ନୂଆଦିଲ୍ଲୀ: କାହିଁକି ଗତ ୬ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରୁଛି ବିଜେପି? କୁହାଯାଏ, ପୂର୍ବାଞ୍ଚଳୀ, ଦଳିତ ଓ ସଂଖ୍ୟାଲଘୁ ଭୋଟ୍ ବିଜେପି ପରାଜୟ ପଛର କାରଣ । ତେବେ ୧୯୯୯, ୨୦୧୪, ୨୦୧୯ ଓ ୨୦୨୪ରେ ଲୋକସଭା ନିର୍ବାଚନରେ ଦିଲ୍ଲୀରେ କ୍ଲିନ୍ ସୁଇପ୍ କରିଛି ବିଜେପି । ପଞ୍ଜାବୀ, ବଣିଆ ଓ ଶିଖ୍ ଭୋଟ ପାଇଁ ୭ରୁ ୭ ଲୋକସଭା ସିଟ୍ ଜିତିଛି ବିଜେପି । ତେବେ ବିଧାନସଭା ନିର୍ବାଚନରେ ଏହି ଭୋଟବ୍ୟାଙ୍କ ଆମ ଆଦମୀ ପାର୍ଟି ଆଡକୁ ସ୍ଥାନାନ୍ତର ହୋଇଛି । ତେଣୁ ପଞ୍ଜାବୀ, ବଣିଆ ଓ ଶିଖ୍ ଭୋଟର ବିଜେପି ସହ ବିଧାନସଭା ନିର୍ବାଚନରେ ରହିଲେ, ବିଜେପି ଦିଲ୍ଲୀ ଜିତି ପାରିବ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।
କେତେ ସିଟରେ ଦବଦବା?
ଦିଲ୍ଲୀ ବିଧାନସଭାରେ ୩୪ଟି ସିଟରେ ପଞ୍ଜାବୀ ଓ ବଣିଆ ଭୋଟରଙ୍କ ପ୍ରଭାବ ରହିଛି । ଲୋକସଭା ନିର୍ବାଚନ ବେଳେ ଏହି ୩୪ଟି ବିଧାନସଭା କ୍ଷେତ୍ରରେ ଭଲ ଭୋଟ୍ ପାଇଛି ବିଜେପି । ହେଲେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ବିଜେପି ଏସବୁ ସିଟରୁ ମାତ୍ର ଗୋଟିଏ ସିଟ ରୋହିଣୀରେ ଜିତିବାରେ ସଫଳ ହୋଇଛି । ଏପରିକି ୨୦୨୦ନିର୍ବାଚନରେ ପୂର୍ବାଞ୍ଚଳୀ ବହୁଳ ୭ଟି ସିଟ୍ ବିଜେପି ଖାତାକୁ ଯାଇଥିଲା । ଆମ ଆଦମୀ ପାର୍ଟିର ପ୍ରବଳ ଲହର ସତ୍ତ୍ବେ ସେଠାକାର ପୂର୍ବାଞ୍ଚଳୀ ଓ ଦଳିତ ଭୋଟର ବିଜେପିକୁ ଭୋଟ୍ ଦେଇ ଜିତାଇଥିଲେ । ତେବେ ପଞ୍ଜାବୀ ଓ ବଣିଆ ଭୋଟର ବିଜେପିଠୁ ଦୂରେଇ ଯିବାରୁ ସିଟ୍ ହରାଇଥିଲା ଦଳ । ଯେବେକି ପାରମ୍ପରିକ ଭାବେ ପୂର୍ବାଞ୍ଚଳୀ ଓ ଦଳିତ ଭୋଟର ଆପର ଭୋଟବ୍ୟାଙ୍କ କୁହାଯାଉଥିବା ବେଳେ ସେମାନେ ବିଜେପି ସପକ୍ଷରେ ମତଦାନ କରିଥିଲେ ।
ହରାଇଥିଲେ ପଞ୍ଜାବୀ, ବଣିଆ ଭୋଟର !
