ଭୁବନେଶ୍ୱର: ବାଲ୍ୟ ବିବାହ ମୁକ୍ତ ହେଲା ଦେବଗଡ଼ ଜିଲ୍ଲା । ପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ଗଜପତି ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବାବେଳେ ଦେବଗଡ଼ ତୃତୀୟ ଜିଲ୍ଲା ଭାବେ ଏ ମାନ୍ୟତା ପାଇବାକୁ ଯାଉଛି । ୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ । ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟ ନେଇ ସରକାର ସମସ୍ତ ଜିଲ୍ଲାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁସାରେ, ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୨୦୧୪ରେ ପ୍ରଥମ ପର୍ଯ୍ୟାୟରେ ଦେବଗଡ ଜିଲ୍ଲାରେ ବାଲ୍ୟ ବିବାହ ହାର ୨୩ ପ୍ରତିଶତ ଥିବାବେଳେ ୨୦୧୯ରେ ୧୯ପ୍ରତିଶତକୁ ଖସିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ସମୀକ୍ଷା ପରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଦେବଗଡ଼ ଜିଲ୍ଲାର ୩୬୪ ଗ୍ରାମ ଓ ପୌରାଞ୍ଚଳର ୧୧ଟି ୱାର୍ଡକୁ “ବାଲ୍ୟ ବିବାହ ମୁକ୍ତ’ ଘୋଷିତ କରାଯାଇଛି ।
ବାଲ୍ୟ ବିବାହକୁ ପ୍ରତିହତ ପାଇଁ ପ୍ରଶାସନର ନିର୍ଦ୍ଦେଶରେ ଦେବଗଡ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ବାଲ୍ୟ ବିବାହ ମୁକ୍ତ ପରିସର ଭାବେ ଘୋଷିତ କରାଯାଇଛି । ସମସ୍ତ ଗ୍ରାମ ଓ ବ୍ଲକର ସରପଞ୍ଚ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିଷେଧ ଟାସ୍କ ଫୋର୍ସ ଗଠନ କରାଯାଇଛି ।
ବାଲ୍ୟ ବିବାହ ସୂଚନା ପ୍ରଦାନକାରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ୩୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ବାଲ୍ୟ ବିବାହ ସମ୍ପର୍କିତ ସମସ୍ତ ଅଭିଯୋଗ ଗ୍ରହଣ କରିବାକୁ ଜରୁରୀକାଳୀନ ୨୪ ଘଣ୍ଟିଆ ଚାଇଲ୍ଡ ହେଲ୍ପ ଲାଇନ -୧୦୯୮ ଓ ମହିଳା ସହାୟତା ନମ୍ବର-୧୮୧ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଛି ।