Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଥାନଲ ଜୈବ-ପରିଶୋଧନଗାରର ଭିତିପ୍ରସ୍ତର ସ୍ଥାପନ କରିବେ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ଦ୍ୱାରା ବରଗଡ ଜିଲ୍ଲାର ଭାଟିଲି ତହସିଲ୍ ଅର୍ନ୍ତଗତ ବଉଳସିଂହା ଗ୍ରାମରେ ହେବାକୁ ଥିବା ୨ ଜି ଇଥାନଲ ଜୈବ-ପରିଶୋଧନଗାରର ଆସନ୍ତା ଅକ୍ଟୋବର ୧୦ ତାରିଖରେ ଭିତିପ୍ରସ୍ତର ସ୍ଥାପନ କରିବେ ।

ଧାନ ନଡାକୁ ଫିଡ୍ ଷ୍ଟକ୍ ଭାବେ ବ୍ୟବହାର କରି ବାର୍ଷିକ ୩ କୋଟି ଲିଟର ଇଥାନଲ ଇନ୍ଧନ ଉତ୍ପାଦନ କ୍ଷମତା ଏହି ପରିଶୋଧନଗାର ବହନ କରିବ ଏବଂ ଏହି ପରିଶୋଧନଗାରରୁ ଉତ୍ପାଦିତ ଇଥାନଲ୍ ପେଟ୍ରୋଲ ସହ ମିଶ୍ରଣ ହେବ । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ଅଟେ ।
ବର୍ଦ୍ଧିତ ଶକ୍ତି ନିରାପତ୍ତା ଚାହିଦା ଏବଂ ପରିବେଶ ସମ୍ବନ୍ଧୀୟ ଉଦବେଗ ଯୋଗୁଁ ଜୈବିକ ଇନ୍ଧନ ବର୍ତମାନ ସମୟରେ ବେଶ୍ ଗୁରୁତ୍ୱ ବହନ କରୁଛି । ବହୁ ଦେଶ ସେମାନଙ୍କର ଘରୋଇ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଜୈବ ଇନ୍ଧନର ଉପଯୋଗ କରିବା ପାଇଁ ବିଭିନ୍ନ ପ୍ରକାରର ଯାନ୍ତ୍ରିକ କୌଶଳକୁ ପ୍ରୋତ୍ସାହନ ଦେଉଛନ୍ତି ।

ଭାରତବର୍ଷରେ ବାର୍ଷିକ ୧୨୦ରୁ ୧୬୦ ଏମ୍ଏମ୍ଟି ବଳକା ଜୈବମାସ୍ ଉପଲବ୍ଧ ଯାହାର ବାର୍ଷିକ ୩୦୦୦ କୋଟି ଲିଟର ଇଥାନଲ ଉତ୍ପାଦନ କ୍ଷମତା ରହିଛି ।

ଭାରତର ରାଷ୍ଟ୍ରୀୟ ଜୈବ ଇନ୍ଧନ ନୀତି ୨୦୧୮ ଅନୁସାରେ ୨୦୩୦ ମସିହା ସୁଦ୍ଧା ୨୦ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶ୍ରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, କିନ୍ତୁ ଇଥାନଲ ର ଅଭାବ କାରଣରୁ ବର୍ତମାନ ମାତ୍ର ୩ ରୁ ୪ ପ୍ରତିଶତ ଇଥାନଲ ପେଟ୍ରୋଲ ରେ ମିଶ୍ରିତ ହେଉଛି ।

୨ଜି ଇଥାନଲ ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ପେଟ୍ରୋଲରେ ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ କରିହେବ ।

