Latest Odisha News

BREAKING NEWS

ଫେବ୍ରୁଆରୀ ୮ରେ ଦିଲ୍ଲୀ ନିର୍ବାଚନ; ଲାଗୁ ହେଲା ଆଚରଣ ବିଧି

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ଅନୁଷ୍ଠିତ ହେବ ଦିଲ୍ଲୀରେ ବିଧାନସଭା ନିର୍ବାଚନ । ସେହିପରି ଭାବେ ଫେବୃଆରୀ ୧୧ରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶିତ ହେବ ବୋଲି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀଠାରେ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ୍ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ବିଧାନସଭା ସମ୍ପର୍କରେ ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ମଧ୍ୟ ନିୟମ ଅନୁଯାୟୀ ଲାଗୁ ହେବ ବୋଲି ଶ୍ରୀ ଆରୋରା ସୂଚନା ପ୍ରଦାନ କରିଛନ୍ତି ।

ଦିଲ୍ଲୀର ୧.୪୬ କୋଟି ଭୋଟର୍ ଏହି ବିଧାନସଭା ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବେ ।

ଦିଲ୍ଲୀ ବିଧାନସଭାର ସମୁଦାୟ ୭୦ଟି ଆସନ ଲାଗି ଏହି ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳ ସମାପ୍ତ ହେଉଛି । ଏହା ପୂର୍ବରୁ ସମସ୍ତ ନିର୍ବାଚନ ପ୍ରକ୍ରିୟା ହୋଇ ନୂତନ ମନ୍ତ୍ରୀମଣ୍ଡଳ ଗଠନ ହେବ ବୋଲି ନିର୍ବାଚନ କମିଶନର୍ ଶ୍ରୀ ଆରୋରା ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ୨୦୧୫ରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ୭୦ଟି ଆସନରୁ ୬୭ଟି ଆସନ ଅକ୍ତିଆର କରି ମନ୍ତ୍ରୀମଣ୍ଡଳ ଗଠନ କରିଥିଲା ।

ଦିଲ୍ଲୀ ନିର୍ବାଚନ କାର୍ଯ୍ୟସୂଚୀ
ବିଜ୍ଞପ୍ତି ଜାରି: ଜାନୁଆରୀ ୧୪
ନିର୍ବାଚନ ମନୋନୟନ ପତ୍ର ଦାଖଲ ଶେଷ ତାରିଖ: ଜାନୁଆରୀ ୨୧
ମନୋନୟନ ପତ୍ର ଶେଷ ତାରିଖ: ଜାନୁଆରୀ ୨୪
ମତଦାନ ତାରିଖ: ଫେବ୍ରୁଆରୀ ୮
ଭୋଟ ଗଣତି ଓ ଫଳାଫଳ ଘୋଷଣା: ଫେବ୍ରୁଆରୀ ୧୧

ଦିଲ୍ଲୀର ସମୁଦାୟ ୧୩,୭୫୦ଟି ମତଦାନ କେନ୍ଦ୍ରରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.