Latest Odisha News

BREAKING NEWS

ନୀତିଶଙ୍କ ନିଦ ହଜାଇଲା ସର୍ଭେ !

ନୂଆଦିଲ୍ଲୀ: ଆଉ କିଛି ମାସ ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଚମକାଇଛି ଇଣ୍ଡିଆ ଟୁଡେ ଓ ସି-ଭୋଟର୍ସ ସର୍ଭେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଲୋକପ୍ରିୟତା ଆଶାତୀତ ଭାବେ କମିଥିବା ସର୍ଭେରେ ଜଣାପଡିଛି । ଏହାସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଲୋକପ୍ରିୟ ନେତା ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ପ୍ରଶାନ୍ତ କିଶୋର ଓ ସମ୍ରାଟ ଚୌଧରୀ ମଧ୍ୟ ରେସରେ ରହିଛନ୍ତି । ସେପଟେ ଚିରାଗ ପାଶଓ୍ବାନଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସେହିପରି ବିହାରର ୫୦ପ୍ରତିଶତ ଭୋଟର ସରକାର ଉପରେ ଅସନ୍ତୁଷ୍ଟ ରହିଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ତେଜସ୍ବୀ ପସନ୍ଦ

ନିର୍ବାଚନ ପୂର୍ବରୁ ହିଁ ବିହାର ଭୋଟରଙ୍କ ରାୟ ନେଇ ସର୍ଭେ କରିଥିଲେ ଇଣ୍ଡିଆ ଟୁଡେ ଓ ସି-ଭୋଟର୍ସ । ସର୍ଭେରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଅଧିକ ଲୋକପ୍ରିୟ ଚେହେରା ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ତେବେ ୨୦ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନୀତିଶ କୁମାରଙ୍କ ଲୋକପ୍ରିୟତା ଆଶାତୀତ ଭାବେ କମିଛି । ୮୨ପ୍ରତିଶତ ଲୋକ ନୀତିଶଙ୍କ ଜାଗାରେ ଆଉ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଚାହୁଁଥିବା ବେଳେ ମାତ୍ର ୧୮ପ୍ରତିଶତ ଲୋକ ନୀତିଶଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛନ୍ତି । ପ୍ରାୟ ୫୮ପ୍ରତିଶତ ଲୋକ ନୀତିଶଙ୍କ ବିଶ୍ବସନୀୟତା କମିଥିବା କହିଛନ୍ତି । ତେବେ ତେଜସ୍ବୀଙ୍କୁ ୪୧ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦ କରିଛନ୍ତି । ସେହିପରି ଜନସୂରାଜ ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ୧୫ପ୍ରତିଶତ ଓ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୮ପ୍ରତିଶତ ଲୋକ ଦେଖିବାକୁ ଚାହୁଁଛନ୍ତି ।

ବିହାରରେ ଶାସନ ବିରୋଧୀ ଲହର !

ସର୍ଭେ ଅନୁସାରେ ବିହାରର ୫୦ପ୍ରତିଶତ ଲୋକ ସରକାରଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି ଓ ପରିବର୍ତ୍ତନ ଚାହୁଁଛନ୍ତି । ସର୍ଭେ ରିପୋର୍ଟ ଯଦି ସତ ହୁଏ ତେବେ ନୀତିଶଙ୍କ ପାଇଁ ଏହା ସତର୍କ ଘଣ୍ଟି ହୋଇପାରେ । କେତେବେଳେ ଏନଡିଏ ତ କେତେବେଳେ ମହାଗଠବନ୍ଧନ, ୨୦ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି ନୀତିଶ । ହେଲେ ଲାଗୁଛି ଏଥର ନିର୍ବାଚନ ତାଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇପାରେ । ନିକଟରେ ନୀତିଶଙ୍କ ମନ୍ତ୍ରିମଣ୍ଡଳରେ ୭ଜଣ ବିଜେପି ବିଧାୟକ ସାମିଲ ହୋଇଥିଲେ । ଏହାପରେ ବିଜେପି ନୀତିଶଙ୍କ ଜେଡିୟୁକୁ ହାଇଜାକ୍ କରିନେଇଥିବା ବିରୋଧୀ ଅଭିଯୋଗ କରିଥିଲେ । ତେବେ ପୁଣି କ୍ଷମତାକୁ ଫେରିବାକୁ ଚାହିଁଲେ ନୀତିଶଙ୍କୁ ସ୍ବତନ୍ତ୍ର ରଣନୀତି କରିବାକୁ ପଡିବ ।

ସିଏମ୍ ଚେହେରା ନେଇ ବିଜେପିର ସସପେନ୍ସ

ବିହାରରେ ନୀତିଶଙ୍କ ସହ ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ପରି ବ୍ୟବହାର କରିପାରେ ବିଜେପି । ଏପରିକି ରାଜନୀତିରୁ ସନ୍ୟାସ ନେବାକୁ ବାଧ୍ୟ କରିପାରେ । ମହାରାଷ୍ଟ୍ର ସରକାର ଗଠନ ପରଠୁ ବିରୋଧୀ ଏଭଳି ଚର୍ଚ୍ଚା କରୁଛନ୍ତି । ବିହାର ନିର୍ବାଚନ ଆଉ କିଛି ମାସ ପରେ ହେବାକୁ ଥିବା ବେଳେ ବିଜେପିର ଶୀର୍ଷ ନେତୃତ୍ବ ସିଏମ୍ ଚେହେରାକୁ ନେଇ ଚୁପ୍ ରହିଛନ୍ତି । ତେବେ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଜୟସଓ୍ବାଲ କହିଛନ୍ତି, ନୀତିଶଙ୍କ ନେତୃତ୍ବରେ ଏନଡିଏ ବିହାରରେ ନିର୍ବାଚନ ଲଢିବ । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ସଂସଦୀୟ ବୋର୍ଡ ଓ ଏନଡିଏର ସବୁ ସହଯୋଗୀ ଦଳ ମିଶି ନିଷ୍ପତ୍ତି ନେବେ । ମହାରାଷ୍ଟ୍ର ନିର୍ବାଚନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ପ୍ରଥମେ ନୀତିଶଙ୍କୁ ସିଏମ୍ ଚେହେରା କରିବା ଉପରେ ପ୍ରଶ୍ନବାଚୀ ଲଗାଇଥିଲା । ଏବେ ଦିଲ୍ଲୀପ ଜୟସଓ୍ବାଲଙ୍କ ବୟାନ ଅନିଶ୍ଚିତତା ବଢାଇଛି । ସର୍ଭେରେ ଲୋକପ୍ରିୟତା କମିବା ତଥା ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବିଜେପି ନେତା ଚୁପ୍ ରହିବା, ନୀତିଶଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ।

Comments are closed.