ଦିଲ୍ଲୀ : ବଡ଼ ବଡ଼ ନେତା, ବଡ଼ ବଡ଼ ଦଳକୁ ଧୁଳି ଚଟାଇ ପଞ୍ଜାବରେ ଇତିହାସ ରଚିଛି ଆମ୍ ଆଦମୀ ପାର୍ଟି । ଆପ୍ ଏଭଳି ସୁନାମୀ ଆଣିବା ନେଇ ଏକ୍ଜିଟ୍ ପୋଲ ଆକଳନ କରିଥିଲେ ବି ସାରା ଦେଶର ନଜର ଅଟକିଥିଲା ପଞ୍ଜାବ ଉପରେ । ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଉପରେ ଫୋକସ କରିଥିଲେ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ।
ସାଧାରଣ ବ୍ୟକ୍ତିରୁ ମୁଖ୍ୟମନ୍ତ୍ରୀ ଏବଂ ଏବେ ଦିଲ୍ଲୀ ପରେ ପଞ୍ଜାବକୁ ଅକ୍ତିଆର କରି କେଜ୍ରିୱାଲ ପ୍ରମାଣ କରିଛନ୍ତି ଯେ ତାଙ୍କ ପାର୍ଟି ହେଉଛି କମନ୍ ମ୍ୟାନ୍ ପାର୍ଟି ।
ଭଗବନ୍ତ ମାନଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ପ୍ରଥମରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲେ କେଜ୍ରିୱାଲ । ଏହାସହ ବଡ଼ ବଡ଼ ପ୍ରତିଶ୍ରୁତି ଓ ଲୋଭନୀୟ ଅଫର ଦେଇ ଜନମତକୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରିଥିଲେ ।
୩୦୦ ୟୁନିଟ୍ ମାଗଣା ବିଦ୍ୟୁତ, ମାଗଣା ଶିକ୍ଷା ଥିଲା ମୁଖ୍ୟ ଆକର୍ଷଣ । ଏହାଛଡ଼ା ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ମାସିକ ହଜାର ଟଙ୍କା, ଔଷଧ ଏବଂ ମାଗଣା ସମସ୍ତ ଡାକ୍ତରୀ ପରୀକ୍ଷା ସମେତ ସ୍ୱାସ୍ଥ୍ୟ କାର୍ଡ ଦେବା ପ୍ରତିଶ୍ରୁତି ଲୋକଙ୍କ ମନକୁ ଛୁଇଁଥିଲା । ଦିଲ୍ଲୀ ଭଳି ‘ମହଲା କ୍ଲିନିକ’ ମଡେଲ ମଧ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ନିଶା ମୁକ୍ତ ପଞ୍ଜାବ ସ୍ଲୋଗାନ ମଧ୍ୟ ଆପ୍ ସପକ୍ଷରେ ଜନମତ ସୃଷ୍ଟି କରିଥିଲା ।
Comments are closed.