Latest Odisha News

BREAKING NEWS

କିଏ ଜିତିବ ଦିଲ୍ଲୀ…କ’ଣ କହୁଛି ନିର୍ବାଚନ ପୂର୍ବ ସର୍ଭେ?

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଜିତିବ କି ଆମ ଆଦମୀ ପାର୍ଟି? ନା ବିଜେପି ଓ କଂଗ୍ରେସ ଦଖଲ କରିବେ ଦିଲ୍ଲୀ ଗାଦି? ଫେବ୍ରୁଆରୀ ୫ତାରିଖରେ ଦିଲ୍ଲୀ ବିଧାନସଭା ଭୋଟ୍, କିଏ କରିବ ବାଜିମାତ୍? କାହା ଖାତାକୁ ଯିବ ଦଳିତ ଓ ମହିଳା ଭୋଟ୍? ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେରେ ଫଳାଫଳ ନେଇ ଆକଳନ କରାଯାଇଛି । ଦିଲ୍ଲୀର ୭୦ ବିଧାନସଭା ସିଟରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି । ଆପ ଏଥର ବି ଦିଲ୍ଲୀ ଦଖଲ କରିବାକୁ ରଣନୀତି କରୁଥିବା ବେଳେ ଶାସନ ବିରୋଧୀ ଲହରର ସାମନା କରୁଛି । ବିଜେପି ୨୭ବର୍ଷ ପରେ କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ଦିଲ୍ଲୀରେ କମବ୍ୟାକ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।

କ’ଣ କହୁଛି ସି-ଭୋଟର ସର୍ଭେ?

ସି-ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଦିଲ୍ଲୀରେ କ୍ଲିନ୍ ସୁଇପ୍ କରିପାରେ ଆମ ଆଦମୀ ପାର୍ଟି । ସର୍ଭେରେ ୫୧ପ୍ରତିଶତ  ଆପ୍ କ୍ଷମତାକୁ ଫେରିବା ନେଇ ସୂଚାଉଥିବା ବେଳେ ସରକାର ବଦଳିବା ନେଇ ସଙ୍କେତ ଦେଇଛନ୍ତି ୪୧ପ୍ରତିଶତ । ବିଶେଷ କରି ମହିଳା ଭୋଟରଙ୍କ ମଧ୍ୟରେ ଆପ୍ ପ୍ରତି ସମର୍ଥନ ରହିଛି । ୨୦୨୦ରେ ଆପକୁ ଭୋଟ୍ ଦେଇଥିବା ଶହେରୁ ୮୦ ମହିଳା ଏଥର ପୁଣି ଦଳକୁ ବାଛିପାରନ୍ତି ବୋଲି ମତ ଦେଇଛନ୍ତି । ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଥିବା ଶହେରୁ ୬୫ଜଣ ମହିଳା ପୁଣି ବିଜେପି ସପକ୍ଷରେ ଭୋଟ୍ ଦେଇପାରନ୍ତି। ଅର୍ଥାତ ଶହେରେ ପ୍ରାୟ ୩୫ଜଣ ସୁଇଙ୍ଗ ଭୋଟର ରହିଛନ୍ତି । ସେହିପରି ଗତ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଭୋଟ୍ ଦେଇଥିବା ଶହେରୁ ୭୫ଜଣ ମହିଳା ଭୋଟର ଏଥର ଆପକୁ ଭୋଟ ଦେଇପାରନ୍ତି । ଦିଲ୍ଲୀରେ ମାଗଣା ଘୋଷଣା ପରେ ଏହାକୁ କାର୍ଯ୍ୟକାରୀ କରିବାରେ ଆପର ଭଲ ଟ୍ରାକ ରେକର୍ଡ ରହିଛି । ଯାହା ଦଳ ସପକ୍ଷରେ ଭୋଟ ବଢାଇପାରେ ।

କାହା ଆଡକୁ ଢଳିବେ ଦଳିତ?

