Latest Odisha News

BREAKING NEWS

ବିଷାକ୍ତ ଦିଲ୍ଲୀ, ଭାଙ୍ଗିଲା ବିଶ୍ବ ରେକର୍ଡ

ନୂଆଦିଲ୍ଲୀ: ବିଷାକ୍ତ ପାଲଟିଲାଣି ଦେଶ । ବାୟୁ ପ୍ରଦୂଷଣରେ ସବୁ ରେକର୍ଡ ଭାଙ୍ଗୁଛି । ବିଶ୍ବର ପ୍ରଦୂଷିତ ୨୦ ସହର ମଧ୍ୟରୁ ୧୩ଟି ସହର କେବଳ ଭାରତର । ବାୟୁ ଗୁଣବତ୍ତା ସଂସ୍ଥା, ସ୍ବିଜରଲାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ସହର ଗୁଡିକର ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ ଅଂଶଗ୍ରହଣ କରିଛି ଭାରତ । ଏହି ତାଲିକାରେ ଦିଆଯାଇଥିବା ପ୍ରଦୂଷିତ ୨୦ ସହର ମଧ୍ୟରୁ ଭାରତର ୧୩ଟି ସହର ସ୍ଥାନ ପାଇଛି । କିନ୍ତୁ ସବୁଠୁ ରୋଚକ କଥା ହେଉଛି, ପ୍ରଥମ ଥର ପାଇଁ ଦିଲ୍ଲୀ ସହର ଭାବେ ପ୍ରଦୂଷଣ ରାଙ୍କରେ ପଛରେ ପଡିଛି । ଆସାମର ବିର୍ନିହାଟ ସହର ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି । ତେବେ ଦିଲ୍ଲୀ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ଭାବେ ରେକର୍ଡ କରିଛି ।

ରିପୋର୍ଟ ଅନୁସାରେ, ୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି । ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ରମାନଙ୍କରେ ୩ୟ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟା ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛି । ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଦୂଷିତ ସହର ମଧ୍ୟରୁ ୧୩ଟି ଭାରତର ହୋଇଥିବା ବେଳେ ଏଥିରେ ବର୍ନିହାଟ, ଦିଲ୍ଲୀ, ପଞ୍ଜାବର ମୁଲାନପୁର, ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁଡ଼ଗାଓଁ, ଗଙ୍ଗାନଗର, ଗ୍ରେଟର ନୋଏଡା, ଭିୱାଡି, ମୁଜାଫରନଗର, ହନୁମାନଗଡ଼ ଏବଂ ନୋଏଡା ତାଲିକାଭୁକ୍ତ ହୋଇଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ, ଭାରତର ୩୫ ପ୍ରତିଶତ ସହରରେ ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲ ସ୍ତର ଧାର୍ଯ୍ୟ ମାନଠାରୁ ୧୦ ଗୁଣ ଅଧିକ ରହିଛି । ଯାହା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଧାର୍ଯ୍ୟ ମାନକ ଅନୁଯାୟୀ ୫ ରହିବା ଉଚିତ୍ ।

ଭାରତରେ ୨୦୨୪ ମସିହାରେ ପ୍ରତି ଘନମିଟରରେ ପିଏମ୍ ୨.୫ ସାନ୍ଦ୍ରତା ୭ ପ୍ରତିଶତ ହ୍ରାସ ପାଇଛି । ଯାହା ୨୦୨୩ ମସିହାରେ ପ୍ରତି ଘନମିଟରରେ ୫୪.୪ ମାଇକ୍ରୋଗ୍ରାମ ତୁଳନାରେ ହାରାହାରି ୫୦.୬ ମାଇକ୍ରୋଗ୍ରାମ ଥିଲା । ହେଲେ ଏହା ସତ୍ତ୍ୱେ ବି ବିଶ୍ୱର ସବୁଠାରୁ ପ୍ରଦୂଷିତ ୧୦ଟି ସହର ମଧ୍ୟରୁ ୬ଟି ଭାରତରେ ଅଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ତ ପ୍ରଦୂଷଣର ଉଚ୍ଚ ସ୍ତର ରେକର୍ଡ କରୁଛି । ଦିଲ୍ଲୀରେ ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲ ସ୍ତରରେ ସାମାନ୍ୟ ହ୍ରାସ ଘଟିଛି । ୨୦୨୩ରେ ଏହି ସଂଖ୍ୟା ୯୨.୭ ରହିଥିବା ବେଳେ ଚଳିତ ବର୍ଷ ଏହା ୯୧.୬ରେ ପହଞ୍ଚିଛି ।

ବାରମ୍ବାର ପିଏମ ୨.୫ର ବ୍ୟବହାର କରାଯାଉଥିବା ବେଳେ ମନରେ ଏକ ପ୍ରଶ୍ନ ନିହାତି ଉଠୁଥିବ କ’ଣ ଏହି ପିଏମ ୨.୫ । ତେବେ ପି ଏମ୍ ବା ପାର୍ଟିକୁଲେଟ୍ ମ୍ୟାଟର୍ କେବଳ ଗୋଟିଏ ପ୍ରଦୂଷଣକାରୀ ତତ୍ତ୍ୱ ନୁହେଁ, ଏହା ଅନେକ ଗୁଡିଏ ରାସାୟନିକ ଦ୍ରବ୍ୟ, ଏରୋସଲ୍ ପଦାର୍ଥର ସମ୍ମିଶ୍ରଣ, ଶୁଖିଲା କଠିନ କଣିକା, କ୍ଷୁଦ୍ର ତରଳ ପଦାର୍ଥ କଣିକା, ତରଳ ଆବରଣ ଯୁକ୍ତ କଠିନ ପଦାର୍ଥ କଣିକା, ସବୁର ସମ୍ମିଶ୍ରିତ କମ୍ପ୍ଲେକ୍ସ ପ୍ରଦୂଷଣକାରୀ ତତ୍ତ୍ୱ, ଯାହାର ଆୟତନ ୨.୫ ମାଇକ୍ରୋମିଟର ଠାରୁ ଛୋଟ । ତେଣୁ ଏହାକୁ ପି ଏମ୍ ୨.୫ କୁହାଯାଏ । ଏହି ଅତି କ୍ଷୁଦ୍ର ବାୟୁ ପ୍ରଦୂଷଣ କଣିକା ଫୁସଫୁସ ଏବଂ ରକ୍ତପ୍ରବାହରେ ପ୍ରବେଶ କରି ଶ୍ୱାସକ୍ରିୟା ସମସ୍ୟା, ହୃଦରୋଗ ଏବଂ କର୍କଟ ରୋଗ ଭଳି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

ଆଉ ଭାରତରେ ବାୟୁ ପ୍ରଦୂଷଣ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଭାବେ ଉଭା ହୋଇଛି । ବାୟୁପ୍ରଦୂଷଣ କାରଣରୁ ଆୟୁଷରେ ପ୍ରାୟ ୫.୨ ବର୍ଷ ହ୍ରାସ ଘଟୁଛି । ଗତ ବର୍ଷ ପ୍ରକାଶିତ ଲାନସେଟ୍ ପ୍ଲାନେଟାରୀ ହେଲ୍ଥ ରିପୋର୍ଟ ଅନୁଯାୟୀ, ୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ଭାରତରେ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ମୃତ୍ୟୁ ଘଟିଛି ।

Comments are closed.