Latest Odisha News

BREAKING NEWS

ଭକ୍ତଙ୍କ ବିଶ୍ୱାସ ଓ ଭରସାର ପୀଠ ସୋନପୁରର ମାଆ ସୁରେଶ୍ୱରୀ ମନ୍ଦିର

ସୋନପୁର: ସୋନପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ୱରୀ । ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଇଷ୍ଟଦେବୀ ଭାବେ ମାଆ ପୂଜା ପାଇ ଆସୁଛନ୍ତି । ଗଡ଼ଜାତର ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା ଭିତରେ ମାଆ ସୁରେଶ୍ବରୀ ପରୁହାଁ ଦେବୀ ଭାବେ ସର୍ବାଗ୍ରେ ପୂଜିତା । ଅଷ୍ଟଚଣ୍ଡୀଙ୍କ ଭିତରେ ଦକ୍ଷିଣ ମୁହାଁ ଭାବେ ପ୍ରତିଷ୍ଠିତା ଦେବୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ପ୍ରତିବର୍ଷ ଆଶ୍ୱିନ ମହାଳୟାଠାରୁ ପୂର୍ଣ୍ଣମୀ ଯାଏ ୧୬ ଦିନ ଧରି ଷୋଡ଼ଶ ଉପଚାରରେ ପୂଜା ପାଉଛନ୍ତି ମାଆ ସୁରେଶ୍ୱରୀ ।

ମହାଳୟାରୁ ଦେବୀ ମାଆ ସୁରେଶ୍ୱରୀ ୧୦ ଦିନ ଯାଏ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି । ଆଶ୍ୱିନ ମାସ ମୂଳାଷ୍ଟମୀରୁ ଇଷ୍ଟଦେବୀ ମାଆ ସୁରେଶ୍ୱରୀଙ୍କ ପୀଠରେ ମାଆଙ୍କ ବିଭିନ୍ନ ବେଶ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ହୁଏ । ଆଶ୍ୱିନ ମହାଳୟାରେ ମାଆ ଧବଳମୁଖୀ ବେଶ ଧାରଣ କରି ପ୍ରତିପଦା ଯାଏ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି । ଆଶ୍ୱିନ ଶୁକ୍ଲ ଦ୍ୱୀତିୟାରୁ ମାଆ କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ବଗଳାମୁଖୀ, ଧୂମାବତୀ, ଜୟଦୂର୍ଗା, ମହିଷା ମର୍ଦ୍ଦିନୀ ଓ ରାଜ ରାଜେଶ୍ୱରୀ ବେଶ ଧାରଣ କରନ୍ତି ।

ବିଶେଷ କରି ଆଶ୍ୱିନ ମାସରେ ମାଆଙ୍କ ଦର୍ଶନ କଲେ ସବୁ ମନ ସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଉ ସେଇ ବିଶ୍ୱାସ ନେଇ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ପୀଠକୁ ଛୁଟି ଆସିଥାନ୍ତି । ସୋନପୁର ଗଡ଼ଜାତର ଚୌହାନ ଶାସକ ରାଜା ବୀରମିତ୍ରୋଦୟ ସିଂହ ଦେବଙ୍କ ଅମଳରୁ ଏହି ଦେବୀ ପୀଠ ଭାରତର ଅନ୍ୟତମ ତନ୍ତ୍ରପୀଠ ଭାବେ ପ୍ରସିଦ୍ଧ ଲାଭ କରିଛି । ଭକ୍ତମାନଙ୍କର ବିଶ୍ୱାସ ରହିଛି ମାଆ ସୁରେଶ୍ୱରୀ ସୁବର୍ଣ୍ଣପୁରବାସୀଙ୍କର ଦୁଃଖରେ ସୁଖରେ ରହି ଆସିଛନ୍ତି ସବୁ ସମୟରେ ।

Leave A Reply

Your email address will not be published.