ଭୁବନେଶ୍ୱର: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ଶ୍ରାଦ୍ଧ ଓ ପିଣ୍ଡଦାନ । ସକାଳୁ ସକାଳୁ ପୁରୀର ବିଭିନ୍ନ ପବିତ୍ର ତୀର୍ଥ ପୁଷ୍କରୀଣି ସହ ଭୁବନେଶ୍ବରର ବିନ୍ଦୁସାଗର ଓ ଯାଜପୁରର ନାଭିଗୟାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ଚାଲିଛି ପିଣ୍ଡଦାନ ।
ତେବେ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ଏହି ସମୟ ମଧ୍ୟରେ ଯେଉଁମାନଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । କୁହାଯାଏ ଏହି ପିତୃପକ୍ଷରେ ପିତୃଲୋକ ମାନବ ଲୋକଙ୍କୁ ଆସିଥାନ୍ତି । ତେଣୁ ତାଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନ କରି ସନ୍ତୁଷ୍ଟ କରାଯାଇଥାଏ ।
ସେପଟେ ପବିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ବର୍ଷକରେ ଥରେ ଏହି ଦୁର୍ଲଭ ବେଶରେ ମା’ଙ୍କୁ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି । ଦେବୀଙ୍କ ଏହି ଅଲୌକିକ ବେଶକୁ ଦର୍ଶନ କଲେ ଗଙ୍ଗାସ୍ନାନର ଫଳ ମିଳେ ବୋଲି ବିଶ୍ୱାସ ରହିଛି ।
ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୁର୍ଗାପୁଜା ଅବସରରେ ପ୍ରଭୂ ମାଧବ ଦେବୀ ଦୁର୍ଗାଙ୍କୁ ସାଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥା’ନ୍ତି ।
Comments are closed.