DGP Yogesh Khurania Retires:ସରିଲା ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ;ବିଦାୟୀ ଅଭିଭାଷଣ କହିଲେ ନକ୍ସଲମୁକ୍ତ ହୋଇଛି ଓଡ଼ିଶା
ଭୁବନେଶ୍ୱର:ଓଡ଼ିଶା ପୋଲିସ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ସରିଲା । ଡିଜିପିଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିଜ ବିଦାୟୀ ବକ୍ତବ୍ୟରେ ୱାଇ ବି ଖୁରାନିଆ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ଵାରା ଓଡ଼ିଶାକୁ ନକ୍ସଲମୁକ୍ତ ପ୍ରଦେଶ ରୂପେ ଘୋଷଣା ହେଉଛି ଓଡ଼ିଶା ପୋଲିସର ସବୁଠାରୁ ବଡ଼ ଉପଲବ୍ଧି ।
ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର ଏବଂ ପୋଲିସର ଆଧୁନିକୀକରଣ କ୍ଷେତ୍ରରେ ଓଡ଼ିଶା ପୋଲିସ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦୃଢ଼ ନେତୃତ୍ୱ, ସମନ୍ୱିତ ରଣନୀତି, ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର, ମାନବ ସମ୍ବଳର ସଶକ୍ତୀକରଣ ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ଆସ୍ଥାର ସୁଦୃଢ଼ୀକରଣ ଯୋଗୁଁ ଓଡ଼ିଶା ପୋଲିସ ଏକ ଦକ୍ଷ, ସକ୍ରିୟ, ଦାୟିତ୍ୱଶୀଳ ଓ ଅତ୍ୟାଧୁନିକ ପୋଲିସ ବାହିନୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରି ପାରିଛି ବୋଲି ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ଵାରା ଓଡ଼ିଶାକୁ ନକ୍ସଲମୁକ୍ତ ପ୍ରଦେଶ ରୂପେ ଘୋଷଣା ହେଉଛି ଓଡ଼ିଶା ପୋଲିସର ସବୁଠାରୁ ବଡ଼ ଉପଲବ୍ଧି । ୩୧ ମାର୍ଚ୍ଚ ୨୦୨୬ରେ ଓଡ଼ିଶାକୁ ନକ୍ସଲମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଧିପତ୍ୟ ବିସ୍ତାର କରିଥିବା ମାଓବାଦୀ ହିଂସା ବିରୋଧରେ ଓଡ଼ିଶା ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ମିଳିତ ଅଭିଯାନ ଯୋଗୁଁ ଏହି ସଫଳତା ମିଳିଛି ।
ଏହା ବ୍ୟତୀତ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ମଧ୍ୟ ଓଡ଼ିଶା ପୋଲିସ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଓ ‘ଅପରେସନ୍ ପ୍ରହାର’ ମାଧ୍ୟମରେ ବେଆଇନ ନିଶାଦ୍ରବ୍ୟ ପରିବହନ ଓ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ₹୪,୧୯୫ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ ଓ ନଷ୍ଟ କରାଯାଇଛି। ଏହା ସହ ୪,୮୯୨ଟି NDPS ମାମଲା ରୁଜୁ ହୋଇଥିବା ବେଳେ ୫,୩୭୬ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ରାଜ୍ୟରେ ରେକର୍ଡ ୬୪,୦୨୨ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇ ୧,୩୯୫ଟି ମାମଲା ରୁଜୁ କରାଯାଇ ୪୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
