ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’
ଏଇ ଆଠଶହ କୋଟି ଜନସଂଖ୍ୟା ପୃଥିବୀର ସମସ୍ତ ଜନଗଣ ଚାହାଁନ୍ତି – ରୋଗମୁକ୍ତ, କ୍ଷୁଧାମୁକ୍ତ, ପାପମୁକ୍ତ ସମାଜ । ଏ ତିନୋଟି ମହା ଶକ୍ତିଶାଳୀ ଶଦ୍ଧ ରୋଗ, କ୍ଷୁଧା, ପାପ ଯେଉଁଦିନ ବିନାଶ ହେବ – ସେଦିନ ଜାଣିବ ସମଗ୍ର ବିଶ୍ୱରେ ଶାନ୍ତି, ସୁଖ, ସନ୍ତୋଷ ବିରାଜମାନ କରିବ ।
ଏ ଧରିତ୍ରୀରେ ସବୁ ଜୀବଜନ୍ତୁ କିଛିନା କିଛି ରୋଗରେ ଆକ୍ରାନ୍ତ । ରୋଗରୁ ମୁକ୍ତି ପାଇବା ପାଇଁ ମଣିଷ ସିନା ତା’ର ସଞ୍ଚିତ ଧନରୁ ପାରୁପର୍ଯ୍ୟନ୍ତ ଖର୍ଚ୍ଚ କରେ, ତଥାପି ଅଧିକାଂଶ ମଣିଷ ରୋଗରେ ମରନ୍ତି । ଏବେ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ଏକ ଅଦୃଶ୍ୟ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ କରୋନା କବଳରେ ସମଗ୍ର ବିଶ୍ୱରେ ଜନଗଣ କବଳିତ । କରୋନାର କୋକୁଆ କୁହାଟରେ ସମସ୍ତେ ଆତଙ୍କିତ । ଏହି ରାକ୍ଷସଠାରୁ ମୁକ୍ତି ପାଇବାପାଇଁ ଏପର୍ଯ୍ୟନ୍ତ କୌଣସି ନିଦାନ ବାହାରିନାହିଁ । ଚାହୁଁ ଚାହୁଁ ଲକ୍ଷ ଲକ୍ଷ ଲୋକଙ୍କ ଅମୂଲ୍ୟ ଜୀବନ ଆଖି ପିଛୁଳାକେ ଚାଲିଯାଉଛି
। ସରକାରୀ-ବେସରକାରୀ ସ୍ତରରେ ମହାମହା ଚିକିତ୍ସକ ମଧ୍ୟ ଏହାର ନିଦାନ ପାଇଁ ଔଷଧ ଉଦ୍ଭାବନ ଏ ପର୍ଯ୍ୟନ୍ତ କରିପାରିନାହାଁନ୍ତି । ଲକ୍ଷ ଲକ୍ଷ କୋଟି ଖର୍ଚ୍ଚ କରି ଗବେଷଣା
ଚାଲିଛି ।
ଆମେ ତ ମଣିଷମାନଙ୍କ କଥା ଭାବୁଛେ । ଆମ ସାଙ୍ଗରେ ସାଥି ହୋଇଥିବା ପୋଷିତ ପଶୁପକ୍ଷୀ ଓ ବାହାରେ ମୁକ୍ତ ଭାବେ ବିଚରଣ କରୁଥିବା କୋଟି କୋଟି ପଶୁପକ୍ଷୀମାନଙ୍କୁ ମଧ୍ୟ ରୋଗ ଛାଡେନା । ଅବଶ୍ୟ ଆମ ସରକାରମାନେ ପଶୁପକ୍ଷୀମାନଙ୍କ ଚିକିତ୍ସା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ପଶୁପକ୍ଷୀ ସିନା କଥା କହିପାରନ୍ତିନାହିଁ, କିନ୍ତୁ ସେମାନଙ୍କ ରୋଗକଷ୍ଟର ଚିତ୍କାର ଆମମାନଙ୍କୁ ବ୍ୟଥିତ କରେ ।
ପ୍ରସାରିତ ପ୍ରକୃତିର ଚିତ୍ରିତ ଚୌହଦି ଆମ ଚାରିପଟେ । ଫୁଲଫଳ ପନିପରିବାଠୁ ଔଷଧୀୟ ବୃକ୍ଷଲତାରେ ଭରପୁର ଏ ଭବ୍ୟ ପ୍ରକୃତିର ଭବଭଣ୍ଡାର । ଅଥଚ ଆମର କୃତିମ ଜୀବନଶୈଳୀ ଆମକୁ ମୁହାଁଇନେଉଛି ବିଭିନ୍ନ ବ୍ୟାଧିର ବିଡମ୍ବନା ସହିତ ଅକାଳ ବାର୍ଦ୍ଧକ୍ୟ ଆଡେ । ଛଅ ଋତୁରେ ଛପନ ଭୋଗ । ଛଟପଟ ଆମେ । ପ୍ରକୃତି ଉପରେ ପତିଆରା ଥାପି ମୁକୁଳିଯିବା କି ବିକୃତିରୁ ?
ବିଶାଳ ପ୍ରକୃତି ହିଁ ପ୍ରଦାନ କରିଛି ବିନା ବ୍ୟୟରେ ବ୍ୟାଧି ବିନାଶର ବୀଜମନ୍ତ୍ର ।
ପ୍ର୍ରକୃତରେ ଅନେକ ସରଳ ସହଜ କଥାକୁ ଆମେ ଅଣଦେଖା କରିଥାଉ । ଜନ୍ମହେଲେ ମୃତ୍ୟୁ ଯେମିତି ଅବଧାରିତ, ଶରୀର ଥିଲେ ବ୍ୟାଧି ସେମିତି ନିଶ୍ଚିତ । ଆଜିକାଲି ସାମାନ୍ୟ ରୋଗ ଉପଶମ ଯେତେ ବ୍ୟୟବହୁଳ ହେଉଛି, ସାଧାରଣ ଲୋକଙ୍କୁ ବେଶ୍ ବାଧୁଛି । ଆମ ଚାରିପାଖରେ ଏତେବେଶୀ ଔଷଧୀୟ ବୃକ୍ଷଲତା ଅଛି, ଯାହାର ଦ୍ରବ୍ୟଗୁଣ ଆମେ ଜାଣୁପାରୁନେ କିମ୍ବା ଜାଣିବାକୁ ଇଚ୍ଛା କରୁନେ ।
ଜଣେ ମଣିଷ କିଭଳି ରୋଗମୁକ୍ତ ନିତ୍ୟ ନିରାମୟ ଜୀବନଯାପନ କରିବ, ପୁଣି ବିନା ବ୍ୟୟରେ ଏ କଥାକୁ ଯଦି ଟିକେ ଦୃଷ୍ଟି ଦେବା ତା’ହେଲେ ଆହାଃ – ଆମ ଜୀବନଟା କି ଆନନ୍ଦମୟ ହୋଇଯାଆନ୍ତା । ଏବେ ଆସନ୍ତୁ ଆମ୍ଭେମାନେ କିଭଳି ବିନା ବ୍ୟୟରେ ବ୍ୟାଧି ବିନାଶ କରିବା – ସେ ସମ୍ପର୍କରେ ର କିଞ୍ଚିତ୍ ଆଲୋଚନା କରିବା । ପ୍ରଥମେ ମୋ ନିଜଠାରୁ ଆରମ୍ଭ କରୁଛି । ମୁଁ
ସବୁବେଳେ ବୟସକୁ ବେଖାତିର କରି ରାତିଦିନ ସାମାଜିକ ଆନ୍ଦୋଳନ, ଲେଖାଲେଖିରେ ବ୍ୟସ୍ତ ।
ସବୁଠୁ ବଡ ଆଶ୍ଚର୍ଯ୍ୟର ଏକ ଘଟଣା ଆପଣଙ୍କ ପାଖରେ ବଖାଣୁଛି । ମୁଁ ସବୁବେଳେ ଚଳଚଞ୍ଚଳ – ପରିବାର ପ୍ରତି ନଜର ନଦେଇ ଲୋକଙ୍କ କାମରେ ସବୁବେଳେ ବ୍ୟସ୍ତ । ଏଇ ୨୦୨୦ରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ବିଶେଷ କୁଆଡେ ନଯାଇ ଘରେ ବସି ଖାଲି ଚା’ପାନ ଖାଇ ପ୍ରାୟ ସକାଳ ଆଠଟାରୁ ଉଠି ଚିରାଚରିତ ଅଭ୍ୟାସ ସକାଳର ଓଡିଆ, ଇଂରାଜୀ, ବଙ୍ଗଳା, ହିନ୍ଦି ଖବରକାଗଜ ପାଖାପାଖି ୩୨ଟାକୁ ପଢିବାକୁ ଆରମ୍ଭ କରେ । ମୋତେ ମଧୁମେହ ରୋଗ । ପତ୍ନୀ ଇନ୍ଦିରା ଦାସ ତାଗିଦ୍ କରିବାରୁ ଦିନ ୧୦ଟାରୁ ୧୧ଟା ଭିତରେ ନିତ୍ୟକର୍ମ ସାରି ଔଷଧ ଓ ଜଳଖିଆ ସେବନ କରେ । ପୁଣି ସେଇ ୧୧ଟାରୁ ମୋ ପାଖକୁ ଆସୁଥିବା ଲୋକଙ୍କ ସହ କଥାବାର୍ତ୍ତା, ଚର୍ଚ୍ଚା, ଫୋନ୍ରେ ମଧ୍ୟ କଥାବାର୍ତ୍ତା କରୁକରୁ ଦିନ ସାଢେ ଗୋଟାଏ ବାଜିଯାଏ ।