ବରଗଡ ଜିଲ୍ଲାର ପାଶ୍ୱବର୍ତୀ ଅଂଚଳ ଯେପରିକି ଭାତିଲି, ଅମ୍ବାଭୋନା, ଅତାବିରା, ସୋହେଲା, ବୁର୍ଲା ଏବଂ ଲଖନପୁର ରୁ ସଂଗୃହୀତ ବାର୍ଷିକ ୨ ଲକ୍ଷ ଟନ୍ ଧାନ ନଡାକୁ ଏହି ଜୈବ-ପରିଶୋଧନାଗାର ରେ ଫିଡ୍ଷ୍ଟକ୍ ହିସାବରେ ବ୍ୟବହାର କରାଯିବ ।
ଜୈବ-ପରିଶୋଧନାଗାରଗୁଡିକ ଇଥାନଲ୍ ଉତ୍ପାଦନ ନିମନ୍ତେ ବର୍ଜ୍ୟ ଧାନ ନଡାକୁ ବ୍ୟବହାର କରିବା ଦ୍ୱାରା ସ୍ୱଚ୍ଛ ପରିବେଶ ଗଠନରେ ସହାୟକ ହେବ ଯାହା ଦ୍ୱାରା କ୍ଷେତରେ ଦହନ ହେଉଥିବା ବର୍ଜ୍ୟ ଧାନ ନଡାକୁ ପ୍ରତିହତ କରାଯାଇପାରିବ ।

ପେଟ୍ରୋଲରେ ଇଥାନଲ୍ ର ମିଶ୍ରଣ ଦ୍ୱାରା ଜୀବାଶ୍ମ ଇନ୍ଧନ ତୁଳନାରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିଃସରଣକୁ କମ କରାଯାଇପାରିବ । ଏହି ପ୍ଲାଣ୍ଟଟି ଶୂନ୍ୟ-ତରଳ ନିର୍ଗମନ େ ବୈଷୟିକ ଜ୍ଞାନକୌଶଳ ଉପରେ ପର୍ଯ୍ୟବେଷିତ ଯେଉଁଠାରେ ସମସ୍ତ ଜଳ କୁ ପୁନଃନବୀକରଣ କରାଯାଇ ପୁନଃଶ୍ଚ ପ୍ଲାଣ୍ଟ ମଧ୍ୟକୁ ଫେରାଇ ଅଣାଯାଇପାରିବ ।

ସ୍ୱଚ୍ଛ ପରିବେଶ ବ୍ୟତୀତ ଆହୁରି ମଧ୍ୟ ଏହି ପରିଯୋଜନା ଚାଷୀମାନଙ୍କ ଦ୍ୱାରା ପ୍ଲାଂଟକୁ ପ୍ରେରିତ ବର୍ଜ୍ୟ ଧାନ ନଡା ପାଇଁ ସେମାନଙ୍କର ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ମଜଭୁତ କରିବା ନିମନ୍ତେ ସହାୟକ ହେବ । ଏହା ବ୍ୟତୀତ ପ୍ଲାଣ୍ଟ ନିର୍ମାଣ, ପ୍ଲାଣ୍ଟ କାର୍ଯ୍ୟକ୍ଷମ ଆଦି କ୍ଷେତ୍ରରେ ପ୍ରାୟତଃ ୧୨୦୦ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଜୈବ ଇନ୍ଧନର ସୁପରିଚାଳନା ଏଠାକାର ଭିତିଭୂମିକୁ ସୁଦୃଢ କରିବା ସହିତ ଏହି ଅଞ୍ଚଳର ଜୀବନ ଜୀବିକାର ଉନ୍ନତିରେ ସାହାଯ୍ୟ କରିବ ।

ଏହା ବ୍ୟତୀତ ଇଥାନଲ୍ର ମିଶ୍ରଣ ଦେଶକୁ ଆତ୍ମନିର୍ଭରଶୀଳ କରିବା ସହିତ ଅଶୋଧିତ ତୈଳ ଆମଦାନୀକୁ ହ୍ରାସ କରିବ ଯାହା ଦ୍ୱାରା ବୈଦେଶିକ ମୁଦ୍ରା ବିନିମୟରେ ସଂଚୟ ପରିଲକ୍ଷିତ ହେବ ।

Leave A Reply

Your email address will not be published.