ଭୁବନେଶ୍ଵର: ପରଲୋକରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକ । ୫୬ବର୍ଷ ବୟସରେ ହୃଦଘାତରେ ଚାଲିଗଲା ପ୍ରଫୁଲ୍ଲ ମଲ୍ଲିକଙ୍କ ଜୀବନ । ସେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯାଳୟରେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ମଧ୍ୟ ଥିଲେ ।
ସୂଚନା ଅନୁସାରେ, ଆଜି ସକାଳେ ପ୍ରଫୁଲ୍ଲ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହଠାତ୍ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ, ନିର୍ଦ୍ଦେଶକ, ବୈଷୟିକ ନିର୍ଦେଶକ ଓ ଅନ୍ୟ ଅଧିକାରୀ ଶୋକ ପ୍ରକାଶ କରିବା ସହ ତାଙ୍କର ଶେଷ ଦର୍ଶନ କରିଛନ୍ତି ।
ଶ୍ରୀ ମଲ୍ଲିକ ୧୯୯୪ ମସିହାରେ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଧର୍ମଗଡ଼ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରି ସେ ପରେ ଜୟପୁର, କୋରାପୁଟରେ ଦାୟିତ୍ୱ ନିର୍ବାହ କରିଥିଲେ । ଭୁବନେଶ୍ୱରସ୍ଥିତ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶାଳୟରେ ଯୋଗଦେଇ ସେ ସୂଚନା ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ । ପ୍ରକାଶନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକସଂପର୍କ ଅଧିକାରୀ ଭାବରେ ସେ କାର୍ଯ୍ୟରତ ଥିଲେ । ଶ୍ରୀ ମଲ୍ଲିକ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ଥିଲେ । ବିଭାଗର କାର୍ଯ୍ୟରେ ସେ ଯଥେଷ୍ଟ ଶୃଙ୍ଖଳା ଓ ନିଷ୍ଠାପରତା ପ୍ରଦର୍ଶନ କରିଆସୁଥିଲେ । ତାଙ୍କ ବିୟୋଗରେ ବିଭାଗରେ ଶୋକର ଛାୟା ଖେଳି ଯାଇଛି । ଆଜି ସନ୍ଧ୍ୟାରେ ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା କହନା ଗ୍ରାମରେ ଅନ୍ତ୍ୟେଷ୍ଟିକ୍ରିୟା ହେବ ।
Comments are closed.