ଠିକ୍ ମଧ୍ୟାହ୍ନ ୨ଟା ବେଳେ ଭୋଜନ କରି ପୁଣି ଘେଌକ୍ଷଗ୍ଧ; ବାହାରେ ବସି ଫୋନ୍ରେ କଥାବାର୍ତ୍ତା କରେ । ୪ଟା ବେଳେ ଶୋଇପଡେ । ଠିକ୍ ୫ଟାରେ ଉଠି ଚା’ ପିଇ ପୁଣି ଘରପାଖକୁ ଆସୁଥିବା ଲୋକଙ୍କ ସହ କଥାବାର୍ତ୍ତା କରେ । ଠିକ୍ ସଂଧ୍ୟା ୭ଟା ବେଳକୁ ଟିଭି ପାଖରେ ବସି ସମ୍ବାଦଠାରୁ ଆରମ୍ଭକରି ସିରିଏଲ୍ ଦେଖୁ ଦେଖୁ ରାତି ୧୦ଟା ବାଜିଯାଏ । ରାତ୍ରଭୋଜନ ସାରି ଶୋଇଲାବେଳକୁ ରାତି ୧୨ଟା ବାଜିଯାଏ । ସାରାଦିନ ଭିତରେ କେବଳ ସମ୍ବାଦପତ୍ରକୁ ନିବନ୍ଧ ଲେଖି ପଠାଇବା ଛଡା ଆଉ ପୂର୍ବ ଅଭ୍ୟାସଗତ ଗଳ୍ପ, ଉପନ୍ୟାସ, ତତ୍ତ୍ୱ ସମ୍ବଳିତ ଲେଖା ଲେଖି ନଥାଏ । ଏହି ଅଭ୍ୟାସ ଫଳରେ ମୋ ପେଟ ବଢିଗଲା । ସବୁ ପ୍ୟାଣ୍ଟ ଟାଇଟ୍ ହୋଇଗଲା । ଦେହ ଖରାପ ହେଲେ ପୁଅ ଆକାଶ ନେଇ ଭୁବନେଶ୍ୱରରେ ଚିକିତ୍ସା କରାଇଲା । ସମସ୍ତେ ଚିନ୍ତିତ ହୋଇଗଲେ । ମୋ ବଡଭାଇ ଦେବତୂଲ୍ୟ ୮୩ ବର୍ଷର ଚଳଚଞ୍ଚଳ ଦୀନବନ୍ଧୁ ନାୟକ ଗାଁରୁ ଆସି ମୋତେ ତାଗିଦ୍ କରନ୍ତି । ପୁଅ ମଧ୍ୟ ବାପାଙ୍କ ଏଭଳି ଅବସ୍ଥା ଦେଖି ଚିନ୍ତିତ । ହଠାତ୍ କ’ଣ ହେଲା କେଜାଣି ନଭେମ୍ବର ୩୦ ତାରିଖରୁ ପୁରା ବଦଳିଗଲି ।
ସୁକିନ୍ଦା ଖଣି ଅଞ୍ଚଳରୁ ବୁଲିଆସିଲା ପରେ ଆଉ ମୋତେ ସମ୍ଭାଳେ କିଏ ! ଏବେ ଭୋର୍ ୫ଟାରୁ ଉଠିପଡୁଛି । ପ୍ରଥମେ ଆଲୋବେରା ରସ ଏକ କପ୍, ନଖ ଉଷୁମ ଗରମପାଣି ଗ୍ଲାସେ ପିଇ ଚା’ ଦିଖଣ୍ଡ ବିସ୍କୁଟ୍ ଖାଏ । ଠିକ୍ ସକାଳ ୫.୫୫ ମିନିଟ୍ରେ ରେଡିଓ ଖୋଲି ଆକାଶବାଣୀ କଟକରୁ ଭଜନ ଶୁଣେ । ସକାଳ ସାଢେ ଛ’ଟାରୁ ଅଧ ଘଣ୍ଟା ବଗିଚା ପାଖ ଖୋଲା ସ୍ଥାନରେ ଚାଲେ । ଠିକ୍ ୭ଟା ବେଳକୁ ସବୁ ଖବରକାଗଜ ଆସେ, ସବୁ ପଢେ । ତା’ ଭିତରେ ଫୋନ୍ କରିବା, ଆସୁ୍ଥିବା ଲୋକଙ୍କ ସହ କଥାବାର୍ତ୍ତା, ତଳକୁ ଯାଇ ବଗିଚା, ଗଛପତ୍ରର ତଦାରଖ କରେ । ଠିକ୍
