ନୂଆଦିଲ୍ଲୀ: ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗ (ଇସି) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏଥର ଦିଲ୍ଲୀରେ ସମୁଦାୟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି ।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏଥର ଦିଲ୍ଲୀ ନିର୍ବାଚନରେ ମୋଟ ୧.୫୫ କୋଟିରୁ ଅଧିକ ଭୋଟର ରହିବେ । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ । ଯେତେବେଳେ କି, ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ।
ବର୍ତ୍ତମାନ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହେବା ପରେ ଖୁବ ଶୀଘ୍ର ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇପାରେ । ଆୟୋଗଙ୍କ ପକ୍ଷରୁ ଘନ ଘନ ବୈଠକ ବସୁଛି । କୁହାଯାଉଛି ଯେ ଜାନୁୟାରୀ ୬ରୁ ୧୦ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ହେଲେ ତାରିଖକୁ ନେଇ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।
ସୂଚନାଯୋଗ୍ୟ, ଭୋଟର ତାଲିକାରୁ ଭୋଟରଙ୍କ ନାମ ହଟାଇବା ଅଭିଯୋଗ ମଧ୍ୟରେ ନିର୍ବାଚନ କମିଶନ ଦିଲ୍ଲୀର ଭୋଟରଙ୍କ ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି । କିଛି ଦିନ ପୂର୍ବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଭୋଟରଙ୍କ ତାଲିକାରୁ ଭୋଟରଙ୍କ ନାମ ହଟାଇବା ପାଇଁ ଆବେଦନ କରିଥିବା ଅଭିଯୋଗ କରିଥିଲେ ।