୨୦୨୪ ତୁଳନାରେ ୨୦୨୫ରେ ରାହାଜାନି ମାମଲା ୩୦.୨ ପ୍ରତିଶତ ଏବଂ ଦଙ୍ଗା ୨୫.୬ ପ୍ରତିଶତ ହ୍ରାସ ପାଇଛି। ଧର୍ଷଣ, ଚୋରି, ଡକାୟତି ଓ ଠକେଇ ଭଳି ଅପରାଧରେ ମଧ୍ୟ ହ୍ରାସ ଘଟିଛି। Core non-enforcement cognizable crimeରେ ୩.୪ ପ୍ରତିଶତ ହ୍ରାସ ହୋଇଛି।
୨୦୨୬ ଜାନୁଆରୀରୁ ଜୁନ୍ ମଧ୍ୟରେ ରାହାଜାନି ୨୨.୮%, ଡକାୟତି ୧୪.୨%, ଚୋରି ୮.୬%, ଦଙ୍ଗା ୪.୪%, ହତ୍ୟା ୨.୯% ଏବଂ ଘରେ ପଶି ଚୋରି ୦.୮% ହ୍ରାସ ପାଇଛି। ଅନ୍ୟପକ୍ଷରେ, NDPS ମାମଲା ୨୩.୮% ଏବଂ ଏନଫୋର୍ସମେଣ୍ଟ ମାମଲା ୮୭.୫% ବୃଦ୍ଧି ପାଇଛି। ପୋଲିସର ସକ୍ରିୟ ଓ କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାମଲା ପଞ୍ଜୀକରଣ ବଢ଼ିଥିଲେ ମଧ୍ୟ, ଗୁରୁତର ଅପରାଧରେ ଉଲ୍ଲେଖନୀୟ ହ୍ରାସ ଘଟିଛି।
ସେହିପରି ଅପରାଧ ଓ ଅପରାଧୀଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହାରରେ ମଧ୍ୟ ସଫଳତା ମିଳିଛି। ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୫ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଦଣ୍ଡବିଧାନ ହାର ୮୭.୬ ପ୍ରତିଶତ ରହିଛି। ୨୦୨୫ରେ ରାଜ୍ୟର ସାମଗ୍ରିକ ଦୋଷୀ ସାବ୍ୟସ୍ତ ହାର ୩୭.୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ରାଜ୍ୟର ସର୍ବକାଳୀନ ସର୍ବାଧିକ। ଜୁଲାଇ ୨୦୨୪ରୁ ଜୁନ୍ ୨୦୨୬ ମଧ୍ୟରେ ୧,୭୫,୩୨୯ଟି ବିଚାର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ୫୭,୮୮୧ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସେହିପରି ବେଆଇନ ଅସ୍ତ୍ରଶସ୍ତ୍ର ଓ ଲଘୁ ଖଣିଜ ଦ୍ରବ୍ୟ କାରବାର ବିରୋଧରେ ମଧ୍ୟ ଓଡ଼ିଶା ପୋଲିସର ଅଭିଯାନ ଜାରି ରହିଛି। ବେଆଇନ ଅସ୍ତ୍ରଶସ୍ତ୍ର ଆଇନ ଅଧୀନରେ ୨,୬୭୪ ଟି ମାମଲା ରୁଜୁ କରାଯାଇ ୩,୩୮୮ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ଲଘୁ ଖଣିଜ ଉତ୍ତୋଳନ ବିରୋଧରେ ୭,୦୭୯ ଟି ମାମଲା ରୁଜୁ କରାଯାଇ ୨,୦୦୭ ଜଣଙ୍କୁ ଗିରଫ କରାଯାଇଛି।
ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଓଡ଼ିଶା ପୋଲିସ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛି। ‘ଅପରେସନ୍ ଅନ୍ୱେଷଣ-୨’ ଅଧୀନରେ ୨୦୨୬ ଜାନୁଆରୀରେ ମାତ୍ର ୧୦ ଦିନର ଅଭିଯାନରେ ୫,୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୭୮୬ ଜଣ ଶିଶୁ ଓ ୪,୬୬୫ ଜଣ ମହିଳା ଥିଲେ। ୨୦୨୫ରେ ୧୯,୨୧୧ ଜଣ ନିଖୋଜ ମହିଳାଙ୍କୁ ଠାବ କରାଯାଇଥିଲା, ଯାହା ସେହି ବର୍ଷ ରିପୋର୍ଟ ହୋଇଥିବା ୧୭,୭୪୭ ଜଣ ନିଖୋଜ ମହିଳାଙ୍କ ତୁଳନାରେ ଅଧିକ।