୧୦ଟା ବେଳେ ନିତ୍ୟକର୍ମ ସାରି ଜଳଖିଆ ଔଷଧ ସେବନ କରି ପୁଣି ଲେଖାପଢା, କଥାବାର୍ତ୍ତା, ଯୋଗାଯୋଗରେ ଦିନ ୨ଟା ବାଜିଯାଏ । ଠିକ୍ ୨ଟା ବେଳେ ମଧ୍ୟାହ୍ନ ଭୋଜନ । ପରେ ଘଣ୍ଟାଏ ବିଶ୍ରାମ । ପୁଣି କାର୍ଯ୍ୟବ୍ୟସ୍ତ ରାତି ପ୍ରାୟ ସାଢେ ୧୧ଟା ପର୍ଯ୍ୟନ୍ତ ।
ଡିସେମ୍ବର ମାସ ପୁରା ପୂର୍ବଭଳି କାର୍ଯ୍ୟରେ ରାତିଦିନ ବ୍ୟସ୍ତ ରହିଲି । ଦୂରଦୂରାନ୍ତକୁ ଡାକରା ପାଇ ସବୁ ସଭାସମିତିରେ ଯୋଗଦେଲେ । ଏବେ ମୋ ପ୍ୟାଣ୍ଟଗୁଡାକ ଢିଲା ହୋଇଗଲାଣି । ପେଟ, ଓଜନ କମିଗଲାଣି । ମୋତେ ଯିଏ ଦେଖିବ ୭୭ ବର୍ଷର ମାୟାଧର ନାୟକ ବୋଲି କହିବ ନାହିଁ । ଏସବୁ ସଠିକ୍ ଅଭ୍ୟାସ୍ ଯୋଗୁ ବିନ୍ୟା ବ୍ୟୟରେ ସମ୍ଭବ ହୋଇପାରିଛି ।
ଆପଣମାନେ ବି ନିୟମାନୁଯାୟୀ ଅଭ୍ୟାସ କଲେ ବିନା ଖର୍ଚ୍ଚରେ ରୋଗମୁକ୍ତ ହେବେ, ନିରନ୍ତର ନିରାମୟ ଜୀବନଯାପନ କରିପାରିବେ । ଏ ପୃଥିବୀରେ ଯେତେ ଜୀବଜନ୍ତୁ ଅଛନ୍ତି ସେମାନଙ୍କ ମଧ୍ୟରୁ ମାନବ ଜୀବନ ସର୍ବଶ୍ରେଷ୍ଠ । ଜନ୍ମ-ମୃତ୍ୟୁ ମଝିରେ ମଣିଷ ଯେତେଦିନ ପର୍ଯ୍ୟନ୍ତ ବଞ୍ôଚରହିବ – ସେତେଦିନ ପର୍ଯ୍ୟନ୍ତ ସୁସ୍ଥ, ସୁଖକର, ଶାନ୍ତୁପୂର୍ଣ୍ଣ, ସୁନ୍ଦର ଜୀବନ ତା’ର ସର୍ବପ୍ରଥମ ଦାବୀ । ଶରୀର ସୁସ୍ଥ ରହିଲେ ମନ ଭଲ ରହିବ । ମନ ଭଲ ରହିଲେ ଅସମ୍ଭବକୁ ସମ୍ଭବରେ ପରିଣତ କରିହେବ । କିନ୍ତୁ ପ୍ରତ୍ୟେକ ମଣିଷ ସମ୍ପ୍ରତି କିଛି ନା କିଛି ବ୍ୟାଧିରେ ଆକ୍ରାନ୍ତ । ବ୍ୟାଧି ମଧ୍ୟ ଦୁଇପ୍ରକାର । ଶାରୀରିକ ଓ ମାନସିକ । ଆଜି କେବଳ ଆମ ଓଡିଶାରେ ନୁହେଁ କି ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମନୁଷ୍ୟ ନାନା ବ୍ୟାଧିରେ ଆକ୍ରାନ୍ତ ହୋଇପଡୁଛି । ଯାହାଫଳରେ ଅଭାବ, ଅନାଟନ, ମାନସିକ ଅଶାନ୍ତି ଦ୍ରୃତ ଗତିରେ ବଢିବାରେ ଲାଗିଛି । ଅଧିକାଂଶ ଅପରାଧପ୍ରବଣ ହୋଇପଡୁଛନ୍ତି । ଅହଂକାର, ଲୋଭ, କାମ, କ୍ରୋଧ, ଇର୍ଷା, ପରଶ୍ରୀକାତରତା ଓ ପ୍ରତିହିଂସା ମନୋଭାବ ବଢିବାରେ ଲାଗିଛି । ଅସୁସ୍ଥ ଦେହ ଓ ଅସୁସ୍ଥ ମନ ପରସ୍ପରର ପରିପୂରକ । ଜୀବନକୁ ସୁସ୍ଥ ରଖିବାକୁ ହେଲେ ସୁଷମ ଖାଦ୍ୟ, ସ୍ୱଚ୍ଛ ଜଳ, ନିର୍ମଳ ବାୟୁ, ପରିଶ୍ରମ
ଓ ବ୍ୟାୟାମ ଆବଶ୍ୟକ । କିନ୍ତୁ ସୁଷମ ଖାଦ୍ୟ ଆମ ଦେଶର ଶତକଡା ୯୦ ଭାଗ ଲୋକଙ୍କୁ ମିଳେନାହିଁ । ଆମ ଦେଶ ରତ୍ନଗର୍ଭା, କିନ୍ତୁ ଆମ ଦେଶର ଲୋକମାନେ ଗରିବ ଓ ଅଶିକ୍ଷିତ ।ଅଧିକାଂଶ ସୁଷମ ଖାଦ୍ୟ କ’ଣ ଜାଣନ୍ତି ନାହିଁ । ସ୍ୱାସ୍ଥ୍ୟକୁ କିପରି ରକ୍ଷା କରାଯାଇପାରିବ, ସେ କଥା ସଠିକ୍ ଭାବେ ଆମକୁ ଜଣାନାହିଁ ।
ସେଥିପାଇଁ ଆମେ ରୋଗରେ ପଡି ଘାଣ୍ଟି ହେଉଛେ । ଡାକ୍ତର, ଡାକ୍ତରଖାନା ଓ ଔଷଧ ଦୋକାନକୁ ଦୌଡି ଦୌଡି ଆମର କଷ୍ଟ ଉପାର୍ଜିତ ଅର୍ଥ ଓ ମୂଲ୍ୟବାନ ସମୟକୁ ନଷ୍ଟ କରୁଛେ । ଅଧିକାଂଶ ଔଷଧ ଅତି ଚଢା ଦାମ୍ ହେବା ସହିତ ଭେଜାଲ୍ ମଧ୍ୟ ହୋଇଗଲାଣି । ଅଧିକ ଉତ୍ପାଦନ ପାଇଁ ରସାୟନିକ ସାର, କୀଟନାଶକ ଔଷଧର ପ୍ରଚୁର ପ୍ରୟୋଗ ହେଉଥିବା ଯୋଗୁଁ ଆମ ଖାଦ୍ୟ ଆଜି ବିଷାକ୍ତ ହୋଇଯାଇଛି । ଖାଦ୍ୟ ବିଷାକ୍ତ, ଜଳ ବିଷାକ୍ତ, ବାୟୁ ବିଷାକ୍ତ । ତା’ହେଲେ ଆମେ ବଞ୍ଚିବା କିପରି ? ରୋଗ ହେଲେ ଚିକିତ୍ସା ପାଇଁ ଅର୍ଥ ସମସ୍ତଙ୍କ ପାଖରେ ନାହିଁ । ତା’ହେଲେ ନିରୋଗ ରହିବା ଉପାୟ କ’ଣ ? ମନରଖିବାକୁ ପଡିବ ଯେ, ଏହି ଉପାୟ ସମସ୍ତଙ୍କ ପାଇଁ ସହଜ ଏବଂ ଉପାଦାନଗୁଡିକ ମଧ୍ୟ ସମସ୍ତଙ୍କ ପାଇଁ ସୁଲଭ ।
