ମୁମ୍ବାଇ: ବଲିଉଡର ପାୱାର କପଲ୍ ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ମଧ୍ୟରେ ଏବେ ଏକ ବଡ଼ ବିଷୟକୁ ନେଇ ମତଭେଦ ଦେଖିବାକୁ ମିଳିଛି। ବିଷୟଟି ହେଉଛି ଫିଲ୍ମ ଇଣ୍ଡଷ୍ଟ୍ରିରେ ‘କାମର ସମୟ’ କିମ୍ବା ‘ୱର୍କିଂ ଆୱାର୍ସ’। ଆଠ ଘଣ୍ଟା ସିଫ୍ଟକୁ ନେଇ ଏବେ ପୂରା ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି ।
ମା’ ହେବା ପରେ ଅଭିନେତ୍ରୀ ଦୀପିକା ପାଦୁକୋଣ ଫିଲ୍ମ ସେଟରେ ୮ ଘଣ୍ଟାର ସିଫ୍ଟକୁ ବାଧ୍ୟତାମୂଳକ କରିବାକୁ ଦାବି କରିଛନ୍ତି । ଦୀପିକାଙ୍କ ମତରେ, ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସହ ଏକ ଭଲ ଓ୍ବାର୍କ କଲଚର ପାଇଁ ଏହା ଅତି ଜରୁରୀ । ଦୀପିକାଙ୍କର ଏହି ଦାବିକୁ କଙ୍ଗନା ରାନାୱତଙ୍କ ଭଳି ଅଭିନେତ୍ରୀ ମଧ୍ୟ ସମର୍ଥନ କରିଛନ୍ତି ।
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ନିଜ ପତ୍ନୀଙ୍କ ଏହି ପ୍ରସ୍ତାବ ସହ ଏକମତ ନୁହଁନ୍ତି ରଣବୀର ସିଂ । ରଣବୀରଙ୍କ ପାଇଁ କାମ ହେଉଛି ଏକ ଜୁନୁନ୍ । ସେ ମାନନ୍ତି ଯେ, କଳା କ୍ଷେତ୍ରରେ ସମୟର ସୀମା ରହିବା ଉଚିତ୍ ନୁହେଁ । ନିକଟରେ ନିର୍ଦ୍ଦେଶକ ଆଦିତ୍ୟ ଧର ଖୁଲାସା କରିଥିଲେ ଯେ, ନିଜର ଆଗାମୀ ଫିଲ୍ମ ‘ଧୁରନ୍ଧର’ ପାଇଁ ରଣବୀର କ୍ରମାଗତ ୧୬ ରୁ ୧୮ ଘଣ୍ଟା କାମ କରୁଛନ୍ତି, ତାହା ପୁଣି ବିନା କୌଣସି ଅଭିଯୋଗରେ ।
କେବଳ ରଣବୀର ନୁହଁନ୍ତି, ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗା ଏବଂ ଫରାହ ଖାନ ମଧ୍ୟ ୮ ଘଣ୍ଟା ସିଫ୍ଟକୁ ଅବ୍ୟବହାରିକ ବୋଲି କହିଛନ୍ତି । ସେମାନଙ୍କ ମତରେ ହିନ୍ଦୀ ସିନେମାରେ ଏତେ କମ୍ ସମୟ ମଧ୍ୟରେ ସୁଟିଂ ଶେଷ କରିବା ଅସମ୍ଭବ ।
ବର୍ତ୍ତମାନ ଏହି ବିତର୍କ ବଲିଉଡକୁ ଦୁଇ ଭାଗରେ ବିଭକ୍ତ କରିଦେଇଛି । ଗୋଟିଏ ପଟେ କଳାକାରଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟପଟେ ଫିଲ୍ମ ନିର୍ମାଣର ବ୍ୟବହାରିକତା ।
Comments are closed.