Latest Odisha News

BREAKING NEWS

ଆଜି ପବିତ୍ର ଧନତେରାସ : ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର : ଆଜି ପବିତ୍ର ଧନତେରାସ ଓ କାର୍ତ୍ତିକ ତ୍ରୟୋଦଶୀ । ଏହି ପବିତ୍ର ଦିନରେ ସୁନା ବା ରୂପା କିଣିଲେ ପରିବାରର ସୁଃଖ ସମୃଦ୍ଧି ବୃଦ୍ଧିର ବିଶ୍ୱାସ ରହିଥିବାରୁ ଲୋକ ଗହଣା ଦୋକାନରେ ଭିଡ ଜମାଇଛନ୍ତି । ଆଉ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଅଫର ଦେଉଛନ୍ତି ଗହଣା ଦୋକାନୀ।ଗତବର୍ଷ ତୁଳନାରେ ଏ ବର୍ଷ ସୁନା ଦର ଅଧିକ ଥିବାବେଳେ ଅଳଙ୍କାର ବିକ୍ରି ଉପରେ କିନ୍ତୁ କୌଣସି ପ୍ରଭାବ ପଡ଼ିନି।

ଭୁବନେଶ୍ୱର ଓ ରାଜ୍ୟର ପ୍ରମୁଖ ସହରରେ ଥିବା ଅଳଙ୍କାର ସୋ’ରୁମ୍‌ଗୁଡ଼ିକ ଆଲୋକମାଳାରେ ବେଶ୍‌ ଆକର୍ଷଣୀୟ ସାଜସଜ୍ଜା କରିଛନ୍ତି। ଗ୍ରାହକମାନଙ୍କୁ ସପିଙ୍ଗ୍‌ର ଅନନ୍ୟ ଅନୁଭୂତି ଦେବା ଲାଗି ସବୁ ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କୋଭିଡ୍ ଗାଇଡ୍‌ଲାଇନ୍‌କୁ ପାଳନ କରିବାଠାରୁ ଆରମ୍ଭ କରି ଗ୍ରାହକମାନଙ୍କୁ ସପିଙ୍ଗ୍‌ କରିବାର ସୁବିଧାଜନକ ସୁଯୋଗ ଦେବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୪୬-୪୭ ହଜାର ଟଙ୍କା ମଧ୍ୟରେ ରହିଛି।

ଧନ୍‌ତେରସ୍‌ରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି। ଲୋକମାନଙ୍କ ମନରେ ରହିଥିବା ସେହି ଭାବନାକୁ ନଜରରେ ରଖି ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଅଳଙ୍କାର, ସୁନା ଓ ରୁପା କଏନ୍ ଆଦି ‌ଯୋଗାଇବା ଲାଗି ସୁନା ଦୋକାନୀମାନେ ପ୍ରସ୍ତୁତ ହୋଇଛନ୍ତି।ସେମାନେ ବହୁ ଟନ୍ ସୁନା ମଗାଇଛନ୍ତି। ଏଥର ସୁନା, ହୀରା, ପ୍ଲାଟିନମ୍, ‌‌ପ୍ରିସିୟମ୍ ଷ୍ଟୋନ୍‌ଖଚିତ ଗହଣାର ବ୍ୟାପକ ସମ୍ଭାର ସୋ’ ରୁମ୍‌ଗୁଡ଼ିକରେ ରହିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ବଡ଼ ବଡ଼ ଗହଣା ସୋ’ରୁମ୍‌ଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି। ନିଜ ଆକର୍ଷଣୀୟ ଅଫର୍‌ଗୁଡ଼ିକ ବିଷୟରେ ଲୋକମାନଙ୍କୁ ଅବଗତ କରିବା ଲାଗି ଗଣମାଧ୍ୟମ ଓ ଡିଜିଟାଲ୍ ମିଡିଆରେ ବ୍ୟାପକ ପ୍ରଚାର କରାଯାଉଛି।

 

Leave A Reply

Your email address will not be published.