Latest Odisha News

ଏକାଠି ହେଲେ ଗେହଲଟ ପାଇଲଟ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ସଚିନ ପାଇଲଟଙ୍କୁ ମନେଇବାରେ ସଫଳ ହୋଇଛି କଂଗ୍ରେସ। ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଆଗୁଆ ରଣନୀତି ପ୍ରସ୍ତୁତ କରିଛି।

ଦଳ ସେଠାରେ କ୍ଷମତାରେ ଥିବାବେଳେ ଆଗକୁ ମଧ୍ୟ କିଭଳି କ୍ଷମତାକୁ ଆସିବ ସେ ନେଇ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକର୍ଜୁନ ଖଡ଼ଗେ ତଥା ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ଯେଉଁ ବୈଠକରେ ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଦଳୀୟ ଫୋରମ ବାହାରେ କୌଣସି ନେତା ଟୀକାଟିପ୍ପଣୀ କରିପାରିବେ ନାହିଁ ବୋଲି କଡା ନିର୍ଦେଶ ଦିଆଯାଇଛି।

ଏପରିକି ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ କଂଗ୍ରେସ ରାଜସ୍ଥାନ ନିର୍ବାଚନ ପାଇଁ ଆଗୁଆ ଦଳୀୟ ଟିକେଟ ଦେବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳ କହିଛନ୍ତି।

ଏଥର ନିର୍ବାଚନ ପୂର୍ବରୁ ଆଗୁଆ ଟିକେଟ ଘୋଷଣା ସହ ଦେଇଦିଆଜିବ ବୋଲି କୁହାଯାଇଛି। ଚଳିତ ମାସରୁ ହିଁ ରାଜସ୍ଥାନରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯିବ। ରାହୁଲଙ୍କ ସମେତ ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚନ ପ୍ରଚାର ମଙ୍ଗ ଧରିବେ।

ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ସଚିନ ପାଇଲଟ ଉପସ୍ଥିତ ରହିଥିଲେ। ଦିଲ୍ଲୀରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜସ୍ଥାନର ୨୯ ଜଣ ପ୍ରମୁଖ ନେତା ସାମିଲ ହୋଇଥିଲେ।

ଗେହଲଟ ପାଇଲଟଙ୍କ ସମେତ ସବୁ ନେତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିଛି ଦଳ। କିଭଳି ଦଳରେ ଆଉ ଅସନ୍ତୋଷ ନ ହେବ ସେଥିପାଇଁ ସବୁ ପ୍ରସ୍ତୁତି ହୋଇଛି। ଲୋକଙ୍କ ସମ୍ମୁଖରେ କୌଣସି ନେତା ଦଳ ବିରୋଧୀ ମନ୍ତବ୍ୟ ଦେବେ ନାହିଁ ବୋଲି କୁହାଯାଇଛି। କର୍ଣ୍ଣାଟକ ଭଳି ରାଜସ୍ଥାନରେ ବହୁ ପୂର୍ବରୁ ଦଳୀୟ ଟିକେଟ ଦେବାକୁ ଦଳ ନିଷ୍ପତ୍ତି ନେଇଛି।

ଜିତିବା ସମ୍ଭାବନା ଆଧାରରେ ହିଁ ଟିକେଟ ଦିଆଯିବ ବୋଲି ଭେନୁଗୋପାଳ କହିଛନ୍ତି। ତେଣୁ ଦଳ ପକ୍ଷରୁ ରାଜ୍ୟରେ ବିଭିନ୍ନ ପ୍ରକାର ସର୍ଭେ ଚାଲିଛି। ଏପରିକି ରାଜସ୍ଥାନ ସମେତ ଅନ୍ୟ ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ବିଜେପିକୁ ସହଜରେ କଂଗ୍ରେସ ହରାଇବ ବୋଲି ଭେନୁଗୋପାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Comments are closed.