Latest Odisha News

BREAKING NEWS

ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍‌ ବନ୍ଦ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ମହାନଦୀର ତଳମୁଣ୍ଡରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି। ଲଗାଣ ବର୍ଷା ପରେ କିଛି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ଦିନରେ ଜଳ ସ୍ତର ବୃଦ୍ଧି ପାଉଛି। ଫଳରେ ଏହିସବୁ ଗାଁକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୧୦ ଫୁଟ ଉଚର ବନ୍ୟାଜଳ ପ୍ରବାହିତ ହେଉଛି। ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେବା ଆଣିବା, ଡାକ୍ତରଖାନା ସେବା ସହିତ ଅନ୍ୟାନ୍ୟ ସମସ୍ତ ସୁବିଧା ଏକ ପ୍ରକାର ଠପ ହୋଇଯାଇଛି। ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କର ସମ୍ଭାବ୍ୟ ବନ୍ୟାର ପ୍ରକୋପ କମାଇବା ପାଇଁ ହୀରାକୁଦ ବନ୍ଧର ୮ଟି ଗେଟ୍‌ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା

ରାଜୀବ ଭବନସ୍ଥିତ ଏସ୍‌ଆର୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର  ପ୍ରଦୀପ ଜେନା ରାଜ୍ୟରେ ସଂପ୍ରତି ବୃଷ୍ଟିପାତ ଏବଂ ବନ୍ୟାସ୍ଥିତି ସଂପର୍କରେ  ତଥ୍ୟ ଉପସ୍ଥାପନ କରିଥିଲେ । ବନ୍ୟାର ବିଭିନ୍ନ ଦିଗକୁ ସମୀକ୍ଷା କରି ନଦୀବନ୍ଧଗୁଡ଼ିକର ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ୨୪ ଘଣ୍ଟିଆ ପେଟ୍ରୋଲିଂ ଜାରି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାତି୍ର ସମୟରେ ଡିଜିସେଟ୍‌ ଓ ପେଟ୍ରୋମାକ୍ସ ଲାଇଟ୍‌ ଲଗାଇ ବନ୍ଧ ଜଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି କାର୍ଯ୍ୟରେ ନଦୀକୂଳିଆ ଗ୍ରାମର ବାସିନ୍ଦା, ଜନପ୍ରତିନିଧି, ସେ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସକି୍ରୟ ଭାବେ ସାମିଲ କରିବା ପାଇଁ ଶ୍ରୀ ମହାପାତ୍ର ଜଳସଂପଦ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତାକାଲି ପୂର୍ବାହ୍ନରେ ବର୍ଷା ଓ ବନ୍ୟାସ୍ଥିତିର ପୁନଃସମୀକ୍ଷା କରାଯିବ ଏବଂ ଗେଟ୍‌ ଖୋଲିବା ସଂପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ବୈଠକ ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଜେନା କହିଲେ ଯେ ଲଗୁଚାପ ଫଳରେ ଲଗାଣ ବର୍ଷା ହୋଇଛି । ମହାନଦୀ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରଠାରେ ୩୬୮ ମିଲିମିଟର ବର୍ଷା ହୋଇଥିବାବେଳେ ୭ଟି ବ୍ଲକ୍‌ରେ ୨୦୦

ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଇନ୍ଦ୍ରାବତୀ, ତେଲ ଓ ମହାନଦୀ ଅବବାହିକାରେ ଅତି ପ୍ରବଳ ବର୍ଷା ହୋଇଛି । ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷା ହୋଇଛି । ହୀରାକୁଦର ୮ଟି ଗେଟ୍‌ ବନ୍ଦ ହେବା ଫଳରେ ୧ ଲକ୍ଷରୁ ୧.୨୦ ଲକ୍ଷ କୁ୍ୟସେକ୍‌ ଜଳ ପ୍ରବାହ କମିବ । ପରବର୍ତ୍ତୀ ସମୟରେ ସ୍ଥିତି ଦେଖି ଗେଟ୍‌ ପରିଚାଳନା କରାଯିବ ।

ମୁଣ୍ଡୁଳୀ ନିକଟରେ ୧୧ ଲକ୍ଷ କୁ୍ୟସେକ୍‌ ଜଳ ପ୍ରବାହ ସ୍ଥିର ରହିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତାକାଲି ସକାଳ ୯ଟା ସୁଦ୍ଧା ହୀରାକୁଦର ୮ଟି ଗେଟ୍‌ ବନ୍ଦ ରହିବ । ବନ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳକୁ ଅଧିକ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ଫାୟାର ସର୍ଭିସର ଟିମ୍‌ ମୁତୟନ କରାଯାଉଛି । ବୌଦ୍ଧ ଓ ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ପଠାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ହୀରାକୁଦର ଜଳଧାରଣ କ୍ଷମତା ୬୩୦ ମିଟର ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ ଜଳସ୍ତର ୬୨୧ ମିଟର ରହିଛି । ତେଣୁ ତଳ ଅଞ୍ଚଳରେ ଜଳପ୍ରବାହର ପ୍ରକୋପ କମାଇବା ପାଇଁ ୮ଟି ଗେଟ୍‌ ବନ୍ଦ କରିବା ପାଇଁ ସାମୟିକ ଭାବେ ନିଷ୍ପତ୍ତି ନିଆଯାଇଛି

Leave A Reply

Your email address will not be published.