Latest Odisha News

BREAKING NEWS

ଦିଲ୍ଲୀର ୧୨ ସିଟରେ ଆପ୍-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ନେତାଙ୍କର ସରିଲା ଏବେ ଜନତାଙ୍କ ପାଳି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ୍ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଦିଲ୍ଲୀ ଦଖଲ କରିବାକୁ ଜୋରଦାର ପ୍ରଚାର କରିଛନ୍ତି । ଦିଲ୍ଲୀରେ ମୁଖ୍ୟତଃ ଆପ୍ ଓ ବିଜେପି ମଧ୍ୟରେ ଟକ୍କର ହେଉଥିବା କୁହାଯାଉଛି । ତେବେ ଏମିତି ୧୨ଟି ସିଟ୍ ରହିଛି, ଯେଉଁଠି ବିଜେପି ନୁହେଁ ବରଂ କଂଗ୍ରେସ ଆପକୁ ଚ୍ୟାଲେଞ୍ଜ ଦେଉଛି। ଏଠାରେ କଂଗ୍ରେସ ଓ ଆପ୍ ମଧ୍ୟରେ ସିଧା ଟକ୍କର ହେଉଛି । ଦିଲ୍ଲୀରେ ପୁଣି ନିଜ ପୂର୍ବସ୍ଥିତି ଫେରାଇ ଆଣିବାକୁ ୩୦ଟି ସିଟକୁ ଫୋକସ୍ କରିଛି କଂଗ୍ରେସ । ତେବେ ପ୍ରଶ୍ନ ଉଠୁଛି, ଆପ୍ ପାଇଁ ବିପଦ ହେବ କି କଂଗ୍ରେସ?

କଂଗ୍ରେସର ‘ଦିଲ୍ଲୀ’ ପ୍ଲାନ୍

୨୦୧୫ ଓ ୨୦୨୦ରେ ଦିଲ୍ଲୀରେ ଖାତା ଖୋଲି ପାରିନଥିବା କଂଗ୍ରେସ ଏଥର ନୂଆ ଜୋଶ ଓ ଉତ୍ସାହ ସହ ନିର୍ବାଚନ ଲଢୁଛି । ଜୋରଦାର ପ୍ରଚାର ସହ ଶାସକ ଆପ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଠିଆ ହୋଇଛି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ହୁଅନ୍ତୁ କି ଦଳର ଅନ୍ୟ ବରିଷ୍ଠ ନେତା, ଘନଘନ ଟାର୍ଗେଟ୍ କରିଛି କଂଗ୍ରେସ । ଫଳରେ ଦିଲ୍ଲୀର ଅଧିକାଂଶ ସିଟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି । ତେବେ କିଛି ସିଟରେ ଆପ୍ ଓ କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ହେଉଛି । କଂଗ୍ରେସ ୨୫ରୁ ୩୦ଟି ସିଟ୍ ଉପରେ ଫୋକସ୍ କରି ଏଥର ନିର୍ବାଚନ ଲଢୁଛି । ଦଳିତ ଓ ମୁସଲିମ ବହୁଳ ସିଟରେ ପ୍ରଚାର କରିଛନ୍ତି ରାହୁଲ ଗାନ୍ଧୀ । ୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ଅଞ୍ଚଳ ବି ବୁଲିଛନ୍ତି ରାହୁଲ । କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ ରହିଥିବା ଦଳିତ ଓ ସଂଖ୍ୟାଲଘୁ ଭୋଟକୁ ପୁଣି ଖାତାକୁ ଆଣି ୧୨ଟି ସିଟରେ ଆପକୁ ଚ୍ୟାଲେଞ୍ଜ ଦେବାକୁ ଉଦ୍ୟମ କରିଛି ଦଳ ।

