Latest Odisha News

ଆଜି ପବିତ୍ର ମହାଳୟା ଶ୍ରାଦ୍ଧ

ଭୁବନେଶ୍ୱର: ପିତୃପୁରୁଷଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ ମହାନ ହିନ୍ଦୁ ସଂସ୍କୃତିରେ ମହାଳୟାରେ ଶ୍ରାଦ୍ଧକାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଯେହେତୁ ପିତୃପୁରୁଷଙ୍କ ଲାଗି ଏହି ତିଥିର ମହତ୍ୱ ରହିଛି ତେଣୁ କେତେକ ସ୍ଥାନରେ ଏହି ଦିବସଟିକୁ ପିତୃପର୍ବ ମଧ୍ୟ କୁହାଯିବାର ଦେଖାଯାଇଥାଏ ।

ହିନ୍ଦୁମାନଙ୍କର ପାରମ୍ପରିକ ପଞ୍ଜିକାନୁସାରେ ଭାଦ୍ରବ ମାସ କୃଷ୍ଣ ପ୍ରତିପଦାରୁ ଆସନ୍ତା ଅମାବାସ୍ୟା ଯାଏଁ ୧୫ ଦିନ ହିଁ ପିତୃପକ୍ଷ । ତେବେ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ତର୍ପଣ କଲାପରେ ଅମାବାସ୍ୟା ଦିନ ହିଁ ପିଣ୍ଡଦାନ କରିବାର ବିଧି ରହିଛି । ସେଥିଲାଗି ଏହି ପବିତ୍ର ମହାଳୟା ଶ୍ରାଦ୍ଧ ଦିବସକୁ ମଧ୍ୟ କେହି କେହି, ମଉଳା ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ ଏବଂ ପାର୍ବଣ ଶ୍ରାଦ୍ଧ ବୋଲି ମଧ୍ୟ କହିଥାଆନ୍ତି ।

ଏହି ମହାଳୟା ଅମାବାସ୍ୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ଶ୍ରାଦ୍ଧ ଦେଇ ବ୍ରାହ୍ମଣମାନଙ୍କୁ ଭୋଜନାଦି ପ୍ରଦାନ କଲେ ଅତ୍ୟନ୍ତ ପୂଣ୍ୟ ଲାଭ ହୋଇଥାଏ । ଓଡ଼ିଶାରେ ପିତୃପକ୍ଷରେ ହିଁ ଏହି କାର୍ଯ୍ୟ ଅନେକ ଓଡ଼ିଆ ପବିତ୍ରତାର ସହିତ ପୁରୀଠାରେ ସମ୍ପନ୍ନ କରିଥାଆନ୍ତି ।

ରାଜଧାନୀ ଭୁବନେଶ୍ୱରର ବିନ୍ଦୁସାଗରରେ ଆଜିର ଦିନରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି । ଓଡ଼ିଶାର ପୁରୀ, କଟକ ଏବଂ ସମ୍ବଲପୁର ସମେତ ସମଗ୍ର ରାଜ୍ୟରେ ଏହି ମହାଳୟା ଶ୍ରାଦ୍ଧ ଦିବସଟିକୁ ପବିତ୍ରତାର ସହିତ ପାଳନ କରାଯାଉଛି ।

Leave A Reply

Your email address will not be published.