Latest Odisha News

BREAKING NEWS

କିଏ ଧରିବେ ଉତ୍ତରାଖଣ୍ଡ କମାଣ ? ମୁଖ୍ୟମନ୍ତ୍ରୀ ରେସରେ ଦୁଇ ହେଭିୱେଟଙ୍କ ନାଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରାଖଣ୍ଡରେ ପୁଣି ଥର କ୍ଷମତା ବଜାୟ ରଖିଲା ବିଜେପି । ଦଳ ସରକାରକୁ ଫେରିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ହାରିଗଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିଜେପିକୁ ଉତ୍ତରାଖଣ୍ଡରେ ବିଜୟୀ କରାଇଲେ । କିନ୍ତୁ ନିଜ୍ ସିଟ୍ ରଖି ପାରିଲେ ନାହିଁ । ଖଟିମା ବିଧାନସଭା ଆସନରେ ପରାଜୟର ମୁହଁ ଦେଖିଛନ୍ତି । ଉତ୍ତରାଖଣ୍ଡରେ ଇତିହାସର ପୁନରାବୃତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ଥାଇ ଭୁବନ ଚନ୍ଦ୍ର ଖଣ୍ଡୁରୀ, ହରିଶ ରାୱତଙ୍କ ସହ ହାରିଗଲେ ପୁଷ୍କର ସିଂ ଧାମି ।

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ବିଜେପି ୪୭ ସିଟ ଜିତିଛି । ଧାମି ହାରିଥିବାରୁ କିଏ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ତାକୁ ନେଇ ଏବେ ଚର୍ଚ୍ଚା । ରେସରେ ଅନେକ ନାଁ । ଆଶାୟୀ ବି ଅନେକ । କୁହାଯାଉଛି, ରାଜ୍ୟର ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବ ବିଜେପି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବିଜେପି ହାଇକମାଣ୍ଡ ।

ନୂଆ ମୁଖ୍ୟମନ୍ତ୍ରୀ ରେସରେ ଧନ ସିଂହ ରାୱତ ଓ ସତପାଲ ମହାରାଜ ସବୁଠୁ ଆଗରେ ରହିଛି । ଧନ ସିଂହ ରାୱତ କଡ଼ା ମୁକାବିଲାରେ କଂଗ୍ରେସର ଗଣେଶ ଗୋଣ୍ଡିଆଲଙ୍କୁ ମାତ୍ର ୬୦୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସେ ଏବେ ରାଜ୍ୟର ଶିକ୍ଷା ମନ୍ତ୍ରୀ ଅଛନ୍ତି ।

ସେହିପରି ସତପାଲ ମହାରାଜ ଉତ୍ତରାଖଣ୍ଡ ବିଜେପିର ଜଣେ ଟାଣୁଆ ନେତା । ଚଳିତ ନିର୍ବାଚନରେ ୧୦ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ପୂର୍ବରୁ ଅନେକ ଥର ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଛି । ପୂର୍ବରୁ ସେ କଂଗ୍ରେସରେ ଥିଲେ । ୨୦୧୭ରେ ଚୌବଟ୍ଟାଖାଲ ଆସନରୁ ଜିତି ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ।

Comments are closed, but trackbacks and pingbacks are open.