ସିଲମପୁର ରାଲିରୁ ବଡ଼ ସମୀକରଣ

ଦିଲ୍ଲୀର ସିଲମପୁରରେ ପ୍ରଥମ ନିର୍ବାଚନ ସଭା କରିବା ସହ ବଡ ସନ୍ଦେଶ ଦେଇଥିଲେ ରାହୁଲ ଗାନ୍ଧୀ। ଉତ୍ତର ପୂର୍ବ ଅଞ୍ଚଳରେ ରହିଥିବା ଏହି ସିଟରେ ୫୭ପ୍ରତିଶତ ଭୋଟର ମୁସଲିମ । ପୂର୍ବରୁ ଏହା କଂଗ୍ରେସର ଗଡ଼ ରହିଥିଲା । ତେବେ ଗତ ଦୁଇଟି ନିର୍ବାଚନରେ ଏଠୁ ଆପ୍ ବିଜୟୀ ହୋଇଛି । ଏଠାରୁ ଆପ ବିଧାୟକ ରହିଥିବା ଅବଦୁଲ ରହମାନ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ଦିଲ୍ଲୀରେ ରାହୁଲଙ୍କ ରାଲିକୁ ଜୟ ଭୀମ୍ ଜୟ ସମ୍ବିଧାନ ନାଁ ଦିଆଯାଇଥିଲା । ଏହାଦ୍ବାରା ଦଳିତ ଭୋଟବ୍ୟାଙ୍କ ହାତେଇବାକୁ ଦଳ ଉଦ୍ୟମ କରିଛି । ସେହିପରି ମାଟିଆ ମହଲ, ବଲିମାରାନ, ଓଖଲା ଓ ଚାନ୍ଦିନୀଚୌକ ପରି ମୁସଲିମ ବହୁଳ ସିଟରେ ମଧ୍ୟ କଂଗ୍ରେସ ଆପର ପ୍ରତିଦ୍ବନ୍ଦ୍ବୀ ଭାବେ ସାମନାକୁ ଆସିଛି ।

କଂଗ୍ରେସ ଲଢୁଛି ଅସ୍ତିତ୍ବ ଲଢେଇ

ବାଦଲି, ସୁଲତାନପୁର ମାଜରା, ବାବରପୁର ଓ ମୁସ୍ତାଫାବାଦ ଭଳି ଦିଲ୍ଲୀ ଉପକଣ୍ଠ ସିଟରେ ଭଲ ଫାଇଟ୍ ଦେଉଛି କଂଗ୍ରେସ । ଏସବୁ ସିଟରେ ପ୍ରବାସୀ ମଜଦୁର, ମୁସଲିମ ଓ ଦଳିତ ଭୋଟରଙ୍କର ଅଧିକ ପ୍ରଭାବ ରହିଛି । ଆଉ ସେଥିପାଇଁ ଏସବୁ ସିଟରେ ପ୍ରଚାର ବେଳେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜୋରଦାର ହମଲା କରିଛନ୍ତି ରାହୁଲ ଗାନ୍ଧୀ । ୧୫ବର୍ଷ ଧରି ଦିଲ୍ଲୀରେ ରାଜ୍ କରିଥିବା କଂଗ୍ରେସ ଏଥର ଅସ୍ତିତ୍ବର ଲଢେଇ ଲଢୁଛି । ତେଣୁ ଏଥର ନିର୍ବାଚନରେ ଜାନ୍ ଲଗାଇଛି କଂଗ୍ରେସ ।

୨୦୧୩ରେ ଦିଲ୍ଲୀରେ ଆପ ବଢିବା ସହ ଖସିଥିଲା କଂଗ୍ରେସର ଗ୍ରାଫ । ଲଗାତର ୧୫ବର୍ଷ ଧରି କ୍ଷମତାରେ ରହିଥିବା କଂଗ୍ରେସ ୨୦୨୦ରେ  ମାତ୍ର ୪.୩ ପ୍ରତିଶତ ଭୋଟ୍ ପାଇଥିଲା । ସେପଟେ ୨୦୧୫ରେ ୫୪.୩ ପ୍ରତିଶତ ତ ୨୦୨୦ରେ ୫୩.୫ପ୍ରତିଶତ ଭୋଟ୍ ପାଇଥିଲା ଆପ୍ । ତେବେ ଏଥର ଆପ୍ ବିରୋଧରେ ଶାସନ ବିରୋଧୀ ଲହର ରହିଥିବା ବେଳେ ଦଳିତ ଓ ମୁସଲିମ ଭୋଟରଙ୍କୁ ନିଜ ତରଫକୁ ନେବାକୁ ଉଦ୍ୟମ କରୁଛି କଂଗ୍ରେସ ।

Comments are closed.