ସାଇବର ଅପରାଧ ବର୍ତ୍ତମାନର ଏକ ନୂଆ ଚ୍ୟାଲେଞ୍ଜ ହୋଇଥିବାରୁ ଏହାର ମୁକାବିଲା ପାଇଁ ଓଡ଼ିଶା ପୋଲିସ ଏକ ସ୍ୱତନ୍ତ୍ର ଓ ସମନ୍ୱିତ ବ୍ୟବସ୍ଥା ବିକଶିତ କରିଛି। ପୂର୍ବରୁ ରାଜ୍ୟରେ ୧୪ ଗୋଟି ସାଇବର୍ ଥାନା ଥିଲା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ନୂତନ ଭାବେ ଆଉ ୨୦ ଟି ସାଇବର୍ ଥାନା ପ୍ରତିଷ୍ଠା କରିଛନ୍ତି । ଫଳତଃ ଅଧୁନା ୩୪ଟି ପୋଲିସ ଜିଲ୍ଲାରେ Cyber Crime & Economic Offences Police Station କାର୍ଯ୍ୟକ୍ଷମ କରାଯାଇଥିବା ବେଳେ CID-CBରେ ମଧ୍ୟ ଏକ ସ୍ୱତନ୍ତ୍ର ୟୁନିଟ୍ କାର୍ଯ୍ୟରତ ଅଛି। ଏଥିପାଇଁ ୧,୦୬୭ଟି ଅତିରିକ୍ତ ପଦ ସୃଷ୍ଟି କରାଯାଇଛି । ଏଥି ସହ ଫୋରେନସିକ୍ କ୍ଷମତା ବୃଦ୍ଧି ପାଇଁ ୧୫ କୋଟି ଟଙ୍କା ବିନିଯୋଗ କରାଯାଇଛି।
ସେହିପରି ଚଳିତ ବର୍ଷ ‘ଅପରେସନ୍ ସାଇବର କବଚ’ ମାଧ୍ୟମରେ ୩୯,୭୧୪ଟି mule account ଯାଞ୍ଚ କରାଯାଇ ୧,୪୨୨ଟି ମାମଲା ରୁଜୁ କରାଯାଇ ୩୭୯ ଜଣଙ୍କୁ ଗିରଫ କରାଯାଇ ୬୮୯ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଏହା ସହ କ୍ରାଇମବ୍ରାଞ୍ଚ ଅଧୀନରେ State Cyber Crime Coordination Centre (S4C) ପ୍ରତିଷ୍ଠା ପାଇଁ ମଞ୍ଜୁରି ମିଳିଛି, ଯାହା ରାଜ୍ୟରେ ସାଇବର ଅପରାଧ ମୁକାବିଲାକୁ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି ଡିଜିପି ସୂଚନା ଦେଇଥିଲେ ।
ଆଗାମୀ ଦିନରେ ଅପରାଧ ନିୟନ୍ତ୍ରଣ ସହ ତ୍ଵରିତ ପଦକ୍ଷେପ, ଦ୍ରୁତ ଓ ବୈଜ୍ଞାନିକ ତଦନ୍ତ, ଉନ୍ନତ ଫୋରେନସିକ୍ ବ୍ୟବସ୍ଥା, ସାଇବର ସୁରକ୍ଷା, ମହିଳା ଓ ଶିଶୁଙ୍କ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା, ଉପକୂଳ ସୁରକ୍ଷା ଏବଂ ପୋଲିସ ନିରନ୍ତର ଆଧୁନିକୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ ।
ଏଥିସହ ଓଡ଼ିଶା ପୋଲିସକୁ ଆବଶ୍ୟକୀୟ ସମ୍ବଳ, ସହାୟତା ଓ ନିରନ୍ତର ସମର୍ଥନ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଡିଜିପି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ରାଜ୍ୟ ସରକାରଙ୍କ ଦୃଢ଼ ସମର୍ଥନ, ମାର୍ଗଦର୍ଶନ ଓ ଆବଶ୍ୟକ ସମ୍ବଳ ଯୋଗାଣ ଫଳରେ ଓଡ଼ିଶା ପୋଲିସର ଦକ୍ଷତା, ଭିତ୍ତିଭୂମି ଓ କାର୍ଯ୍ୟକ୍ଷମତା ଆହୁରି ସୁଦୃଢ଼ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ।
