Latest Odisha News

ଦୟା ଏବେ ନିର୍ଦ୍ଦୟ 

(ଧରଣୀ ର କାହାଣୀ)

ଦୟା ଏବେ ନିର୍ଦ୍ଦୟ 

ସୁଦର୍ଶନ ଦାସ 

ଦୟା ର ପସରା ମେଲାଇ କାହିଁ କେତେ କାଳରୁ ବହି ଚାଲିଛି ଦୟା ନଦୀ l ଏହାର ନାମ ଦୟା କାହିଁକି ହେଇଛି ବା କିଏ ଏହି ନାମ କରଣ କରିଛି ତାହା ରହସ୍ୟlବୃତ l ଏହାର ନାମ କରଣ କୁ ନେଇ ଯଦିଓ ଅନେକ ଲୋକ କଥା ରହିଛି, ସେସବୁ ର ପ୍ରାମାଣିକ ତଥ୍ୟ ସବୁ ଆଜିବି ପ୍ରଶ୍ନ ବାଚି ହୋଇ ରହିଛି l କିନ୍ତୁ ଏହି ଛୋଟ ନଦୀଟି ର ଦୟାର ପରଶ ପାଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ପରିବେଶ, ଜୀବ ଜଗତ ଓ ମଣିଷ ମାନେ ଯେ ସମୃଦ୍ଧ ସେଥିରେ ସନ୍ଦେହ ନାହିଁ l ଏହାର କୂଳରେ ଏକଦା ବିଖ୍ୟାତ କଳିଙ୍ଗ ଯୁଦ୍ଧ ହୋଇଥିଲା l କୁହାଯାଏ ସେହି ଯୁଦ୍ଧ ପାଇଁ ଏହି ନଦୀ ଟି କୁଆଡେ ସେତେବେଳେ ରକ୍ତର ନଦୀ ପାଲଟି ଥିଲା l ସେହି ନଦୀ ପୁଣି ମଣିଷ ଭିତରେ ଦୟାର ଏକ ଅଭୂତପୂର୍ବ ନିଦର୍ଶନ ପାଲଟି ଥିଲା l ପ୍ରବଳ ପ୍ରତାପୀ ତଥା ଅଗଣିତ ମଣିଷଙ୍କ ରକ୍ତରେ ହୋଲି ଖେଳିଥିବା ସମ୍ରାଟ ଅଶୋକ ଦୟା ଶିକ୍ତ ହୋଇ ଚଣ୍ଡାଶୋକ ରୁ ଧର୍ମାଶୋକ ରେ ରୂପାନ୍ତରିତ ହେବାର ମୁକ ସାକ୍ଷୀ ମଧ୍ୟ ଏହି ଦୟା ନଦୀ l ଅମୃତ ସଦୃଶ ଥିଲା ତାର ଜଳ ରାଶି l ମଣିଷଙ୍କ ସମେତ ଅଗଣିତ ଜୀବ ଜଗତ ଙ୍କ ତୃଷ୍ଣା ମେଣ୍ଟାଇ ଆସୁଥିଲା ଏହି ନଦୀ ର ଜଳ l ଏହାର ପାଣି ଫସଲର ସମ୍ଭାର ସୃଷ୍ଟି କରୁଥିଲା l ଏହି ନଦୀ ର ସୁଆଦିଆ ମାଛ  ଅନେକ ନାଇ କୂଳିଆ ଲୋକଙ୍କ ଜୀବନ ଜୀବିକା ର ଉତ୍ସ ଥିଲା l କିନ୍ତୁ ହାୟ! ସେହି ଦୟା ନଦୀ ଏବେ ନିର୍ଦ୍ଦୟ ପାଲଟି ଯାଇଛି l ଦୟା, ଶ୍ରଦ୍ଧା ପରିବର୍ତ୍ତେ ସେ ଆଜି ନିଷ୍ଠୁର ପାଲଟି ଯାଇଛି l ତାର ପାଣି ଏବେ ଜହର ପାଲଟିଛି l ତାର ପାଣି ଆଜି ପିଇବା ତ ଦୂରର କଥା ତାକୁ ଛୁଇଁବା ମଧ୍ୟ ନିଷେଧ l ଏହାର ପାଣି ବ୍ୟବହାର କରି ୪ ଜଣ ଏବେ ମଲେଣି l ଆଉ ଜଣେ ଡାକ୍ତରଖାନl ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି l  ଆଜି ଏହି ନଦୀ କୁ ଦେଖିଲେ ଏକ ବିରାଟ ପ୍ରଶ୍ନ ମନରେ ଉଙ୍କି ମାରୁଛି l କାହିଁକି ନିର୍ଦ୍ଦୟ ହେଲା ଦୟା ? କିଏ ତାକୁ ଏଭଳି ନିଷ୍ଠୁର କଲା?