ଏଥିପାଇଁ କିଛି ଛୋଟମୋଟ ନିୟମ ପାଳନ କରିବାକୁ ପଡିବ । ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାବଧାନତା, ସରଳ ଜୀବନ ଏବଂ ସୁବିଚାର ଠାରୁ ଶ୍ରେଷ୍ଠ ଔଷଧ ଆଉ କ’ଣ ଥାଇପାରେ ! ଅଭ୍ୟାସ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ । ଆପଣ ମଧ୍ୟ ପାରିବେ । ଲୋକେ ଠିକିଲେ ଶିଖନ୍ତି । ଆମର ଅଧିକାଂଶ ଲୋକ – ଅତି ଚାଲାଖିଆ, ପାଠୁଆ ଲୋକ ମଧ୍ୟ ଠିକିଲେ ବି ଶିଖୁନାହାଁନ୍ତି ।
ଇଲେକ୍ଟ୍ରୋନିକସ୍ ମିଡିଆ ଟିଭି, ପ୍ରିଣ୍ଟ ମିଡିଆ ସମ୍ବାଦପତ୍ର ଓ ମୋବାଇଲ୍ରେ ମନଲୋଭା ବିଜ୍ଞାପନ ଦେଖି ସେଇ ପଦାର୍ଥକୁ କିଣି ବ୍ୟବହାର କରିବା ପାଇଁ ପାଗଳ ହୋଇଯାଆନ୍ତି । ବିଦେଶୀ ଦେଶୀ କମ୍ପାନୀମାନଙ୍କର ପ୍ରଚାରର ଭେଳିକିରେ ଆମ ଭାରତୀୟମାନେ ଭୂଆଁ ବୁଲିଥାନ୍ତି । ଭେଜାଲର ଜିନିଷପତ୍ର କିଣି ନିଜେ ଭେଜାଲ ହୋଇଯାଆନ୍ତି । ଏବେ ଖାଦ୍ୟ, ପାନୀୟ, ଔଷଧ, ପ୍ରସାଧାନ ସାମଗ୍ରୀ ପ୍ରାୟ ଅଧିକାଂଶ ଭେଜାଲ, ଯେଉଁ ଔଷଧ ବିଦେଶରେ ନିଷେଧ ହୋଇଯାଇଛି, ସେଇସବୁ ଔଷଧ ଭାରତୀୟମାନେ କୋଟି କୋଟି ଟଙ୍କାରେ କିଣି ଗିଳୁଛନ୍ତି ।ଯାହାଫଳରେ ଛୋଟିଆ ଗୋଟିଏ ରୋଗ ସମୟକ୍ରମେ ବଡ ରୋଗରେ ପରିଣତ ହେଉଛି । ଯେତେ ସାବଧାନ କଲେବି ମାନୁନାହାଁନ୍ତି । ଆଜିକାଲି ମୋବାଇଲ୍ ଭିକାରୀଠାରୁ ଆରମ୍ଭକରି କୋଟିପତି ପର୍ଯ୍ୟନ୍ତ ପରିବାରର ସମସ୍ତଙ୍କ ହାତରେ ଉପଲବଧ୍ । ସେ ମୋବାଇଲ୍ ପୁଣି ୧୦ ହଜାରରୁ ଆରମ୍ଭ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ରାତିଦିନ ପ୍ରାୟ ବହୁଳାଂଶରେ ମୋବାଇଲ୍ ଦେଖିଦେଖି ମୁଣ୍ଡକୁ ଟିଣ କରିସାରିଲେଣି, କାନକୁ ବଧିର କରିସାରିଲେଣି, ଆଖିର ଜ୍ୟୋତିକୁ ହରାଇବାରେ ଲାଗିଛନ୍ତି, ରାତି ଅନିଦ୍ରା ହୋଇ ସ୍ୱାସ୍ଥ୍ୟକୁ ଏକଦମ୍ ଖରାପ ଆଡକୁ ନେଇଯାଉଛନ୍ତି ଆଉ ମୁଣ୍ଡରେ ଭଲ ବୁଦ୍ଧି ପଶୁନାହିଁ ।
