ଲଗାତାର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍କୁ ଆଉ ଏକ ଝଟ୍କା
ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିହାବିଲେସନ୍ ସମୟରେ ଚହରଙ୍କ ଅଣ୍ଟାରେ ନୂଆ ଆଘାତ ସୃଷ୍ଟି ହୋଇଛି
ଭୁବନେଶ୍ୱର: ଚଳିତବର୍ଷ ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍ର ଭାଗ୍ୟ ଏତେଟା ଭଲ ନାହିଁ । ବୋଲିଂ ଠାରୁ ଆରମ୍ଭ କରି ବ୍ୟାଟିଂ ଓ ଫିଲ୍ଡିଂରେ ଏହି ଦଳ ନିଜ ସମର୍ଥକଙ୍କୁ ନିରାଶ କରିଛି । ତେବେ ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍କା ଦୋହଲାଇ ଦେଇଛି ।
ଆଇପିଏଲ୍ରୁ ବିଦାୟ ନେବେ ଚେନ୍ନାଇ ସୁପର୍ କିଙ୍ଗସ୍ ର ଷ୍ଟାର୍ ବୋଲର୍ ଦୀପକ ଚହର୍ । ଚଳିତବର୍ଷ ଫେବ୍ରୁଆରୀ ମାସରେ ୱେଷ୍ଟ ଇଣ୍ଡିଜ୍ ବିରୋଧରେ ଚହରଙ୍କ କ୍ୱାଡ୍ରିସେପ୍ସ ହାମ୍ଷ୍ଟ୍ରିଙ୍ଗ୍ ହୋଇଥିଲା । ଏଥିରୁ ସେ ଆରୋଗ୍ୟ ଲାଭ କରି ଚେନ୍ନାଇ ଦଳରେ ଯୋଗ ଦେବାକୁ ଆଶା ପୋଷଣ କରିଥିଲେ । ହେଲେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିହାବିଲେସନ୍ ସମୟରେ ଚହରଙ୍କ ଅଣ୍ଟାରେ ନୂଆ ଆଘାତ ସୃଷ୍ଟି ହୋଇଛି । ଫଳରେ ଆଇପିଏଲର ଚଳିତବର୍ଷ ସିଜିନରେ ସେ ବାଦ୍ ପଡିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି । ଯହାକୁ ନେଇ ଚେନ୍ନାଇ ଦଳରେ ନିରାଶା ଖେଳିଯାଇଛି ।
ଚହରଙ୍କୁ ବାଦ୍ ଦେଲେ ଚେନ୍ନାଇ ଦଳର ବୋଲିଂ ଲାଇନ୍ ଏଥର ଖୁବ ଦୁର୍ବଳ ଅନୁଭୂତ ହୋଇଛି । ଦଳରେ ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ଡ୍ୱେନ୍ ପ୍ରିଟୋରିଅସ୍ , ଡ୍ୱେନ୍ ବ୍ରାଭୋ, ଖ୍ରୀସ୍ ଜୋର୍ଡାନ୍ ଓ ମହେଶ ଥିକସାନାଙ୍କ ବୋଲିଂ ଭାରସାମ୍ୟ ରକ୍ଷା କରିବାରେ ଏତେଟା ସମର୍ଥ ହୋଇନାହାନ୍ତି । ଏପରି ସ୍ଥିତିରେ ରବୀନ୍ଦ୍ର ଜାଡେଜାଙ୍କ ୟେଲୋ ଆର୍ମି କେତେଦୂର ସଫଳ ହେବ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ସଂଧ୍ୟାରେ ରବୀନ୍ଦ୍ରଙ୍କ ଚେନ୍ନାଇ ଦଳ ଫାଫ୍ ଡୁପ୍ଲେସିଙ୍କ ଆର୍ସିବିକୁ ସଂଧ୍ୟାରେ ମୁମ୍ବାଇରେ ଭେଟିବ ।
Comments are closed.