ମହାନଦୀ ରୁ କାଠଯୋଡି, କାଠଯୋଡି ରୁ କୁଆଖାଇ ଆଉ ତାପରେ କୁଆଖାଇ ରୁ ବାହାରିଛି ଦୟାନଦୀ l ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ର ସରଦେଇ ପୂର ନିକଟରେ କୁଆଖାଇ ରୁ ଅଲଗା ହୋଇ ବହି ଯାଇଛି ଦୟା ଧଉଳି, ପିପିଲି, କଣ୍ଟି, ବସନ୍ତପୁର, ତିରୁମଲ ପାଖରେ ପହଞ୍ଚିବା ପରେ ଦୟା ରୁ ରାଜୁଆ  ବାହାରିଛି ଏକ ଶାଖା ନଦୀ ହୋଇ l ମୂଳ ଦୟା ପୁଣି ଦହି ଯାଇଛି କଣାସ, ଦୋକନ୍ଦା ହେଇ ଓ ବଳଭଦ୍ରପୁର ଠାରେ ପହଞ୍ଚିଲା ପରେ ରାଜୁଆ ପୁଣି ଆସି ଦୟାରେ ମିଶିଛି l ସେଠାରେ ମଧ୍ୟ ମଲlଗୁଣି ନଦୀ ରଣପୁର ରୁ ବାହାରି ଦୟାରେ ମିଶିଛି l ପୁଣି ଅଶ୍ୱତ୍ଥପାରି – ଚୂପୁରିଂ ଠାରେ ଦୟା ଦୁଇଭାଗ ହୋଇଛି ଯେଉଁଠାରୁ ମକରା ନଦୀ ସୃଷ୍ଟି ହୋଇଛି l ମକରା  ୧୫/୨୦ କିମି ପ୍ରବାହିତ ହୋଇ ପୁଣି ବଡଗୋଠ ଠାରେ ଦୟା ସହିତ ମିଶିଛି l କୁଆଖିଆ ନଦୀ ରୁ ବାହାରି ନିମାପଡ଼ା, ସତ୍ୟବାଦୀ, ପୁରୀ ସଦର ଓ ବ୍ରହ୍ମଗିରି ପ୍ରବାହିତ ହୋଇ ଆସିଥିବା ଭାର୍ଗବୀ ନଦୀ ମଧ୍ୟ ଗୋଦଗୋଠ ଠାରେ ଦୟା ସହିତ ମିଶି ନିଜ କୁ ଚିଲିକାରେ ନିଜକୁ ଅଜାଡ଼ି ଦେଇଛନ୍ତି l ଉତ୍ପତ୍ତି ସ୍ଥଳରୁ ବାହାରି ଚିଲିକାରେ ପଡ଼ିବା ପର୍ଯ୍ୟନ୍ତ ଦୟାନଦୀ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୨୦୦ ରୁ ଉର୍ଦ୍ଧ ଗାଁ ଲୋକଙ୍କ ପାଣି ର ସକଳ ଆବଶ୍ୟକତା କୁ ପୂରଣ କରିଥାଏ ତାର ଦୟାର ପରଶ ରେ l