ଜାତୀୟ ଦଳିତ ଓ ଆଦିବାସୀ ମହାସଂଘ ବା NACDAOR ଦ୍ବାରା ଦିଲ୍ଲୀରେ ନିର୍ବାଚନ ପୂର୍ବରୁ ସର୍ଭେ କରାଯାଇଛି । ଏଥିରେ ଦିଲ୍ଲୀର ଦଳିତ ଭୋଟର ଆପ୍ ଆଡକୁ ଢଳିପାରନ୍ତି ବୋଲି ସଂକେତ ମିଳିଛି । ଦିଲ୍ଲୀର ୬ହଜାର ୨୫୬ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ଏହା ମଧ୍ୟରେ ୨ହଜାର ୫୭୪ ମହିଳା ରହିଥିଲେ । ଦଳିତ ଭୋଟର ଆପ ୩୫ଟି ସିଟରେ ଆଗରେ ରହିବା ନେଇ ସଂକେତ ଦେଇଛନ୍ତି । ସେହିପରି ୨୮ଟିରେ ବିଜେପି ଓ ୭ଟିରେ କଂଗ୍ରେସ ଆଗରେ ରହିପାରେ ବୋଲି କହିଛନ୍ତି । ସର୍ଭେରେ ୪୪ ପ୍ରତିଶତ ଦଳିତ ଆପ୍ ସପକ୍ଷରେ ଭୋଟ୍ ଦେବା ନେଇ ମତ ଦେଇଛନ୍ତି । ୩୨ ପ୍ରତିଶତ ବିଜେପିକୁ ତ ୨୧ ପ୍ରତିଶତ କଂଗ୍ରେସକୁ ଭୋଟ୍ ଦେବା ନେଇ କହିଛନ୍ତି । ଇଣ୍ଡିଆ ବ୍ଲକକୁ ଦଳିତ ଭୋଟଙ୍କ ସମର୍ଥନ ଅଧିକ ରହିଥାଏ । ତେବେ ଦିଲ୍ଲୀରେ ଦୁଇ ମେଣ୍ଟ ସହଯୋଗୀ ଆପ୍ ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢୁଛନ୍ତି ।

କ’ଣ କହୁଛି ସଟ୍ଟାବଜାର ଆକଳନ?

ଫଲୋଦି ସଟ୍ଟାବଜାର ଆକଳନ ଅନୁସାରେ ଦିଲ୍ଲୀରେ ପୁଣି ଆପ୍ କ୍ଷମତାକୁ ଫେରିପାରେ । ପୂର୍ବରୁ ଆପ୍ ମ୍ୟାଜିକ ନମ୍ବର ୩୬ ଅତିକ୍ରମ କରିବା ନେଇ ସଟ୍ଟାବଜାର ଆକଳନ କରିଥିବା ବେଳେ ପୁଣି ଏଥିରେ ପରିବର୍ତ୍ତନ କରିଥିଲା । ଆପ୍ ୩୯ରୁ ୪୧ଟି ସିଟ୍ ଜିତିପାରେ ବୋଲି ସଟ୍ଟାବଜାର କହିଛି । ସେହିପରି ବିଜେପି ୨୯ରୁ ୩୧ଟି ସିଟ୍ ଜିତିବା ସହ ମ୍ୟାଜିକ ନମ୍ବରଠାରୁ ଅଳ୍ପ ଦୂରରେ ରହିବ । ତେବେ କଂଗ୍ରେସ ପାଇଁ କୌଣସି ଆକଳନ କରିନି ସଟ୍ଟାବଜାର ।

ଗତ ଦୁଇଟି ନିର୍ବାଚନରେ ଦିଲ୍ଲୀରେ କ୍ଲିନ୍ ସୁଇପ୍ କରିଥିଲା ଆପ୍ । ୨୦୧୫ରେ ୬୭ଟି ସିଟ୍ ତ ୨୦୨୦ରେ ୬୨ଟି ସିଟ୍ ଜିତିଥିଲା ଦଳ । ତେବେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ଆପ୍ ଏଥର ଆଗ୍ନିପରୀକ୍ଷା ଦେଉଛି । ସେପଟେ ବିଜେପି ଆପ୍ ହାତରୁ ଦିଲ୍ଲୀ ଛଡାଇ ନେବାକୁ ଉଦ୍ୟମ କରୁଛି ତ କଂଗ୍ରେସ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ରଣନୀତି କରୁଛି ।

Comments are closed.