Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହିଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି ।

ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେବେ ମହାପ୍ରଭୁ । ଦ୍ୱିତୀୟ ଦିନ ଅମାବାସ୍ୟ ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବେ । ତୃତୀୟ ଦିନ ଅର୍ଥାତ୍ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି ।

ଏହି ତିନିଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶ ଧାରଣ କରି ପିତୃପୁରୁଷ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରିବେ । ଏହି ଦିନରେ ମହାଦୀପ ମଧ୍ୟ ପ୍ରଜ୍ୱଳିତ ହେବ । ଏହାକୁ ଦେବ ଦୀପାବଳି କୁହାଯାଏ । ପ୍ରତିଦିନ ସନ୍ଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ବେଶରେ ନାଗପୁରୀ ଶାଢ଼ୀ ଚାଦରରେ ଭୂଷିତ କରାଇବେ ।

ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ, ଶ୍ରୀବଳଭଦ୍ର ୧୪ହାତ ଓ ଦେବୀ ଶୁଭଦ୍ରା ୧୨ହାତ ବିଶିଷ୍ଟ ସୂତା ଶାଢ଼ୀ ବା ନାଗପୁରୀ ଶାଢ଼ୀ ପରିଧାନ କରିଥାନ୍ତି । ଶ୍ରାଦ୍ଧ ବେଶରେ ଠାକୁରମାନେ ତଡ଼ଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳୀ, ଆଡ଼କାନି, ହରିଡ଼ା, ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

Leave A Reply

Your email address will not be published.