ଏବେ ସେହି ନଦୀ ର ଜଳ ଜହର l ତାର ଜଳ ରେ ଚାଷ କାମ ହୋଇ ପାରୁନି l ପଶୁ ପକ୍ଷୀ ବି ଏହାର ପାଣି ପିଇ ପରୁନାନ୍ତି l ମଣିଷ ତ ଦୂରର କଥା l ଏହାର ମାଛ ଖାଦ୍ୟ ଅନୁପଯୋଗୀ l ଏହାର ପାଣିରେ ଗଢ଼ୋଇଲେ ଲୋକମାନେ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି l ତେଣୁ କହିବାକୁ ଗଲେ ଦୟା ଏବେ ନିର୍ବିକାର ଓ ନିଷ୍ଠୁର ପାଲଟି ଯାଇଛି l ମାତ୍ର ପ୍ରଶ୍ନ ହେଲା କିଏ ଦୟାର ଏମିତି ଦୟନୀୟ ଅବସ୍ଥା ପାଇଁ ଦାୟୀ?

ଦୟକୁ ବିଷ ନଦୀ ରେ ପରିଣତ କରିବା ପଛରେ ପ୍ରମୁଖ ଭୂମିକା ରହିଛି ଗଂଗୁଆ ର l ଗଙ୍ଗୁଆ ଏକ ନଦୀ ଥିଲା ଯାହାର ନାମ ଗଙ୍ଗବତୀ l କଟକ ର ବାଙ୍କୀ ବ୍ଲକ ର ଢମପଡ଼l ଠାରୁ ବାହାରି ଭୁବନେଶ୍ୱର ଦେଇ ଏହା ଦୟାରେ ପଡ଼ିଛି l ଗଙ୍ଗବତୀ ଏବେ ଆଉ ନଦୀ ହୋଇ ରହିନାହିଁ l ଗଙ୍ଗୁଆ ନାଳ ର ଆଖ୍ୟା ଦିଆ ଯାଇଛି l ଭୁବନେଶ୍ୱର ର ସମସ୍ତ ନାଳ ନର୍ଦ୍ଦମା ର ପାଣି ଓ ବର୍ଜ୍ୟବସ୍ତୁ ସବୁକୁ ନିଷ୍କାସନ ର ପଥ ହେଇଛି ଗଙ୍ଗୁଆ l ଗଙ୍ଗୁଆ ଆସି ମିଶିଛି ଦୟାରେ ପିପିଲି ବ୍ଲକ ର କଣ୍ଟି ପଞ୍ଚାୟତ ଅଧିନସ୍ଥ ନିଜିଗଡ ପୁରୁଖି ନିକଟରେ l ସେହି ମିଶ୍ରଣ ସ୍ଥଳରେ ଛିଡ଼ା ହୋଇ ଦୁଇ ନଦୀ ର ପାଣି କୁ ଅବଲୋକନ କଲେ ଆପଣ ବେଶ ବାରି ପାରିବେ ପାଣି ର ପାର୍ଥକ୍ୟ l ଦୟା ନଦୀ ର ପାଣି ନିର୍ମଳ ସବୁଜ ଥିବା ବେଳେ ଗଙ୍ଗୁଆ ର ପାଣି କଲା l ସେ ସ୍ଥାନରେ ଛିଡ଼ା ହେବାକୁ ହେଲେ ଆପଣଙ୍କୁ ନାକରେ ରୁମାଲ ଦେବାକୁ ପଡ଼ିବ l