ଦିଲ୍ଲୀର ଚାନ୍ଦିନୀଚୌକ ଲୋକସଭା ସିଟରେ ବିଜେପି ସାଂସଦ ଜିତିଛନ୍ତି । ହେଲେ ଏହି ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ୧୦ଟି ବିଧାନସଭା ସିଟରେ ଆଦୌ ଭଲ ପ୍ରଦର୍ଶନ କରିପାରିନଥିଲା ବିଜେପି । ୧୦ଟି ସିଟ୍ ମଧ୍ୟରୁ ମାଟିଆ ମହଲ ଓ ବାଲିମାରନ ଦୁଇଟି ଦଳିତ ବହୁଳ ସିଟ୍ । ବାକି ୮ଟି ସିଟରେ ପଞ୍ଜାବୀ ଓ ବଣିଆ ଭୋଟରଙ୍କ ପ୍ରଭାବ ରହିଛି । କିଛି ସିଟରେ ସେମାନଙ୍କ ଭୋଟ୍ ପ୍ରତିଶତ ୫୭ପ୍ରତିଶତ ଭଳି ଅଧିକ ରହିଛି । ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘର ଅନେକ ସଂଗଠନ ଏହି ଅଞ୍ଚଳରେ ରହିଛି । ଏପରିକି ଏସବୁ ଅଞ୍ଚଳରେ ସଂଘର ଶାଖା ବି ଆୟୋଜିତ ହୁଏ । ଏଭଳି ଉପସ୍ଥିତି ସତ୍ବେ ଏହି ଅଞ୍ଚଳରେ ୨୦୨୦ ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିନଥିଲା ବିଜେପି । ତେଣୁ କାହା ପାଇଁ ବିଜେପି ହାରିଥିଲା, ସେକଥା ସହଜରେ ଅନୁମାନ କରିହେଉଛି ।
କଂଗ୍ରେସ ଭଲ କଲେ ବିଜେପିର ଲାଭ
ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କଲେ ପରୋକ୍ଷରେ ଲାଭ ପାଇପାରେ ବିଜେପି । ଏଥର ଆପ୍ ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢୁଛନ୍ତି । ତେଣୁ କଂଗ୍ରେସ ଭଲ ପ୍ରଦର୍ଶନ କଲେ ଆପର ଭୋଟ୍ କାଟିପାରେ ବୋଲି ଆକଳନ କରାଯାଉଛି । କଂଗ୍ରେସ ବି ବିଜୟ ରଣନୀତି ସହ ଭଲ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛି । ତେବେ ପ୍ରଚାର ମଇଦାନରେ ଆଗ୍ରେସିଭ୍ ରହିଥିବା କଂଗ୍ରେସକୁ କେତେ ସିଟ୍ ମିଳିବ ସେନେଇ ଏବେଠୁ କହିବା କଷ୍ଟ । ତେବେ କଂଗ୍ରେସ ଅଧିକ ଭୋଟ୍ ବା ସିଟ୍ ପାଇଲେ ବିଜେପି ଲାଭରେ ରହିପାରେ ବୋଲି କୁହାଯାଉଛି ।
ବିଜେପି ବଦଳାଇଛି ରଣନୀତି
ଗତ ଦୁଇଟି ନିର୍ବାଚନରେ ପରାଜୟର ସମୀକ୍ଷା କରିବା ସହ ଏଥର ରଣନୀତି ବଦଳାଇଛି ବିଜେପି । ବୁଥସ୍ତରର କର୍ମକର୍ତ୍ତାଙ୍କ ସହ ନମୋ ଆପରେ ସିଧାସଳଖ ଯୋଗାଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେରା ବୁଥ୍ ସବସେ ମଜବୁତ କାର୍ଯ୍ୟକ୍ରମରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦି । ଅଧିକରୁ ଅଧିକ ଭୋଟର ବୁଥରେ ପହଞ୍ଚାଇବା ଉପରେ ଫୋକସ୍ କରୁଛି ଦଳ । ଆଉ ବୁଥରେ ପହଞ୍ଚୁଥିବା ଭୋଟରଙ୍କ ମଧ୍ୟରୁ ଯେପରି ଅଧିକ ବିଜେପି ଭୋଟର ରହିବେ ତାଉପରେ ଗୁରୁତ୍ବ ଦିଆଯାଉଛି । ତେବେ ବିଜେପି ଜିତିବାକୁ ହେଲେ ବଡ଼ ଫ୍ୟାକ୍ଟର ହେବେ ପଞ୍ଜାବୀ ଓ ବଣିଆ ଭୋଟର । କାରଣ ଦିଲ୍ଲୀ ବିଧାନସଭାରେ ମ୍ୟାଜିକ ନମ୍ବର ୩୬ରହିଥିବା ବେଳେ ଏହି ଭୋଟରଙ୍କ ପ୍ରଭାବ ୩୪ସିଟରେ ରହିଛି । ଆଉ ଯଦି ଏହି ଭୋଟର ପୂର୍ବଭଳି ଆପକୁ ସମର୍ଥନ କରନ୍ତି, ତେବେ ବିଜେପିର ବିଜୟ ସ୍ବପ୍ନ ସ୍ବପ୍ନରେ ହିଁ ରହିଯିବ ।
Comments are closed.