ପୂର୍ବକାଳର ପଲ୍ଲୀରମଣୀ ନିଜ ସୌନ୍ଦର୍ଯ୍ୟ ସୁରକ୍ଷା ସକାଶେ ନିର୍ଭର କରୁଥିଲା ପ୍ରାକୃତିକ ପ୍ରସାଧାନ ଉପରେ । ସମ୍ପ୍ରତି ଆଧୁନିକ ଜୀବନଶୈଳୀର କୃତିମତା ନିର୍ଦ୍ଧାରଣ କରିଛି କୃତିମ ପ୍ରସାଧନ ସାମଗ୍ରୀର ଅପରିହାର୍ଯ୍ୟତା । ଯାହା ସହରରେ ନାରୀମାନଙ୍କୁ ଅଭ୍ୟସ୍ତ କରିରଖିଛି ଏକପ୍ରକାର ନକଲି ଯୌବନର କସରତରେ । ମାତ୍ର ପ୍ରାକୃତିକ ପ୍ରସାଧନ ନାରୀ ସୌନ୍ଦର୍ଯ୍ୟର ସୁରକ୍ଷା କବଚ । ଆପଣମାନେ ଅମୃତ, ମହୁ, ପେଟ ରୋଗର ଅଭ୍ୟର୍ଥ ପଥ୍ୟ: କଦଳୀ, ଅସାଧ୍ୟ ରୋଗର ଔଷଧ କଲରା, ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ଫଳ କାଗେଜି ଲେମ୍ବୁ, ରକ୍ତପ୍ରବାହ ସନ୍ତୁଳିତ ରଖିବା ପାଇଁ ଅଦା, ଫଳ ମଧ୍ୟରେ ସମ୍ରାଟ ଅଁଳା, ଗରମ ଦିନର ଉପହାର ଦହି, ଥଣ୍ଡା, ସର୍ଦ୍ଦି ଭଲ ହେବାପାଇଁ ଘରୋଇ ଉପଚାର, ଏସିଡିଟି, ଢକାର, କୌଷ୍ଠବଦ୍ଧତା ଓ ବ୍ରଣର ଉପଚାର ପାଇଁ ଘରୋଇ ଉପଚାର, ରକ୍ତଚାପ ପାଇଁ କଞ୍ଚା ରସୁଣ, ସଜନା ପତ୍ର ସେବନ କରିବା, ପ୍ରତିଦିନ ଏକ ଚାମଚ ଅଁଳା ରସ ସହିତ ମହୁ ମିଶାଇ ପିଇବା, ଲେମ୍ବୁ ରସ ପିଆଯାଇପାରେ । ସବୁଦିନେ କିଛି ନା କିଛି ଅଭ୍ୟାସ କରି ବାଟଚାଲିବା, ବ୍ୟାୟାମ, ଯୋଗାସନ ଓ ପ୍ରାଣାୟମ, ଜଳ ଚିକିତ୍ସା, ଉତ୍ତମ ନିଦ୍ରା ଏକାନ୍ତ ଆବଶ୍ୟକ। ଆଜିକାଲି ଡାଇବେଟିସ୍ ଉଣାଅଧିକେ ବହୁ ଲୋକଙ୍କୁ ଆକ୍ରାନ୍ତ କରିଛି । ଏହି ରୋଗଟି ମଣିଷର ଶରୀର ତିଆରି ହେବା ଦିନଠାରୁ ମଣିଷ ସହିତ ରହିଆସିଛି । ମଧୁମେହ ରୋଗୀମାନେ ଦେଶି ଚିକିତ୍ସା, ଶାରୀରିକ ଶ୍ରମ ସହ ଖାଦ୍ୟ ନିୟନ୍ତ୍ରଣ କରିବା