ଗଙ୍ଗୁଆ ର ଦୂଷିତ ପାଣି କୁ ଦୟାରେ ନ ଛାଡ଼ିବା ପାଇଁ ଦୟାର ନଦୀକୂଳିଆ ଲୋକମାନେ ବାରମ୍ବାର ଦାବି କରି ଆସୁଛନ୍ତି l ଜିଲ୍ଲାପାଳ ଙ୍କ ଠୁ ଆରମ୍ଭ କରି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି l ହେଲେ ଫଳ କିଛି ହୋଇନି l ଦୟା ନଦୀ ର ଅବସ୍ଥା ସୁଧୁରିନି, ବରଂ ଆହୁରି ଦୟନୀୟ ହୋଇଛି l ଯାହାର ପରିଣାମ ହେଇଛି ୪ ଜଣଙ୍କ ମୃତ୍ୟୁ ଓ କଣାସ ଅଞ୍ଚଳରେ ମହାମାରୀ l ଏବେ ପୁରୀ ସ୍ବାସ୍ଥ୍ୟ ବିଭାଗ ଦୟା ଓ ମକରା ନଦୀ ର କଣାସ ଅଞ୍ଚଳରେ ଥିବା ୬ ଟି ନଦୀ ଘାଟ କୁ ରେଡ ଲାଇଟ ଅଞ୍ଚଳ ବୋଲି ଘୋଷଣା କରିବା ସହିତ ନଦୀ ର ପାଣି କୁ ନଛୁଇବା ପାଇଁ ଲୋକଙ୍କୁ ତାଗିଦ୍ କରିଛି l ଏହା ଏକ ବିଡମ୍ବନା ବ୍ୟତୀତ ଆଉ କଣ ହୋଇପାରେ?

ଭୁବନେଶ୍ବର ବାସୀଙ୍କ ମଳ ମୂତ୍ର, କଳ କାରଖାନା, ଡାକ୍ତରଖାନା ଇତ୍ୟାଦି ର ବର୍ଯ୍ୟ ପଦାର୍ଥ ର ନିଷ୍କାସନ ପଥ ସାଜିଥିବା ଗଙ୍ଗୁଆ ପାଣି କୁ ବିଶୋଧନ କରିବା ପାଇଁ ଭୁବନେଶ୍ବର ରେ ଯୋଜନା ହେଲା l ସେଥି ପାଇଁ କୋଟି କୋଟି ଟଙ୍କା ସରକାରୀ ତହବିଲ ରୁ ଖର୍ଚ୍ଚ ହୋଇ ସାରିଲାଣି l ମାତ୍ର ଫଳ ଶୂନ l ଏବେ ଶୁଣା ଯାଉଛି ଗଙ୍ଗୁଆ କୁ ପୁରନୁଦ୍ଧlର କରାଯିବ l ଗଙ୍ଗୁଆ ପୁରା ସଜେଇଦେବେ l ନଦୀ କୁ ସଜାଇବା ର କୌଣସି ମାନେ ନାହିଁ ଯଦି ଏହାର ନିର୍ମଳ ଓ ଅବିରଳ ପ୍ରବାହ ନାହିଁ l ନଦୀର ସୋଉନ୍ଦର୍ଯ୍ୟ ହେଉଛି ତାର ନିର୍ମଳ ଜଳ ଓ ନିରନ୍ତର ପ୍ରବାହ l ଆମ ମନ୍ତ୍ରୀ ଯନ୍ତ୍ରୀ ମାନେ ଏକଥାକୁ ବୁଝନ୍ତେ ଭଲା!

ଗତ ତିନି ଚାରି ଦିନ ଭିତରେ ଦୟା ନଦୀ କୂଳରେ ଥିବା ନଇ କୂଳ ପାଟଣା ଓ ନୂଆ ଗାଁ ରେ ୪ ଜଣ ଲୋକ ମଲେଣି l ଆଉ ଜଣେ ମୃତ୍ୟୁ ସହିତ ଡାକ୍ତରଖାନା ସଂଗ୍ରାମ କରୁଛନ୍ତି l ଅନେକ ଆକ୍ରାନ୍ତ ହୋଇ ଚିତିତ୍ସିତ ହେଉଛନ୍ତି l ଏହି ଭଳି ଦୂରବସ୍ଥା ପାଇଁ କିଏ ଦାୟୀ ? ସରକାର, ପ୍ରଶାସନ ତଥା ନାଗରିକ ସମାଜ – ଏ ସଭିଏଁ ଏଥିପାଇଁ ଦାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ l ଦୟା ଅପେକ୍ଷା ରଖିଛି, ତାକୁ କିଏ ତାର ପୂର୍ବ ସ୍ଥିତି କୁ ଫେରାଇ ଆଣିବ l

(ଲେଖକ ସୁଦର୍ଶନ ଦାସ ଜଣେ ବିଶିଷ୍ଟ ସ୍ତମ୍ଭକାର)

 

Comments are closed.