Latest Odisha News

BREAKING NEWS

ବ୍ୟାଙ୍କରୁ ଗାଏବ ଜମାକାରୀଙ୍କ ଟଙ୍କା, ସ୍କାନରରେ କର୍ମଚାରୀ

ନିଆଳି: ନିଜର ଝାଳବୁହା ଟଙ୍କାକୁ ସୁରକ୍ଷିତ ଭାବେ ରଖିବାର ପ୍ରମୁଖ ସ୍ଥାନ ହେଉଛି ବ୍ୟାଙ୍କ । ଆଉ ଚିଟଫଣ୍ଡ ଘଟଣା ପରେ ବ୍ୟାଙ୍କ ଉପରେ ଲୋକଙ୍କର ଅଧିକ ଭରସା ରହିଛି । କିନ୍ତୁ ଏବେ ଏହି ବ୍ୟାଙ୍କରେ ନିଜର ଜମା ଟଙ୍କା ରଖି ହଟହଟା ହୋଇଛନ୍ତି କଟକ ଜିଲ୍ଲା ନିଆଳି ଅଞ୍ଚଳର କିଛି ଲୋକ।

ଏବେ ନିଜ ଟଙ୍କା ଫେରି ପାଇବା ପାଇଁ ଶତାଧିକ ଜମାକାରୀ ଓଡ଼ିଶା ଗ୍ୟାମ୍ୟ ବ୍ୟାଙ୍କର ପହଙ୍ଗା ଶାଖା ସମ୍ମୁଖରେ ହୋ ହାଲ୍ଲା କରିବା ସହ ପ୍ରତିବାଦ କରିଛନ୍ତି । ସୂଚନା ମୁତାବକ ଶତାଧିକ ଜମାକାରୀଙ୍କ ଖାତାରୁ 70 ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ଜମାକାରୀଙ୍କ ଆକାଉଣ୍ଟରୁ ଭିନ୍ନ ଭିନ୍ନ ସମୟରେ ବ୍ୟାଙ୍କ୍ କର୍ମଚାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

ମହିଳା ଗ୍ରୁପ ଠାରୁ ଆରମ୍ଭ କରି ବ୍ୟବସାୟୀ, ଚାଷୀ ମୂଲିଆ ପର୍ଯ୍ୟନ୍ତ ସମସ୍ତଙ୍କ ଜମାଖାତାରୁ 10 ହଜାରରୁ ଆରମ୍ଭ କରି10 ଲକ୍ଷ ଟଙ୍କା ଯାଏ ଅଜାଣତରେ ଗାଏବ ହୋଇଯାଇଛି।‌ ଜମାକାରୀ ପାସ ବୁକ୍ ଅପଡେଟ କରିବାକୁ କହୁଥିଲେ ମଧ୍ୟ ମାସ ମାସ ଧରି ମେସିନ ଖରାପ ଥିବା ଦର୍ଶାଇ ଚାଲିଛନ୍ତି ବ୍ୟାଙ୍କ୍ କର୍ମଚାରୀ।

ତେବେ ବ୍ୟାଙ୍କର କ୍ୟାସିଅର ବଂଶୀଧର ମ।ଝି ବଦଳି ହେବା ପରେ ଘଟଣା ପଦାକୁ ଆସିଛି। ଯାହାକୁ ନେଇ ଜମାକାରୀ ଏବେ ଚିନ୍ତାରେ। ତାଙ୍କର ହଡ଼ପ ଟଙ୍କା ଫେରସ୍ତ କରାଯିବାକୁ ଦାବି କରିଛନ୍ତି। ଚିଟ୍ ଫଣ୍ଡରେ ଜମାକାରୀଙ୍କ ଟଙ୍କା ହଡ଼ପ ପରେ ବ୍ୟାଙ୍କ୍ ଉପରେ ଆସ୍ଥା ପ୍ରକଟ କରି ବ୍ୟାଙ୍କରେ ଜମା କରିଥିବା ତାଙ୍କ ଲୁଟ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଜମାକାରୀ।

ଏକ ମହିଳା ଗ୍ରୁପର ସଦସ୍ୟ ସୁଜାତା ଲେଙ୍କା କହିଛନ୍ତି, 10 ଜଣ ମହିଳା ଏକାଠି ହୋଇ 5 ଲକ୍ଷ ଟଙ୍କା ଋଣ କରିଥିଲେ। ସମସ୍ତେ ପ୍ରତି ମାସରେ ସୁଧ ଏବଂ ମୂଳ ଟଙ୍କା ଦେଉଥିଲେ। ହେଲେ ସେ ଏବେ ଜାଣିବାକୁ ପାଇଛନ୍ତି ଯେ 35 ହଜାର ଟଙ୍କାର ହିସାବ ନାହିଁ । ଯାହାକୁ ତାଙ୍କ ମହିଳା ଗ୍ରୁପ ଦେଇଥିଲା ବୋଲି ସେ କହିଛନ୍ତି। ଏବେ ସେ କେଉଁଠୁ ପଇସା ଆଣିବେ କେମିତି ପୈଠ କରିବେ ଟଙ୍କା ସେ ନେଇ ଚିନ୍ତାରେ।

ତେବେ ଜମାକାରୀ ଆନ୍ଦୋଳନ କରିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର କଟକ ରିଜିଓନର ମ୍ୟାନେଜର ଯତୀନ୍ଦ୍ର ଷଡଙ୍ଗୀ କହିଛନ୍ତି, କ୍ୟାଶିଅର ବଂଶୀଧାର ମାଝି ଯାହାଙ୍କର ବଦଳି ହୋଇଛି ସେ ଏପରି କରିଥାଇପାରନ୍ତି । ଏଠିକାର ଲୋକଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଲୋକେ ବିଶ୍ୱାସରେ ତାଙ୍କୁ ପଇସା ଦେଉଥିଲେ ହେଲେ ରସିଦ୍ ନେଉନଥିଲେ। ପାଖାପାଖି 25 ଲକ୍ଷ ଟଙ୍କାର ଆତ୍ମସାତ ହୋଇଥିବା ସେ ଆକଳନ କରିଛନ୍ତି। ଏହାର ତଦନ୍ତ ଚାଲିଛି । ତଦନ୍ତ ପରେ ଜମାକାରୀ ମାନେ ଟଙ୍କା ଫେରିପାଇବେ ବୋଲି ସେ ଆଶ୍ୱସନା ଦେଇଛନ୍ତି ।

Comments are closed.