Latest Odisha News

BREAKING NEWS

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଅବପାତ, ୧୨ ଘଣ୍ଟାରେ ନେବ ‘ଗଭୀର ଅବପାତ’ର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଘନଉଛି ଏକ ବଡ଼ ଧରଣର ପାଣିପାଗ ପରିବର୍ତ୍ତନ। ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ନୂଆ ପାଣିପାଗଗତ ହଲଚଲ୍ ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ଉତ୍ତର ଆଣ୍ଡାମାନ ସାଗର ଏବଂ ଲାଗି ରହିଥିବା ମିଆଁମାର ଉପକୂଳରେ ଏକ ଅବପାତ ସୃଷ୍ଟି ହୋଇଛି । ଗତ କିଛି ଦିନ ହେବ ସମୁଦ୍ର ମଧ୍ୟରେ ସକ୍ରିୟ ଥିବା ସ୍ପଷ୍ଟ ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଏବେ ଅବପାତର ରୂପ ନେଇଛି। ଜାତୀୟ ପାଣିପାଗ ବିଜ୍ଞାନୀମାନେ ଏହି ପ୍ରକ୍ରିୟା ଉପରେ ଲଗାତାର ନଜର ରଖିଛନ୍ତି ।

ସୂଚନା ମୁତାବକ, ଏହି ସ୍ପଷ୍ଟ ଲଘୁଚାପଟି କ୍ରମାଗତ ଭାବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ସମୁଦ୍ର ଭିତରେ ତାପମାତ୍ରା ଓ ପବନର ଗତି ଅନୁକୂଳ ଥିବାରୁ ଏହା ଦ୍ରୁତ ଗତିରେ ଘନୀଭୂତ ହେଉଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୧୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ସମୟ ମଧ୍ୟରେ ଅବପାତଟି ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତରେ ପରିଣତ ହେବାର ଶତ ପ୍ରତିଶତ ସମ୍ଭାବନା ରହିଛି । ଗଭୀର ଅବପାତରେ ପରିଣତ ହେବା ପରେ ଏହାର ପ୍ରକୃତ ଗତିପଥ ଏବଂ ତୀବ୍ରତା ନେଇ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପସାଗରରେ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଅଧିକ ଥାଏ। ତେଣୁ ଏହି ଅବପାତଟି ଆଗକୁ କି ରୂପ ନେବ, ତାହାକୁ ନେଇ ସମଗ୍ର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି । ଯଦିଓ ଏହା ବର୍ତ୍ତମାନ ମିଆଁମାର ଉପକୂଳ ଆଖପାଖରେ ରହିଛି ଏବଂ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି, ତଥାପି ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳ ଅଞ୍ଚଳରେ ପାଗ ବଦଳିବାର ସମ୍ଭାବନା ରହିଛି । ଏହି ଦିଗରେ ଗତି ଜାରି ରଖିଲେ ଆଗାମୀ ଦିନରେ ଏହା ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ଅନୁମାନ କରାଯାଉଛି । ତେବେ ରାଜ୍ୟ ଉପରେ ଏହାର କି ପ୍ରଭାବ ପଡ଼ିବ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

Leave A Reply

Your email address will not be published.