Latest Odisha News

BREAKING NEWS

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ରୂପ ନେଲା ଗଭୀର ଅବପାତ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ରୂପ ନେଲା ଗଭୀର ଅବପାତ । ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେବ ଏହା ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୧୦୩୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୯୭୦ କିଲୋମିଟର ଦୂରରେ ରହିଛି ।

୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ସ୍ଥଳଭାଗ ନ ଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା । ତେଣୁ ଓଡ଼ିଶାକୁ ଯେଉଁ ବାତ୍ୟା ଭୟ ଥିଲା, ବର୍ତ୍ତମାନର ପୂର୍ବନୁମାନ ଅନୁସାରେ ସେହି ଭୟ ଟଳିଯାଇଛି । ତେବେ ୧୦ ତାରିଖରୁ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ।

କିଛି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାର କିଛି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ । ଆଜି ସଂଧ୍ୟାରୁ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ, ଯାହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ ।

୯ ତାରିଖ ବେଳକୁ ୧୦୫ରୁ ୧୧୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଯାହାର ଝଟକା ୧୨୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ । ତେବେ ବାତ୍ୟା ଉପକୂଳଠାରୁ ୧୫୦ରୁ ୨୦୦ କିଲୋମିଟର ଦୂରରେ ଗତି କରିବାର ସମ୍ଭାବନା ଥିବାରୁ ସ୍ଥଳଭାଗରୋ ପବନର ତୀବ୍ରତା ଏତେଟର ଅନୁଭୂତ ହୋଇନପାରେ । ୧୦ ତାରିଖରୁ ପବନର ବେଗ କମିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

Comments are closed.