ପୁରୀ: ଆଜି ପବିତ୍ର ଗୋବିନ୍ଦ ଦ୍ଵାଦଶୀ । ଏହି ଅବସରରେ ଶତାଧିକ ସେବାୟତ, ସାଧୁସନ୍ଥ, ମଠ ମହନ୍ତଙ୍କ ସହିତ ଶ୍ରଦ୍ଧାଳୁ ମାନେ ମଧ୍ୟ ପୁରୀ ମହୋଦଧିରେ ବୁଡ଼ ପକାଇଛନ୍ତି। ଅଜଣାତରେ ହୋଇଥିବା ପାପକୁ ନାଶ କରିବାକୁ ଆଜିର ଦିନରେ ମହୋଦଧୀରେ ବୁଡ ପକାଇବା ପରମ୍ପରା ରହିଛି। ଦୀର୍ଘ ୧୬ ବର୍ଷ ପରେ ଆଜି ପଡ଼ିଛି ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼। ତେବେ ଦୀର୍ଘ ବର୍ଷ ପରେ ଏହି ବିରଳ ଯୋଗ ପଡୁଥିବାରୁ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁସାରେ, ଫାଲଗୁନ ଶୁକ୍ଳ ଦ୍ୱାଦଶୀ ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ ସେହି ତିଥିରେ ତୀର୍ଥସ୍ଥାନମାନଙ୍କରେ ସ୍ନାନଯୋଗ ପଡ଼େ। ତିଥି, ବାର ଓ ନକ୍ଷତ୍ର ଅନୁସାରେ ଏହା ‘ସାମାନ୍ୟ’ ବା ‘ବିରଳ’ ହୋଇଥାଏ। ଏହି ସ୍ନାନକୁ ଓଡ଼ିଆରେ ‘ଗୋବିନ୍ଦ ଦ୍ୱାଦଶୀ ବୁଡ଼’ କୁହାଯାଏ। ପୌରାଣିକ ମତ ଅନୁସାରେ, ଫାଲଗୁନ ମାସର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଯଦି ପୁଷ୍ୟାନକ୍ଷତ୍ରର ଶୋଭନ ଯୋଗ ଥାଏ, ସେଦିନଟି ରବିବାର ହୋଇଥାଏ ଏବଂ ସୂର୍ଯ୍ୟ କୁମ୍ଭରାଶିରେ ଓ ବୃହସ୍ପତି ଧନୁ ରାଶିରେ ଅବସ୍ଥାନ କରୁଥନ୍ତି, ତେବେ ସେହିଦିନ ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ହୋଇଥାଏ। ଏହିଦିନ ଉପବାସ ରହି ବ୍ରତ ପାଳନ କଲେ ମନୁଷ୍ୟ ଭଗବାନ ବିଷ୍ଣୁଙ୍କର ସାନ୍ନିଧ୍ୟ ଲାଭ କରନ୍ତି। ଏହି ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଯୋଗରେ ବ୍ରତଚାରୀମାନେ ଶ୍ରୀକ୍ଷେତ୍ର ପୁରୀକୁ ଆସି, ମହୋଦଧିରେ ସ୍ନାନ କରି, ଶ୍ରୀପୁରୁଷୋତ୍ତମଙ୍କୁ ଦର୍ଶନ କରି ପରମ ପୁଣ୍ୟ ଅର୍ଜନ କରନ୍ତି।
ସେପଟେ ସୁରକ୍ଷିତ ସ୍ନାନକୁ ଦୃଷ୍ଟିରେ ରଖି ବେଳାଭୂମିରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନିଶମ ବିଭାଗ ଓ ଲାଇଫଗାର୍ଡ ମୁତୟନ ହୋଇଥିଲେ। ତେବେ ଆଗାମୀ ଦିନରେ ହେବାକୁଥିବା ଗୋବିନ୍ଦ ଦ୍ୱାଦଶୀରେ କିଭଳି ଅଧିକରୁ ଅଧିକ ଭକ୍ତମାନେ ସାମିଲ ହୋଇପାରିବେ ସେନେଇ ପ୍ରୟାସ କରାଯିବ ବୋଲି କହିଛନ୍ତି ଛତିଶାନିଯୋଗ ମହାନାୟକ।
Comments are closed.