ଏକାନ୍ତ ଆବଶ୍ୟକ । ମଣିଷର ଯେଉଁ ପାଞ୍ଚୋଟି ଇନ୍ଦ୍ରିୟ ଅଛି ତାହା ମଧ୍ୟରୁ ଆଖି ଅନ୍ୟତମ ଇନ୍ଦ୍ରିୟ ହୋଇଥିଲେ ବି ଅନ୍ୟ ଇନ୍ଦ୍ରିୟ ଗୁଡିକ ଅପେକ୍ଷା ଆଖିର ଭୂମିକା ଅତ୍ୟନ୍ତ ସ୍ୱତନ୍ତ୍ର । ସେଥିପାଇଁ କୁହାଯାଏ ଆଖି ନାହିଁ ଯାହାର ସାକ୍ଷୀ ନାହିଁ ତାହାର । ତେଣୁ ଆଖିର ସୁରକ୍ଷା କରିବା ସମସ୍ତଙ୍କ ପାଇଁ ନିହାତି ଦରକାର । ଶରୀର ଭିତରେ ହୃଦୟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କବିମାନେ ହୃଦୟକୁ ନେଇ କେତେ କଳ୍ପନା ସବୁ ନ କରନ୍ତି ! କିନ୍ତୁ ବୈଜ୍ଞାନିକ ମାନଙ୍କ ପାଇଁ ହୃଦୟ ମୋଟେ ଏକ କାଳ୍ପନିକ କଥା ନୁହେଁ । ଏହା ବରଂ ଏକ କଠିନ ବାସ୍ତବତା । ତେବେ
କବି ହୁଅନ୍ତୁ କି ବୈଜ୍ଞାନିକ, ଗୋଟିଏ କଥାରେ ଉଭୟ ସହମତ ହୁଅନ୍ତି ଯେ, ହୃଦୟ ଥରେ ଭାଙ୍ଗିଗଲେ ବା ନଷ୍ଟ ହୋଇଗଲେ ମଣିଷର ସାରା ଶରୀର ଆଉ ଶରୀର ହୋଇ ରହେନାହିଁ । ଅକାମୀ ପାଲଟିଯାଏ । ତେବେ ମଣିଷର ଏତେ କାର୍ଯ୍ୟ କରୁଥିବା ହୃଦୟକୁ ସମ୍ଭାଳି ରଖିବା ନିହାତି କଷ୍ଟକର କଥାଟିଏ ମଧ୍ୟ ନୁହେଁ । ଜଣେ ଚାହିଁଲେ ଏହା ଅତି ସହଜରେ କରିପାରିବ ।
ଶେଷରେ ନୁହେଁ, ଆରମ୍ଭରୁ ସମସ୍ତଙ୍କୁ ନିବେଦନ; ଯାହା ସତ୍ୟ – ଅବଧାରିତ, ତାକୁ ଅବଜ୍ଞା କରନ୍ତୁ ନାହିଁ । ନିଜ ଶରୀରକୁ ସୁସ୍ଥ ରଖି ମାନବ ସମାଜ ପାଇଁ କିଛି ଅବଦାନ ଛାଡି ଯାଆନ୍ତୁ । ବିନା ବ୍ୟୟରେ ବ୍ୟାଧି ବିନାଶ ମନ୍ତ୍ର ଜପକରି ଅଭ୍ୟାସ କରନ୍ତୁ ଏବଂ ନିଜେ ସୁସ୍ଥ ହେବା ସଂଗେ ସଂଗେ ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ହେବାରେ ସାହାଯ୍ୟ କରନ୍ତୁ । ଆରମ୍ଭ କରନ୍ତୁ, ଦେଖିବେ- କେତେ ଶାନ୍ତି ପାଇବେ ।
ଯାଜପୁର ରୋଡ, ଯାଜପୁର
ମୋ : ୯୪୩୮୦୩୪୧୬୩
Comments are closed.