Latest Odisha News

ତିରୁମାଲା ମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ମନ୍ଦିର ପରିସରରେ ଅଣ୍ଡା ବିରିୟାନି ଖାଉଥିବା ଧରାପଡିଲେ ଭକ୍ତ

ତିରୁପତି: ତିରୁମାଲା ମନ୍ଦିରରେ ସୁରକ୍ଷା ତ୍ରୁଟିକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । ମନ୍ଦିର ଭିତରେ ଜଣେ ଭକ୍ତ ଅଣ୍ଡା ବିରିୟାନି ଖାଉଥିବାର ଧରାପଡ଼ିବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିରୋଧୀ ଦଳଗୁଡ଼ିକ ଏଥିପାଇଁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସମାଲୋଚନା କରିଛନ୍ତି । ଅଲିପିରି ଚେକପଏଣ୍ଟରେ ସୁରକ୍ଷା ତ୍ରୁଟିକୁ ନେଇ ଅନେକ ପ୍ରଶ୍ନ ଉଠାଯାଉଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ଏକ ଭକ୍ତ ତିରୁମାଲାରେ ଅଣ୍ଡା ବିରିୟାନି ଖାଉଥିବା ସମୟରେ ଧରାପଡ଼ିଥିଲେ । ପରେ ଏହି ଘଟଣାର ସୂଚନା ତିରୁମାଲ ପୋଲିସକୁ ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭକ୍ତମାନଙ୍କୁ ପଚରାଉଚରା କରିଥିଲା ଏବଂ ଏହା ଆଇନ ବିରୁଦ୍ଧ ବୋଲି କହିଥିଲା । ଏନେଇ ତିରୁମାଲା ପୋଲିସ ଭକ୍ତଙ୍କୁ ଯେତବେଳେ କହିଲା ଯେ ତିରୁମାଲାରେ ଅଣ୍ଡା ଏବଂ ଅନ୍ୟାନ୍ୟ ମାଂସ ଜାତୀୟ ଖାଦ୍ୟ ନିଷିଦ୍ଧ । ଏହା ଉପରେ ଭକ୍ତ ଜଣକ କହିଥିଲେ ଯେ ସେ ଏହା ବିଷୟରେ ଅବଗତ ନଥିଲେ । ଏହାପରେ ପୋଲିସ ଉକ୍ତ ଭକ୍ତ ଜଣଙ୍କୁ କଡ଼ା ଚେତାବନୀ ଦେଇ ଛାଡି ଦେଇଥିଲା ।

ପୂର୍ବତନ ଟିଟିଡି ଅଧ୍ୟକ୍ଷ ଭୂମନା କରୁଣାକର ରେଡ୍ଡୀ ଏହି ଘଟଣା ଘଟିବା ପଛରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କହିବା ସହ ଏଥିପାଇଁ ସେ ଟିଟିଡି ପ୍ରଶାସନକୁ ସମାଲୋଚନା କରିଥିଲେ । ଭୂମନା କରୁଣାକର ରେଡ୍ଡୀ କହିଛନ୍ତି, “ଏହି ଘଟଣା ଟିଟିଡି ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସ୍ପଷ୍ଟ ଭାବରେ ପ୍ରମାଣ କରୁଛି, କାରଣ ତାମିଲନାଡୁର ଭକ୍ତମାନେ ଅଲିପିରି ଚେକପଏଣ୍ଟରେ ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ଦେଇ ଯିବା ପରେ ମଧ୍ୟ ସହଜରେ ଅଣ୍ଡା ବିରିୟାନି ପ୍ୟାକେଟ ସହିତ ତିରୁମାଲାରେ ପହଞ୍ଚିପାରିଥିଲେ।”

ଅନ୍ୟପଟେ, ତିରୁପତି ସାଂସଦ ଡକ୍ଟର ଏମ୍ ଗୁରୁମୂର୍ତ୍ତି ମଧ୍ୟ ଏହି ଘଟଣାରେ ଚିନ୍ତା ପ୍ରକାଶ କରିଥିଲେ ଏବଂ ମନ୍ଦିର ପରିଚାଳନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇଥିଲେ । ତିରୁପତି ସାଂସଦ ଅଭିଯୋଗ କରିଛନ୍ତି ଯେ, “ଜାନୁଆରୀ 8 ତାରିଖରେ ତିରୁପତି ଟ୍ରଷ୍ଟର ଇତିହାସରେ ସବୁଠାରୁ ଅତି ଖରାପ ଦିନ ଥିଲା । ଏହି ଦିନ ପ୍ରବଳ ଦଳାଚକଟା ଘଟିଥିଲା ​​ଯେଉଁଥିରେ ଛଅ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ 50 ରୁ ଅଧିକ ଲୋକ ଆହତ ହୋଇଥିଲେ ।” ଏହା ପରେ, ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟିଟିଡିର ମୁଖ୍ୟ ସତର୍କତା ଏବଂ ସୁରକ୍ଷା ଅଧିକାରୀ ଏବଂ ତିରୁପତି ଏସପିଙ୍କୁ ବଦଳି କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଉଭୟ ପଦବୀରେ ନିଯୁକ୍ତି ଦିଆଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ତିରୁମାଲାରେ ମଦ୍ୟପାନ, ମାଂସଯୁକ୍ତ ଖାଦ୍ୟ, ଧୂମ୍ରପାନ ଏବଂ ତମାଖୁ ସେବନ ସମ୍ପୂର୍ଣ୍ଣ ନିଷେଧ । ଏହି ନିୟମ ବହୁ ଦଶନ୍ଧି ଧରି ପ୍ରଚଳିତ, କିନ୍ତୁ ତିରୁମାଳା ପହଞ୍ଚିଥିବା ତାମିଲନାଡୁର ଭକ୍ତମାନଙ୍କର ଏକ ଦଳ ଅଣ୍ଡା ବିରିୟାନି ସହିତ କିପରି ପହଞ୍ଚିଲେ, ତାହା ଏବି ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.