Latest Odisha News

BREAKING NEWS

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୧୫ ବେଳକୁ…

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାର ରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି।

ଏହା ୧୪ ତାରିଖରେ ଉତ୍ତରପଶ୍ଚିମ ଦିଗରେ ଗତି କରି ସ୍ପଷ୍ଟ-ଚିହ୍ନିତ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ଗତି ଓ ତୀବ୍ରତା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଆଣ୍ଡାମାନ ଓ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ଆକଳନ କରିଛି। ପ୍ରଭାବରେ ଆସନ୍ତା ୧୭ରୁ ଓଡ଼ିଶାରେ ବର୍ଷା ହୋଇପାରେ। ୨୦ ତାରିଖ ଯାଏଁ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅନ୍ୟପକ୍ଷରେ ସାରା ରାଜ୍ୟରେ ପାରଦ ତଳମୁହାଁ ହୋଇଛି। ୧୫ ଡ଼ିଗ୍ରୀ ତଳେ ରାଜ୍ୟର ୨ ସହରର ତାପମାତ୍ରା ରହିଛି । ୧୪.୨ ଡ଼ିଗ୍ରୀ ସହ ନବରଙ୍ଗପୁର ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି ରେକର୍ଡ ହୋଇଛି। ଏହା ତଳକୁ ଦାରିଙ୍ଗବାଡ଼ି ୧୫ ଡିଗ୍ରି, କୋରାପୁଟ ୧୫ ଡିଗ୍ରି, ଭବାନୀପାଟଣା ୧୫.୫ ଡିଗ୍ରି, ରାଉରକେଲା ୧୫.୭ ଡ଼ିଗ୍ରୀ, ବଲାଙ୍ଗୀର ୧୬ ଓ ସୋନପୁରରେ ୧୬.୨ ଡ଼ିଗ୍ରୀ ରୋକର୍ଡ଼ କରାଯାଇଛି । ଉପକୂଳ ଜିଲ୍ଲାଗୁଡ଼ିକରେ ଶୀତ କମିଥିବା ବେଳେ ପାରଦ ୨୦ ଡ଼ିଗ୍ରୀ ଉପରେ ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ପରେ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ। ବିଶ୍ୱସ୍ତରୀୟ ପାଣିପାଗ ମଡେଲ୍ ଆକଳନ କରିଛନ୍ତି ଯେ ସିଷ୍ଟମ ଟି ଅତ୍ୟଧିକ ଶକ୍ତିଶାଳୀ ନହୋଇ ଅବପାତ ରୂପରେ ରହିପାରେ ଏବଂ ନଭେମ୍ବର ୧୫/୧୬ ବେଳକୁ ଏହାର ସର୍ବାଧିକ ପବନ ବେଗ ଘଣ୍ଟାପ୍ରତି ପ୍ରାୟ ୪୬ରୁ ୬୧ କିମି ହୋଇପାରେ।

ଅଧିକାଂଶ ମଡେଲ୍ ଅନୁସାରେ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଶ୍ରୀଲଙ୍କା, ଉତ୍ତର ତାମିଲନାଡୁର ପୁଡୁଚେରୀ-ଚେନ୍ନାଇ ଅଞ୍ଚଳ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇପାରେ। ଓଡ଼ିଶା ଏହି ସିଷ୍ଟମରେ ସିଧାସଳଖ ପ୍ରଭାବରୁ ଦୂରରେ ରହିପାରେ। ସିଷ୍ଟମରେ କେନ୍ଦ୍ର ଓଡ଼ିଶା ଉପକୂଳଠାରୁ ପ୍ରାୟ ୫୦୦ରୁ ୭୦୦ କିଲୋମିଟର ଦକ୍ଷିଣରେ ରହିପାରେ। ତେଣୁ ରାଜ୍ୟରେ ଶୁଷ୍କ ପାଗ ଏବଂ ସକାଳର ଥଣ୍ଡା ଓ କୁହୁଡ଼ିଆ ପରିସ୍ଥିତି ଜାରି ରହିପାରେ ବୋଲି କହିଛନ୍ତି।

Leave A Reply

Your email address will not be published.