Latest Odisha News

BREAKING NEWS

ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ‘ଗୁହାରି ୨୦୨୪’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଉଦ୍ଘାଟନୀ ଉତ୍ସବ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଯାଇଅଛି ।ଏହି ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରକାଶିତ ଗବେଷଣାତ୍ମକ ଇଂରାଜୀ ପୁସ୍ତକ “ଇଭୋଲ୍ୟୁସନ ଅଫ୍‍ ଓଡ଼ିଶୀ ମ୍ୟୁଜିକ୍‍” ସନ୍ଧ୍ୟାର ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପ୍ରାକ୍ତନ ନିର୍ଦ୍ଦେଶକ ଶାନ୍ତନୁ ରଥ, ବିଶିଷ୍ଟ ଗବେଷକ (ଭାଷା ଓ ସଙ୍ଗୀତ) କୀର୍ତ୍ତନ ନାରାୟଣ ପାଢୀ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିକତା ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଥମେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ । ପରେ ପରେ ବିଶିଷ୍ଟ ଗାୟିକା ଗୀତା ଦାସ ପରିବେଷଣ କରିଥିଲେ ସାଲବେଗଙ୍କ ରଚନାରୁ ଉଦ୍ଧୃତ କାଳିଆ ତୋ କଳା ବୋଳା ଚିକ୍କଣ ମୁହଁ ଓ କାଳିଆ ଧନ ତୋ ଲାଗି ଯାଉ ଏ ଜୀବନ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ସୁନାମଧନ୍ୟ ଗାୟକ ଶ୍ରୀଚରଣ ମହାନ୍ତିଙ୍କ ଦ୍ୱାରା ପୁରାତନ ରଚନାରେ ବନ୍ଦଇ ଶ୍ରୀ ବଳଦେବପ ରୋହିଣୀ ନନ୍ଦନ ଓ କିଏଗୋ ମିତ କେଡ଼େ ସୁନ୍ଦର ଗୋପିନାଥ । ତା ପରେ ଅନିନ୍ଦିତା ଦାଶ ପରିବେଷଣ କରିଥିଲେ ଜଗନ୍ନାଥ ଭଜନ । ପରେ ପରେ ବରିଷ୍ଟ ଗାୟକ ଶରତ କୁମାର ନାୟକ ପରିବେଷଣ କରିଥିଲେ ଚନ୍ଦନ ଲାଗି ସମୟେ ଓ ମନ ଥୟ କରି ଦେଖ ଏଥର । ତାଙ୍କ ପରେ ସୋହିନୀ ମିଶ୍ର ବୀର କିଶେରଙ୍କ ଦ୍ୱାରା ରଚିତ ପତିତପାବନ ବାନା ଓ ପୁରାତନ ରଚନାରେ ବାଧିଲା ଜାଣି କ୍ଷମା ଗାୟନ କରିଥିଲେ । ଶେଷରେ ଦିନକୃଷ୍ଣଙ୍କ ଦ୍ୱାରା ରଚିତ ଜଗବନ୍ଧୁ ପରି ଜଣେ ସାମନ୍ତ ଓ ପୁରାତନ ରଚନାରୁ କେଣେ ଘେନି ଯାଉଚ  ଜଗନ୍ନାଥଙ୍କୁ ସଞ୍ଜୟ ଦାଶ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମଟିକୁ ମୃତ୍ୟୁଞ୍ଜୟ ରଥ ସଂଚାଳନ କରିଥିବା ବେଳେ ପରିଚାଳନାରେ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀଅନୁଜା ତାରିଣୀ ମିଶ୍ର ସହଯୋଗ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଶିଳ୍ପୀମାନଙ୍କର ଭକ୍ତିପୁତ ସଙ୍ଗୀତ ପରିବେଷଣ ବେଶ୍‍ ଶ୍ରୃତିମଧୁର ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

Comments are closed.