅଧିକ ସ୍ପଷ୍ଟ ଭାବେ ଦେଖାଇବାରେ ସହାୟକ ହୋଇପାରେ । ତେଣୁ ଯେଉଁ ବିଷ ମଣିଷ ପାଇଁ ବିପଦଜନକ, ସେହି ବିଷର କିଛି ଉପାଦାନ ଆଗାମୀ ଦିନରେ ବ୍ରେନ୍ ଟ୍ୟୁମର୍ ଚିକିତ୍ସା ଓ ସର୍ଜରୀରେ ନୂଆ ସମ୍ଭାବନା ସୃଷ୍ଟି କରିପାରେ। ଯାହା କିଛି ଦୂରା ରୋଗର ମୁଖ୍ୟ ଚିକିତ୍ସକ ପାଲଟିପାରେ ବୋଲି ବୈଜ୍ଞାନିକ ଗବେଷଣାରେ ଆଶା ସଞ୍ଚାର ହୋଇଛି ।

